ନୂଆଦିଲ୍ଲୀ: ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି। ଗାଁରେ ମଧ୍ୟ ବୈଜ୍ଞାନିକ ଟେକ୍ନୋଲୋଜି ଜରିଆରେ କୃଷି କାର୍ଯ୍ୟ ହେଉଛି। ଦେଶର ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେକ୍ଟରରୁ କମ୍। ତେଣୁ ସେମାନଙ୍କର ବିକାଶ ପାଇଁ ପିଏମ୍ କିସାନ ଯୋଜନା ଲାଗୁ କରାଯାଇଛି।
ପିଏମ୍ କିଷାନ ଯୋଜନାରେ ୧୦ କୋଟି ଚାଷୀଙ୍କୁ ଦେଢ ଲକ୍ଷ କୋଟି ମିଳିଛି। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି। ଗାଁ ଜମିର ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି। ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା ହୋଇଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି।
ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ ରହିଛି। ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି । ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି । ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମୋବାଇଲ ଫୋନ ଉତ୍ପାଦନରେ ଭାରତ ବହୁତ ସଫଳତା ପାଇଛି। ନିକଟ ଅତୀତରେ ୩ ବିଲିଅନ ସେଲ୍ ଫୋନ୍ ବିଦେଶକୁ ରପ୍ତାନୀ କରାଯାଇଛି। ମେଡ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ସେହିପରି ମୋଦି ନୂଆ ଶିକ୍ଷା ନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତି ଆମକୁ ନୂଆ ଲକ୍ଷ୍ୟ ଦେଇଛି। ମାତୃଭାଷା ଜରିଆରେ ବି ଶିଖରରେ ପହଞ୍ଚିବାର ବ୍ୟବସ୍ଥା ହୋଇଛି। ଭାଷାଗତ ପ୍ରଭେଦ ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ। ଗରିବୀ ପାଇଁ କେହି ବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ଏହା ହିଁ ନୂଆ ଶିକ୍ଷା ନୀତିର ଲକ୍ଷ୍ୟ ରହିଛି। ଖେଳକୁଦରେ ଗରିବ ବର୍ଗର ପିଲାମାନେ ଦେଶକୁ ଗର୍ବିତ କରିଛନ୍ତି ତାହା ପ୍ରମାଣିତ ହୋଇଛି। ଝିଅମାନଙ୍କ ପାଇଁ ସେନାବାହିନୀରେ ପ୍ରବେଶ ଅନୁମତି ମିଳିଛି। ଏଥର ପ୍ରତି ସୈନିକ ସ୍କୁଲରେ ପୁଅଙ୍କ ଭଳି ଝିଅମାନେ ମଧ୍ୟ ପଢ଼ିପାରିବେ। ସେମାନଙ୍କ ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଦେଶରେ ଝିଅମାନଙ୍କ ପାଇଁ ମଧ୍ୟ ସୈନିକ ସ୍କୁଲ ଖୋଲିବ ବୋଲି ମୋଦି କହିଛନ୍ତି।
ଆଜି ୭୫ ତମ ସ୍ୱାଧାନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି। ସ୍ୱାଧୀନତା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବଳିଦାନ ପାଇଁ ବୀର ମହାପୁରୁଷଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ପ୍ରଥମେ ସେ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିଙ୍କୁ ପ୍ରଶଂସା କରିବା ସହ ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ।