ନିର୍ବାଚନ ପୂର୍ବରୁ ବାରମ୍ବାର କାହିଁକି ପରିବର୍ତ୍ତନ ହୁଅନ୍ତି ମୁଖ୍ୟମନ୍ତ୍ରୀ?

ଡେରାଡୁନ: ବିଧାନସଭା ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ। ଇସ୍ତଫା ଦେବା ବେଳେ ଯଦିଓ ସେ ହସ ହସ ମୁହଁରେ ପ୍ରେସ କନଫରେନସ କରିଥିଲେ କିନ୍ତୁ ସେ ମାନସିକ ଭାବରେ କେତେ ଭାରକ୍ରାନ୍ତ ଥିଲେ ତାହା ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନର ଉତ୍ତର ଦେବା ବେଳେ ରାଓ୍ୱତଙ୍କ ମୁହଁରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଥିଲା। ୨୦୧୭ ବିଧାନସଭା ନିର୍ବାଚନ ବେଳେ ବିଜେପି ୭୦ ଆସନରୁ ୫୭ଟି ଆସନରେ ବିଜୟୀ ହୋଇ ରେକର୍ଡ […]

TRIVENDRA SINGH RAWAT

Subhransu Sekhar
  • Published: Tuesday, 09 March 2021
  • , Updated: 10 March 2021, 12:18 AM IST

ଡେରାଡୁନ: ବିଧାନସଭା ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ। ଇସ୍ତଫା ଦେବା ବେଳେ ଯଦିଓ ସେ ହସ ହସ ମୁହଁରେ ପ୍ରେସ କନଫରେନସ କରିଥିଲେ କିନ୍ତୁ ସେ ମାନସିକ ଭାବରେ କେତେ ଭାରକ୍ରାନ୍ତ ଥିଲେ ତାହା ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନର ଉତ୍ତର ଦେବା ବେଳେ ରାଓ୍ୱତଙ୍କ ମୁହଁରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଥିଲା।

୨୦୧୭ ବିଧାନସଭା ନିର୍ବାଚନ ବେଳେ ବିଜେପି ୭୦ ଆସନରୁ ୫୭ଟି ଆସନରେ ବିଜୟୀ ହୋଇ ରେକର୍ଡ କରିଥିଲା। ଯଦି ପୂର୍ବ ଇତିହାସ ଦେଖିବା ତାହାଲେ ପ୍ରଥମ ଥର ପାଇଁ ୨୦୧୭ରେ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିଲା। ହେଲେ ନିଜର କାର୍ଯ୍ୟକାଳ ଅବଧି ଶେଷ ହେବାର ଗୋଟିଏ ବର୍ଷ ପୂର୍ବରୁ ରାଓ୍ୱତ ଇସ୍ତଫା ଦେଇଛନ୍ତି। ୨୦୦୦ ମସିହା ନଭେମ୍ୱର ୯ରେ ଉତ୍ତରପ୍ରଦେଶରୁ ଅଲଗା ହେଇ ଉତ୍ତରାଖଣ୍ଡ ହୋଇଥିଲା। ଏହାରି ଭିତରେ ୨୧ ବର୍ଷ ପୂରଣ ହୋଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ଉତ୍ତରାଖଣ୍ଡରେ କାହିଁକି ବାରମ୍ୱାର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୁଅନ୍ତି? ଯିଏ ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତି ସେ କାହିଁକି କାର୍ଯ୍ୟକାଳ ଶେଷ ହେବା ଯାଏ ଆସନରେ ରହିପାରନ୍ତି ନାହିଁ?

ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ନିତ୍ୟାନନ୍ଦ ସ୍ୱାମୀ। ବିଜେପି ସରକାରରେ ସେ ଶପଥ ନେବାପରେ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଥିଲା। ଆଉ ବର୍ଷେ ବି ମୁଖ୍ୟମନ୍ତ୍ରୀ ଆସନରେ ରହିପାରିନଥିଲେ ନିତ୍ୟାନନ୍ଦ। ଆଉ ୨୦୦୨ରେ ବିଧାନସଭା ନିର୍ବାଚନ ହୋଇଥିଲା। ଆଉ ବିଜେପିର ମଙ୍ଗ ଧରିଥିଲେ ଭାଗବତ ସିଂ କୋଶିଆରୀ। ହେଲେ ​​ବିଜେପି ନିର୍ବାଚନରେ ପରାଜୟ ହୋଇଥିଲା।

