କରୋନା ପାଇଁ ଇସ୍ତଫା ଦେଲେଣି ୮ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ୨୦୨୦ ଭଳି ୨୦୨୧ରେ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ୱେଭରେ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କରୋନା କେବଳ ସାଧାରଣ ଲୋକଙ୍କୁ ନୁହେଁ, ବିଶ୍ୱର ବିଭିନ୍ନ ରାଜନେତାଙ୍କ କ୍ୟାରିୟରକୁ ମଧ୍ୟ ଏହା ପ୍ରଭାବିତ କରିଛି। କରୋନାକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବା ଓ ଲୋକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେଇ ପାରିବାରେ ଭାରତ ଭଳି ଅନେକ ରାଷ୍ଟ୍ର ବିଫଳ ହୋଇଛନ୍ତି। କିଛି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଛୋଟ ଛୋଟ […]

corona

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 04:51 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ୨୦୨୦ ଭଳି ୨୦୨୧ରେ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ୱେଭରେ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କରୋନା କେବଳ ସାଧାରଣ ଲୋକଙ୍କୁ ନୁହେଁ, ବିଶ୍ୱର ବିଭିନ୍ନ ରାଜନେତାଙ୍କ କ୍ୟାରିୟରକୁ ମଧ୍ୟ ଏହା ପ୍ରଭାବିତ କରିଛି।

କରୋନାକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବା ଓ ଲୋକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେଇ ପାରିବାରେ ଭାରତ ଭଳି ଅନେକ ରାଷ୍ଟ୍ର ବିଫଳ ହୋଇଛନ୍ତି। କିଛି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଛୋଟ ଛୋଟ କାରଣ ପାଇଁ ନିଜ ପଦ ଛାଡ଼ି ସାରିଲେଣି। ସେମାନେ କରୋନା ମହାମାରୀ ସୃଷ୍ଟି କରିଥିବା ଭୟାବହତା ପାଇଁ ନିଜର ଅପରାଗତାକୁ ଦାୟୀ କରି ଏଭଳି ପଦକ୍ଷେପ ନେଇଛନ୍ତି।

ବ୍ରାଜିଲରେ କରୋନା ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବାରୁ ଲୋକମାନେ ପ୍ରଧାନମନ୍ତ୍ରୀ ବୋଲସୋନାରଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ତେବେ ଭାରତରେ କରୋନା ସାଂଘାତିକ ରୂପ ଧାରଣ କରିଥିଲେ ହେଁ ଏଥିପାଇଁ କିଏ ଦାୟୀ, ତାହା କେହି କହିପାରୁ ନାହାନ୍ତି। ଆମ ଦେଶରେ ଅକ୍ସିଜେନ ଅଭାବାରୁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ହସ୍ପିଟାଲରେ ନିଆଁ ଲାଗି ଶତାଧିକ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ଏବେ ଟିକାର ଅଭାବ ମଧ୍ୟ ଦେଶରେ ଦେଖାଯାଉଛି। ବିରୋଧୀ ଏହା ଉପରେ ପ୍ରଶ୍ନକଲେ ସେମାନଙ୍କୁ ଶାଗୁଣା କହି ସମାଲୋଚନା କରାଯାଉଛି। 

ଆସନ୍ତୁ ଜାଣିବା କେଉଁ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଇତି ମଧ୍ୟରେ ଇସ୍ତଫା ଦେଇ ସାରିଲେଣି

ଇକ୍ୱେଡର: ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ୩ ସପ୍ତାହ କାର୍ଯ୍ୟ କରିବା ପରେ ରୋଡୋଲଫୋ ଫାରଫନ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଦେଶର ଟିକାକରଣ କାର୍ଯ୍ୟକ୍ରମରେ ପ୍ରିୟାପ୍ରୀତି ତୋଷଣ କରିଥିବା ଅଭିଯୋଗ ଆସିଥିଲା। ଏହି କାରଣରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଜୁଆନ କାର୍ଲୋସ ଜେଭାଲ୍ଲୋସଙ୍କ ସ୍ଥାନରେ ରୋଡୋଲଫୋ କାମ କରୁଥିଲେ। ସେ ଗୋଟିଏ ହସ୍ପିଟାଲକୁ ଯାଇ ଟିକା ନେବାରୁ ବିବାଦ ସୃଷ୍ଟି ହୋଇଥିଲା।

