ରାଜକୋଟ: ଭୋକରେ ପେଟ ଜଳୁଥିଲା। ହେଲେ ଘର ପହଞ୍ଚିଲା ପରେ ଦେଖିଲେ ରୋଷେଇ ହୋଇନି। ଏହା ଦେଖି ତାଙ୍କ ମୁଣ୍ଡରେ ପିତ୍ତ ଚଢ଼ିଗଲା। ରାଗି ଯାଇ ମା’ ଓ ସାନ ଭଉଣୀଙ୍କୁ ଏକ ଦାଆ ଆକ୍ରମଣ କରି ସେମାନଙ୍କ ତଣ୍ଟି କାଟି ଦେଲେ। ଶନିବାର ରାତିରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗୁଜରାଟର ମୋରବିର ଜିକିୟାରି ଗାଁରେ।
ମୃତକଦ୍ୱୟ ହେଲେ କସ୍ତୁର ଭାଟିଆ (୬୫) ଓ ସଙ୍ଗୀତା ଭାଟିଆ (୩୫)। ଅଭିଯୁକ୍ତର ନାଁ ଦେବଶି ଭାଟିଆ (୪୦)।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ରୋଷେଇ କିଏ କରିବ ସେ ନେଇ ଗତକାଲି ଅପରାହ୍ଣରେ କସ୍ତୁର ଓ ସଙ୍ଗୀତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅବିବାହିତ ଦେବଶି ସେମାନଙ୍କୁ ବୁଝାସୁଝା କରିଥିଲେ। ତେବେ ସେମାନେ ନଶୁଣିବାରୁ ଧମକ ବି ଦେଇଥିଲେ। ଝଗଡ଼ା ନ କରି କିଏ ରୋଷେଇ କରିବ, ତାହା ନିଷ୍ପତ୍ତି କରିବାକୁ ଚେତାବନୀ ଦେଇ ସେ ଘରୁ ଚାଲି ଯାଇଥିଲେ। ରାତିରେ ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ରୋଷେଇ ହୋଇନାହିଁ ଏବଂ ତାଙ୍କ ମା’ ଓ ଭଉଣୀ ମଧ୍ୟରେ ଝଗଡ଼ା ମଧ୍ୟ ସରି ନାହିଁ। ଏହା ଦେଖି ସେ ଖୁବ୍ ରାଗି ଯାଇଥିଲେ। ଭୋକରେ ବି ତାଙ୍କ ପେଟ ଜଳୁଥିଲା। ସେ ତାଙ୍କ ମା’ ଓ ଭଉଣୀଙ୍କୁ ଗାଳି କରିବା ସହିତ ଦାଆରେ ଆକ୍ରମଣ କରି ସେମାନଙ୍କ ତଣ୍ଟି କାଟି ଦେଇଥିଲେ।
ମା’ ଓ ଭଉଣୀଙ୍କୁ ମାରି ଦେବା ପରେ ଦେବଶି ନିଜେ ପୁଲିସ୍କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ। ସୂଚନାଯୋଗ୍ୟ, ତାଙ୍କ ଭଉଣୀ କିଛି ବର୍ଷ ହେବ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏଠାରେ ଆସି ରହୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।