୨୦୦୨ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବିଜୟୀ ହେଲା। ଏନଡି ତିୱାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହରିଶ ରାୱତ ସେତେବେଳେ କଂଗ୍ରେସର ଉତ୍ତରାଖଣ୍ଡ ସଭାପତି ଥିଲେ। ରାୱତ ଓ ତିୱାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ। ଆଉ ୫ ବର୍ଷ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେଇଥିଲେ ଏନଡି ତିଓ୍ୱାରୀ।

୨୦୦୭ ବିଧାନସଭା ନିର୍ବାଚନରେ ​​ବିଜେପି କ୍ଷମତାକୁ ଫେରିଥିଲା। ହେଲେ ବିଜେପି ତିନିଥର ମୁଖ୍ୟମନ୍ତ୍ରୀ ଆସନ ବଦଳାଇଥିଲା ଗୋଟିଏ କାର୍ଯ୍ୟକାଳ ପୂରଣ କରିବା ପାଇଁ। ପ୍ରଥମ ମୁଖ୍ୟମନ୍ତ୍ରୀ ଅବସରପ୍ରାପ୍ତ ମେଜର ଜେନେରାଲ ବିସି ଖଣ୍ଡୁରୀ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ​​ରାଜ୍ୟରେ ବିଜେପିର ପ୍ରଦର୍ଶନ ଖରାପ ଥିଲା। ଆଉ ଖଣ୍ଡୁରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଏବେର କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରବର୍ତ୍ତୀ ନିର୍ବାଚନ ଆସିବା ବେଳକୁ ବିଜେପି ନିଶାଙ୍କ ଉପରେ ଆତ୍ମବିଶ୍ୱାସ ହରାଇଥିଲା। ନିର୍ବାଚନ ପୂର୍ବରୁ ଖଣ୍ଡୁରୀଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ତେବେ ୨୦୧୨ ବିଧାନସଭା ନିର୍ବାଚନରେ ​​ଏଭଳି ସ୍ଥିତି ଉପୁଜିଲା ଖଣ୍ଡୁରୀ ନିଜେ ନିଜ ଆସନରୁ ହାରିଗଲେ।

୨୦୧୨ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ପୁଣି ଥରେ ସରକାର ଗଠନ କରିଥିଲା। ବିଜୟ ବହୁଗୁଣା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ ବିଧାୟକ ନଥିଲେ। ବହୁଗୁଣା ଦୁଇ ବର୍ଷ ବି ନିଜ ଆସନରେ ରହି ପାରିଲେ ନାହିଁ। ୨୦୧୩ରେ କେଦାରନାଥରେ ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। ଆଉ ବହୁଗୁଣା ସରକାର ବିପର୍ଯ୍ୟୟ ମୁକାବିଲା କରିବାରେ ବିଫଳ ହୋଇଥିଲେ। ଫଳସ୍ୱରୂପ ବହୁଗୁଣା ଚୌକି ହରାଇଥିଲେ। ଏହା ପରେ ହରିଶ ରାୱତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ କଂଗ୍ରେସରେ ଆରମ୍ଭ ହୋଇଥିଲା କନ୍ଦଳ। ଅନେକ କଂଗ୍ରେସ ନେତା ବିଜେପିରେ ସାମିଲ୍ ହୋଇଥିଲେ। ଦୁଇ ବର୍ଷ ଧରି ମଧ୍ୟ ସିଏମ୍ ଚୌକିରେ ବସିପାରିନଥିଲେ ହରିଶ।

୨୦୧୬ରେ ବିଜୟ ବହୁଗୁଣା ଏବଂ ହରାକ ସିଂ ରାୱତଙ୍କ ଭଳି ପୁରୁଖା କଂଗ୍ରେସ ନେତା ବିଜେପିରେ ସାମିଲ୍ ହୋଇଥିଲେ। ଆଉ ୨୦୧୭ ନିର୍ବାଚନରେ ​​କଂଗ୍ରେସ ହାରିଲା। ବିଜେପି ରେକର୍ଡ ୭୦ଟି ଆସନରୁ ୫୭ଟି ଆସନରେ ବିଜୟୀ ହୋଇ ରେକର୍ଡ କଲା।

Related story