ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତରେ କେବଳ ୧୩ ଦିନ ଭିତରେ ୧୦ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ଏହାକୁ ମିଶାଇ ଦେଶରେ ଏବେ ଟିକାକରଣ ସଂଖ୍ୟା ୭୦ କୋଟି ଟପିଛି। ଏଥିମଧ୍ୟରୁ ଏକ ଚତୁର୍ଥାଂଶ ଲୋକେ ଡବଲ୍ ଡୋଜ୍ ନେଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି।
ଅଗଷ୍ଟ ୨୫ ତାରିଖରେ ଦେଶରେ ଟିକାକରଣ ସଂଖ୍ୟା ୬୦ କୋଟିରେ ପହଞ୍ଚିଥିଲା ଏବଂ ଏହାର ୧୩ ଦିନ ପରେ ଏହି ସଂଖ୍ୟା ଏବେ ୭୦ କୋଟି ଅତିକ୍ରମ କରିଛି। ଦେଶରେ ପ୍ରଥମ ୧୦ କୋଟି ଟିକାକରଣ ପାଇଁ ୮୫ ଦିନ ସମୟ ଲାଗିଥିଲା। ଏହା ପରେ ୧୦ରୁ ୨୦ କୋଟି ଟିକାକରଣ ପାଇଁ ୪୫ ଦିନ, ପୁଣି ୩୦ କୋଟି ଟିକାକରଣ ପାଇଁ ୨୯ ଦିନ ସମୟ ଲାଗିଥିଲା। ୩୦ରୁ ୪୦ କୋଟି ପାଇଁ ୨୪ ଦିନ, ୪୦ରୁ ୫୦ କୋଟି ପହଞ୍ଚିବା ପାଇଁ ୨୦ ଦିନ, ୫୦ରୁ ୬୦ କୋଟି ପାଇଁ ୧୯ ଦିନ ସମୟ ଲାଗିଥିଲା। କିନ୍ତୁ ଏହା ପରେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହୋଇଥିଲା ଏବଂ ମାତ୍ର ୧୩ ଦିନ ଭିତରେ ହିଁ ୬୦ରୁ ୭୦ କୋଟି ଲୋକଙ୍କ ପାଖରେ ଟିକା ପହଞ୍ଚିଯାଇଛି।
https://twitter.com/mansukhmandviya/status/1435131289355489282?s=20
ଦେଶରେ ଏବେ ଗୋଟିଏ ଦିନରେ ୧ କୋଟି ଲୋକଙ୍କୁ ଟିକା ଦେବା ସାଧାରଣ କଥା ହୋଇଛି। ସୋମବାର ସମଗ୍ର ଦେଶରେ ୧ କୋଟିରୁ ଅଧିକ ଟିକାକରଣ ହୋଇଛି। ଅଗଷ୍ଟ ୨୭ ତାରିଖରେ ପ୍ରଥମଥର ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ଅଗଷ୍ଟ ୩୧ ତାରିଖରେ ୧.୪୧ କୋଟିରୁ ଅଧିକ ଏବଂ ସୋମବାର ୧.୧୩ ଲୋକଙ୍କୁ ଟିକା ଲଗାଯାଇଛି। ଆଗାମୀ ଦିନରେ ଟିକାର ରତ୍ପାନୀ ବଢ଼ିବାରେ ଟିକାକରଣ ଅଭିଯାନ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।