ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଯେଉଁ ପ୍ରସଙ୍ଗରେ ସରକାର ଅଧିକ ହଲାପଟା ହେବାର ସମ୍ଭାବନା ରହିଛି ତାହା ହେଉଛି କରୋନା ଜନିତ ବିପର୍ଯ୍ୟୟ। ଆଉ ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଭାରତ କୋଭିଡ ବିରୋଧରେ ଭଲ ମୁକାବିଲା କରୁଛି। ଆଜି ୟୁପିର ରାମପୁର ସ୍ଥିତ ବିଳାଶପୁରରେ ଏକ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନକଭୀ। ଏହି ଅବସରରେ ସେ କୋଭିଡ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି।
ୟୁୁପିରେ ଆଜି ମୋଟ୍ ୬ଟି ଅକ୍ସିଜେନ ପ୍ଲାଣ୍ଟ ବିଭିନ୍ନ ସ୍ଥାନରେ ଉଦଘାଟନ ହୋଇଛି। ଏହି ୬ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତି ଘଣ୍ଟାରେ ୨୦ କ୍ୟୁବିକ୍ ମିଟର ମେଡିକାଲ ଅକ୍ସିଜେନ ତିଆରି କରୁଛି। ସଂଖ୍ୟାଲଘୁ ମନ୍ତ୍ରାଳୟର ଏହି ମନ୍ତ୍ରୀ କହିଛନ୍ତି ଦେଶରେ ଏବେ ସୁଦ୍ଧା ୧୫୦୦ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ହୋଇଛି। ପିଏମ-କେୟାର ଫଣ୍ଡ ଦ୍ୱାରା ଏହି ସମସ୍ତ ଅକ୍ସିଜେନ ପ୍ଲାଣ୍ଟକୁ ସାରା ଦେଶରେ ଲଗାଯାଇଛି ବୋଲି ସେ କହିଛନ୍ତି। ନକଭୀ ଦିନକ ପୂର୍ବରୁ ଏଭଳି ବିବୃତ୍ତି ଦେଇ ବିରେୋଧୀଙ୍କୁ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ଯେ କୋଭିଡ ପ୍ରସଙ୍ଗରେ ସରକାର ଆଦୌ ବ୍ୟାକଫୁଟରେ ରହିବେ ନାହିଁ।
କରୋନାର ଦ୍ୱିତୀୟ ଲହର ବେଳେ ସାରା ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା। ଏପ୍ରିଲ-ମେ ମଧ୍ୟରେ ସାରା ଦେଶରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଅନେକ ଅକ୍ସିଜେନ ନପାଇ ଆଖି ବୁଜି ଦେଇଥିଲେ। ଯାହାକି ସରକାରଙ୍କର ଏକ ବଡ଼ ବିଫଳତା ବୋଲି କୁହାଯାଉଛି। ହେଲେ ସରକାର ଏଯାବତ ଏହି ବିଫଳତାକୁ କିନ୍ତୁ ସ୍ୱୀକାର କରିନାହାନ୍ତି। ଯଦିଓ ଡାକ୍ତର ହର୍ଷ ବର୍ଦ୍ଦନ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଦେଶରେ ଯେତେବେଳେ କୋଭିଡ ମହାମାରୀ ଆସଥିଲା ସେତେବେଳେ ଦେଶରେ ଟେଷ୍ଟ କିଟ୍ ପାଖରୁ ଆରମ୍ଭ କରି ପିପିଇ କିଟ୍, ଏନ୯୫ ମାସ୍କ ଆଦି କିଛି ନଥିଲା। ହେଲେ ବର୍ଷକ ଭିତରେ ଏସବୁର ଅଭାବ ଦୂର ହୋଇଛି। ଭାରତ ନିଜସ୍ୱ ସମ୍ୱଳରେ ଏସବୁ ତିଆରି କରିବାରେ ସକ୍ଷମ ହୋଇଛି। ଏମିତିକି କରୋନା ବାବଦରେ ଅଧିକ ଗବେଷଣା କରିବା ପାଇଁ ସ୍ୱତନ୍ତ୍ର ଲାବରୋଟୋରୀ ତିଆରି ହୋଇଛି ବୋଲି ନକଭୀ କହିଛନ୍ତି। ମୋଦିଙ୍କ ନେତୃତ୍ଵରେ ଭାରତ ଯେଉଁଭଳି ଭାବରେ କରୋନା ମହାମାରୀର ମୁକାବିଲା କରୁଛି ଅନ୍ୟ ଦେଶ ତୁଳନାରେ ବହୁତ ଭଲରେ ରହିଛି ବୋଲି ନକଭୀ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଶ୍ରେୟ ଦେଇଛନ୍ତି।
ଜାନୁଆରୀ ୨୦୨୦ ବେଳେ ଦେଶରେ ପ୍ରତିଦିନ ୯୦୦ ମେଟ୍ରିକ ଟନ ଅକ୍ସିଜେନ ତିଆରି ହେଉଥିଲା। ଏବେ ଏହା କ୍ରମଶଃ ବୃଦ୍ଧି ପାଇ ୯ ହଜାର ମେଟ୍ରିକ ଟନରେ ପହଞ୍ଚିଛି ବୋଲି ସେ କହିଛନ୍ତି। ସେହିପରି କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ପାଖରେ ଦୁଇଟି ଟିକା ରହିଛି। ଉଭୟ ଭାରତରୁ ତିଆରି ହେଉଛି ବୋଲି ସେ କହିଛନ୍ତି। ଏଯାବତ ୪୦ କୋଟି ଲୋକ ଟିକା ନେଇସାରିଥିବା ସେ କହିଛନ୍ତି। ଏବେ ଟିକାକରଣକୁ ଜୋରଦାର କରିବା ପାଇଁ ସାରା ଦେଶରେ ୮୦ ହଜାର ଟିକା କେନ୍ଦ୍ରର ବ୍ୟବସ୍ଥା ହୋଇଛି ବୋଲି ନକଭୀ କହିଛନ୍ତି। ମୋଟ୍ ୨,୬୨୪ଟି କରୋନା ଟେଷ୍ଟିଂ ଲ୍ୟାବ ରହିଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।