ଅଷ୍ଟ୍ରିଆ: ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେ କରୋନା ପରିସ୍ଥିତି ଯୋଗୁ ୱାର୍କଲୋଡ ଅନୁଭବ କରୁଥିବା କହିଥିଲେ। ତେଣୁ ସ୍ଥିତିକୁ ନିୟନ୍ତ୍ରଣ କରିପାରୁଥିବା ଜଣେ ବ୍ୟକ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହେବା ଉଚିତ ବୋଲି ରୁଡୋଲଫ ଅନସୋଚବେର କହିବା ସହ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଇରାକ: ମହାମାରୀ କରୋନା ପରିସ୍ଥିତି ମଧ୍ୟରେ ଗୋଟିଏ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୮୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ହାସନ ଅଲ ତାମିମ ଇସ୍ତଫା ଦେଇଛନ୍ତି। ଅକ୍ସିଜେନ ଟ୍ୟାଙ୍କର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

ଆର୍ଜେଣ୍ଟିନା: ଚଳିତ ବର୍ଷ ଫେବୃଆରୀ ମାସରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଗିନେସ ଗୋଞ୍ଜାଲେଜ ଗାରସିଆ ଇସ୍ତଫା ଦେଇଛନ୍ତି। ଦେଶର ଟିକାକରଣ କାର୍ଯ୍ୟକ୍ରମରେ ବିଭ୍ରାଟ ଉପୁଜିବାରୁ ସେ ନିଜ ପଦ ଛାଡ଼ିଛନ୍ତି।

ଜୋର୍ଡାନ: ସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ ଲୋକଙ୍କ ଜୀବନ ଯିବାରୁ ନାଜିର ଓବେଇଦାତ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପଦ ଛାଡ଼ିବାକୁ ଦେଶର ପ୍ରଧାନମନ୍ତ୍ରୀ ବିଶେର ଅଲ ଖାସୱାନେହ କହିଥିଲେ। ନାଜିର ଅକ୍ସିଜେନ ସଙ୍କଟ ପାଇଁ ସେ ନିଜେ ଦାୟୀ ବୋଲି କହିଥିଲେ।

ପେରୁ: ସ୍ୱାସ୍ଥ୍ୟମନ୍ତ୍ରୀ ଡା ପିଲାର ମାଜେଟ୍ଟି ଚଳିତ ବର୍ଷ ଫେବୃଆରୀ ମାସରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସାଧାରଣ ଲୋକଙ୍କ ପୂର୍ବରୁ ଦେଶର ପୂର୍ବତନ ରାଷ୍ଟ୍ରପତି ଟିକା ନେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସ୍ଲୋଭାକିଆ: ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବାରୁ ବିରୋଧୀ ଦଳଗୁଡ଼ିକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି କାରଣରୁ ମାର୍କେ କ୍ରାଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମଙ୍ଗୋଲିଆ: ଚିକିତ୍ସା ଅଭାବରୁ ଜଣେ ମା’ ଓ ତାଙ୍କ ନବଜାତ କରୋନାରେ ପ୍ରାଣ ହରାଇବାରୁ ନୈତିକତା ଦୃଷ୍ଟିରୁ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଖୁରେଲୁସୁଖ ଉଖାନ୍ନାଙ୍କ ସହ ପୂରା କ୍ୟାବିନେଟର ସଦସ୍ୟମାନେ ଇସ୍ତଫା ଦେଇଥିଲେ।

୨୦୨୦ରେ ମଧ୍ୟ କରୋନାକୁ ନିୟନ୍ତ୍ରଣ କରିବା ଓ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଥିବାରୁ ନ୍ୟୁଜିଲ୍ୟାଣ୍ଡ, ଚେକଗଣରାଜ୍ୟ ଓ ବ୍ରାଜିଲ ଭଳି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ।

Related story