ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍ ମହାମାରୀ କେବେ ନିପାତ ହେବ, ତାହା କାହାକୁ ଜଣାନାହିଁ। ସମଗ୍ର ଦୁନିଆର ବୈଜ୍ଞାନିକମାନେ ଏହି ମହାମାରୀକୁ ରୋକିବା ପାଇଁ ମେଡିସିନ୍ ବାହାର କରିବାରେ ଦିନରାତି ଲାଗି ପଡ଼ିଛନ୍ତି। କରୋନା କବଳରୁ ରକ୍ଷା ପାଇବା ଏପର୍ଯ୍ୟନ୍ତ ଭ୍ୟାକସିନ୍ ଉପରେ ହିଁ ସମସ୍ତେ ନିର୍ଭରଶୀଳ। ଭ୍ୟାକସିନ୍ ନେବାର ବୟସସୀମା ଏବଂ ଦୁଇ ଭ୍ୟାକସିନ୍ ମଧ୍ୟରେ କେବେ ବ୍ୟବଧାନ ହେବା ଦରକାର, ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନ ଭିତରେ ଘୁରି ବୁଲୁଛି। ଏହାରି ଭିତରେ ଭ୍ୟାକସିନ ନେବାର ସମୟକୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ଭ୍ୟାକସିନ୍ କେଉଁ ସମୟରେ ନେଲେ ଅଧିକ ପ୍ରଭାବଶାଳୀ ହେବ, ତାକୁ ନେଇ ଏହି ନୂଆ ଅଧ୍ୟୟନରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।
ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର (ଏମଜିଏଚ୍) ଡାକ୍ତରଙ୍କ ଦ୍ୱାରା ଏହି ନୂଆ ଅଧ୍ୟୟନ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ କରୋନାର ଭ୍ୟାକସିନ୍ ଯଦି ସକାଳ ବଦଳରେ ଅପରାହ୍ଣରେ ନିଆଯିବ, ତାହେଲେ ଏହା ଅଧିକ ହିତକର ବା ପ୍ରଭାବଶାଳୀ ହେବ। କାରଣ ଅପରାହ୍ଣରେ ମଣିଷ ଶରୀରରେ ଆଣ୍ଟିବଡିର ମାତ୍ରା ଅଧିକ ରହିଥାଏ। ବାୟୋଲୋଜି ରିଦମ ମାଗାଜିନରେ ଏହି ଷ୍ଟଡିର ଫଳାଫଳ ପ୍ରକାଶିତ ହୋଇଛି। ଏହି ଷ୍ଟଡି ମୁତାବକ, ୨୪ ଘଣ୍ଟାରେ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ। ଏଥିରେ ସଂକ୍ରାମକ ରୋଗ ବିରୋଧରେ ପ୍ରତିକ୍ରିୟା ଓ ଟିକାକରଣ ଆଦି ସାମିଲ୍ ଅଛି।
ଏମଜିଏଚରେ ନ୍ୟୁରୋଫିଜିଓଲୋଜି ବିଭାଗର ଡାକ୍ତର ଏଲିଜାବେଥ ବି. କ୍ଲରମ୍ୟାନ୍ କହିଛନ୍ତି ଯେ ଆମେ ଅବଜରଭେସନାଲ୍ ଷ୍ଟଡି କରିଛୁ, ସେଥିରେ ପ୍ରମାଣିତ ହୋଇଛି ଯେ ଦିନବେଳା ଅଲଗା ଅଲଗା ସମୟରେ କୋଭିଡ୍-୧୯ ଭ୍ୟାକସିନର ପ୍ରତିକ୍ରିୟା ଭିନ୍ନ ହୋଇଥାଏ। ଏହି ଷ୍ଟଡି ଭ୍ୟାକସିନର ପ୍ରଭାବକୁ ନିର୍ଦ୍ଧାରଣ କରିବାରେ ସହାୟକ ହୋଇପାରେ।
ଏହି ଷ୍ଟଡି ମୁତାବକ, ଦିନବେଳା ଅନେକ ରୋଗର ଲକ୍ଷଣ ଓ ମେଡିସିନର ସାଇଡ୍ ଇଫେକ୍ଟ ଭିନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତଙ୍କୁ ଦିନ ବେଳା କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଅଧିକ ସମସ୍ୟା ହୋଇଥାଏ। ଭ୍ୟାକସିନ୍ ନେଇଥିବା କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁମାନେ ଅପରାହ୍ଣ ତୁଳନାରେ ସକାଳେ ଟିକା ନେଇଛନ୍ତି, ସେମାନଙ୍କ ଶରୀରରେ ଆଣ୍ଟିବଡିର ମାତ୍ରା ଅପେକ୍ଷାକୃତ କମ୍ ରହିଛି। ନିକଟରେ ବ୍ରିଟେନର ୨୧୯୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ କୋଭିଡ୍ ଟିକାକରଣର ପରୀକ୍ଷଣ କରାଯାଇଥିଲା। ଏଥିରେ ଜଣାପଡ଼ିଛି ଯେ କେମୋଥେରାପି ମଧ୍ୟ ଦିନବେଳା କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଅଧିକ ପ୍ରଭାବଶାଳୀ ରହିଥାଏ।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ପ୍ରବେଶ କରିସାରିଛି। ଏହାରି ଭିତରେ ସମଗ୍ର ଦୁନିଆରେ କରୋନା ଭାଇରସର ବୁଷ୍ଟର ଡୋଜକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଓମିକ୍ରନ ବିପଦକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ୍ ସମେତ କିଛି ଦେଶରେ ବୁଷ୍ଟର ଡୋଜ୍ ଲଗାଇବା ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ ଭାରତରେ ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।