ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରଣ ହୋଇଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଏହି ୭୮ ବର୍ଷୀୟ ଲିଙ୍ଗାୟତ ନେତା ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ, ସେ ନିଷ୍ପତ୍ତି ଆଜି ଘୋଷଣା କରିପାରେ ବିଜେପି। ଦଳର କେନ୍ଦ୍ରୀୟ ନେତାମାନେ ଏବେ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବେ ୭/୮ ଜଣ ନେତାଙ୍କ ନାମକୁ ନେଇ ବିଚାରବିମର୍ଶ କରୁଥିବା ସୂଚନା ରହିଛି।
ଅନ୍ୟପକ୍ଷରେ ରାଜ୍ୟର ଲିଙ୍ଗାୟତ ବର୍ଗ ଏହାକୁ ନେଇ ଅସନ୍ତୋଷ ଥିବା ଜଣାପଡ଼ିଛି। ତେଣୁ ବିଜେପି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ମଧ୍ୟ ଆଗାମୀ ଦିନରେ ତାଙ୍କୁ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସହିତ ତାଙ୍କର ଦୁଇ ପୁଅଙ୍କୁ ଉଚିତ ପଦପଦବୀରେ ରଖି ଲିଙ୍ଗାୟତ ବର୍ଗକୁ ଖୁସି ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଦଳ ୟେଦ୍ୟୁରପ୍ପାଙ୍କ ସମର୍ଥକମାନଙ୍କୁ ବି ନିରାଶ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି।
ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ସଭାପତି ଜେ.ପି ନଡ୍ଡା ରାଜନୀତିକ ସଙ୍କଟକୁ ଏଡ଼ାଇ କହିଛନ୍ତି ଯେ ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଭଲ କାମ କରିଛନ୍ତି। ସେହିଭଳି ଶନିବାର ୟେଦ୍ୟୁରପ୍ପା କହିଥିଲେ ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିବ, ତା’ହେଲେ ସେ ଆଗାମୀ ୧୦-୧୫ ବର୍ଷ ପାଇଁ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବାରେ ଲାଗି ପଡ଼ିବେ। ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସନ୍ତୁଷ୍ଟ ହେବେ ଏବଂ ଅନୁଶାସନ ସୀମା ଅତିକ୍ରମ କରିବେ ନାହିଁ।
ସେ ଆହୁରି କହିଥିଲେ,"ମୁଁ ଦଳର ଅଧିକାଂଶ ପଦବୀ ପାଇଛି, ଯାହା ବୋଧହୁଏ କର୍ଣ୍ଣାଟକର ଅନ୍ୟ କେହି ନେତା ପାଇ ନାହାଁନ୍ତି। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।