କଂଗ୍ରେସକୁ କଡ଼ା ଭାଷାରେ ସତର୍କ କରାଇଲେ ହାର୍ଦ୍ଦିକ ପଟେଲ

ଗାନ୍ଧିନଗର: ଗୁଜରାଟ କଂଗ୍ରେସରେ ସବୁ କିଛି ଠିକଠାକ ଚାଲିନାହିଁ। ପୂର୍ବରୁ ଗୁଜରାଟ କଂଗ୍ରେସର କିଛି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଯୁବ ନେତା ହାର୍ଦ୍ଦିକ ପଟେଲ ଏବେ ସିଧାସଳଖ ହାଇକମାଣ୍ଡଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି। ଏପରି କି ହାଇକମାଣ୍ଡ ଯଦି କୌଣସି ପଦକ୍ଷେପ ନ ନେବେ, ତା’ହେଲେ ସେ କଂଗ୍ରେସ ଛାଡ଼ିଦେବେ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ହାଇକମାଣ୍ଡ ଏମିତି କିଛି ପଦକ୍ଷେପ ନିଅନ୍ତୁ, ଯାହାଦ୍ୱାରା ସେ ଦଳରେ ରହିବେ ବୋଲି ହାର୍ଦ୍ଦିକ କହିବା ପରେ […]

Hardik-patel

Hemant Lenka
  • Published: Tuesday, 26 April 2022
  • , Updated: 26 April 2022, 05:07 PM IST

ଗାନ୍ଧିନଗର: ଗୁଜରାଟ କଂଗ୍ରେସରେ ସବୁ କିଛି ଠିକଠାକ ଚାଲିନାହିଁ। ପୂର୍ବରୁ ଗୁଜରାଟ କଂଗ୍ରେସର କିଛି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଯୁବ ନେତା ହାର୍ଦ୍ଦିକ ପଟେଲ ଏବେ ସିଧାସଳଖ ହାଇକମାଣ୍ଡଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି। ଏପରି କି ହାଇକମାଣ୍ଡ ଯଦି କୌଣସି ପଦକ୍ଷେପ ନ ନେବେ, ତା’ହେଲେ ସେ କଂଗ୍ରେସ ଛାଡ଼ିଦେବେ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ହାଇକମାଣ୍ଡ ଏମିତି କିଛି ପଦକ୍ଷେପ ନିଅନ୍ତୁ, ଯାହାଦ୍ୱାରା ସେ ଦଳରେ ରହିବେ ବୋଲି ହାର୍ଦ୍ଦିକ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ହାର୍ଦ୍ଦିକଙ୍କ ଗୋଟିଏ ସାକ୍ଷାତକାର ପ୍ରକାଶ ପାଇଛି। ଏହି ସାକ୍ଷାତକାରର କ୍ଲିପକୁ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି, “ମୁଁ ଏବେ କଂଗ୍ରେସରେ ରହିଛି। କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ଏମିତି ଗୋଟିଏ ରାସ୍ତା ବାହାର କରନ୍ତୁ, ଯାହାଦ୍ୱାରା ମୁଁ ପୂର୍ବଭଳି କଂଗ୍ରେସରେ ରହିବି। ରାଜ୍ୟ କଂଗ୍ରେସରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାର୍ଦ୍ଦିକ ଦଳ ଛାଡ଼ି ଦେଉ ବୋଲି ଚାହୁଁଛନ୍ତି। ସେମାନେ ମୋ ଇଚ୍ଛାଶକ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।”

ପଟିଦାରଙ୍କ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପଟେଲ ରାତାରାତି ଚର୍ଚ୍ଚିତ ଚେହେରା ବନି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କଂଗ୍ରେସରେ ଯୋଗଦେଇଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ। ଏହାପରେ କଂଗ୍ରେସ ଉଭୟ ବିଧାନସଭା ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ହେଲେ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କ ଏପରି ବୟାନ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।


ହାର୍ଦ୍ଦିକ କହିଛନ୍ତି, “୨୦୧୭ ବିଧାନସଭା ନିର୍ବାଚନ ପରେ କ’ଣ ହେଲା? ୨୦୧୭ ପରେ ହାର୍ଦ୍ଦିକ ପଟେଲଙ୍କୁ ଦଳରେ ଠିକ୍‌ ଭାବେ ବ୍ୟବହାର କରାଯାଉ ନଥିବା ଅନେକ କଂଗ୍ରେସ ନେତା ମଧ୍ୟ ସ୍ୱୀକାର କରୁଛନ୍ତି। ଏବେ ମୋତେ ଗୁରୁତ୍ୱ ଦେଲେ ୫ରୁ ୧୦ ବର୍ଷ ପରେ ମୁଁ କାଳେ ଦଳର କିଛି ନେତାଙ୍କ ରାସ୍ତାରେ କଣ୍ଟା ସାଜିବି, ସମ୍ଭବତଃ ସେହି ଆଶଙ୍କାରେ ଦଳର କିଛି ନେତା ମୋତେ ବିରୋଧ କରୁଛନ୍ତି। ଗୁଜରାଟ ନେତୃବୃନ୍ଦଙ୍କ ସହ ମୋର ମତାନ୍ତର ରହିଛି। ହେଲେ ଦଳୀୟ ହାଇକମାଣ୍ଡଙ୍କ ଉପରେ ଭରସା ଅଛି।”

Related story