ଅହମ୍ମଦାବାଦ: ଗୁଜରାଟରେ ଅବତରଣ କଲା କାବୁଲରୁ ଆସୁଥିବା ବିମାନ। ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ। ଭାରତୀୟ ଦୂତବାସ କର୍ମଚାରୀଙ୍କ ସମେତ ୧୨୦ ଜଣ ଭାରତୀୟ ଗୁଜୁରାଟର ଜାମନଗର ବିମାନବନ୍ଦରରେ ପହଁଞ୍ଚିଛନ୍ତି।
ତାଲିବାନର ବର୍ବରତାକୁ ଦୃଷ୍ଟିରେ ରଖି ଏବେ ଆଫଗାନବାସୀ ଭୟରେ ଦେଶ ଛାଡୁଛନ୍ତି। ଏହାରି ଭିତରେ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଭାରତୀୟ ବାୟୁସେନା ସ୍ୱଦେଶ ଫେରାଇ ଆଣିଛି। ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ 'ଭାରତ ମାତା କି ଜୟ' ନାରା ଲଗାଇଛନ୍ତି।
ଭାରତୀୟ ବାୟୁ ସେନା ବିମାନ ସି-୧୭ ଗ୍ଲୋବମାଷ୍ଟର କାବୁଲରେ ପହଁଞ୍ଚି ଆଜି ସକାଳୁ ଦୂତବାସ କର୍ମଚାରୀ ଓ ଭାରତୀୟ ନାଗରିକଙ୍କୁ ନେଇ କାବୁଲରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ଭାରତୀୟ ଦୂତାବାସୀ ସମସ୍ତ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଅଣାଯାଇଛି। ଆଜି ଦିନ ୧୧ଟା ୪୫ରେ ବିମାନଟି ଗୁଜୁରାଟ ଜାମନଗରରେ ପହଞ୍ଚିଛି।
ସୂଚନା ମୁତାବକ କାବୁଲକୁ ତାଲିବାନ କବ୍ଜା କରିବା ପରେ ସେଠାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ଦେଖି ସୋମବାର ସେଠାରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରାଯାଇଥିଲା। ଭାରତୀୟ ଅଧିକାରୀ ଏବେ ସ୍ୱଦେଶ ଫେରିବା ପରେ ଆଫଗାନ୍ କର୍ମଚାରୀ କାର୍ଯ୍ୟାଳୟ ଦାୟିତ୍ୱ ସମ୍ଭାଳିବେ ବୋଲି ସୂଚନା ରହିଛି।
https://twitter.com/ANI/status/1427517794380394533?s=20