ଜେଲରେ ସୁକେଶର କଳା କାରନାମା, ଜାମିନ ଆଳରେ ଠକିଥିଲା ୨୦୦ କୋଟି

ନୂଆଦିଲ୍ଲୀ: ତିହାର ଜେଲରେ ରହି ବି ଠକ ସୁକେଶ ଚନ୍ଦ୍ରଶେଖର ବେଧଡ଼କ ମୋବାଇଲ ବ୍ୟବହାର କରୁଥିଲା। ସେ ନିଜକୁ କେତେବେଳେ ସରକାରୀ ଅଧିକାରୀର ପରିଚୟ ଦେଉଥିଲା ତ ଆଉ କେତେବେଳେ ମନ୍ତ୍ରୀଙ୍କ ସହଯୋଗୀ ଓ ସୁପ୍ରିମକୋର୍ଟ ବିଚାରପତି ବୋଲି କହି ସାଧାରଣ ଲୋକଙ୍କୁ ଠକୁଥିଲା। ସେ ଫୋନ୍‌ରେ ଡିଲ୍‌ କରିବା ପରେ ତା’ର ଜଣେ ମହଳା ସହଯୋଗୀ ଟଙ୍କା ସଂଗ୍ରହ କରୁଥିଲେ। ଏହି ଠକାମୀ ଟଙ୍କାରେ ସେମାନେ ଚେନ୍ନାଇରେ ଆଭିଜାତ୍ୟ ସମ୍ପନ୍ନ ସି’ ଫେସିଂ ବଙ୍ଗଳା ସହ […]

Sukesh

Hemant Lenka
  • Published: Tuesday, 31 August 2021
  • , Updated: 31 August 2021, 08:34 PM IST

ନୂଆଦିଲ୍ଲୀ: ତିହାର ଜେଲରେ ରହି ବି ଠକ ସୁକେଶ ଚନ୍ଦ୍ରଶେଖର ବେଧଡ଼କ ମୋବାଇଲ ବ୍ୟବହାର କରୁଥିଲା। ସେ ନିଜକୁ କେତେବେଳେ ସରକାରୀ ଅଧିକାରୀର ପରିଚୟ ଦେଉଥିଲା ତ ଆଉ କେତେବେଳେ ମନ୍ତ୍ରୀଙ୍କ ସହଯୋଗୀ ଓ ସୁପ୍ରିମକୋର୍ଟ ବିଚାରପତି ବୋଲି କହି ସାଧାରଣ ଲୋକଙ୍କୁ ଠକୁଥିଲା।

ସେ ଫୋନ୍‌ରେ ଡିଲ୍‌ କରିବା ପରେ ତା’ର ଜଣେ ମହଳା ସହଯୋଗୀ ଟଙ୍କା ସଂଗ୍ରହ କରୁଥିଲେ। ଏହି ଠକାମୀ ଟଙ୍କାରେ ସେମାନେ ଚେନ୍ନାଇରେ ଆଭିଜାତ୍ୟ ସମ୍ପନ୍ନ ସି’ ଫେସିଂ ବଙ୍ଗଳା ସହ ବଡ଼ବଡ଼ ଗାଡ଼ି କିଣି ଚାଲିଥିଲେ।

ସୁକେଶ ଚନ୍ଦ୍ରଶେଖର କଳା କାରନାମ ବିଷୟରେ ତଦନ୍ତକାରୀ ସଂସ୍ଥା ଦୁଇ ଜଣ ଅଭିନେତ୍ରୀଙ୍କୁ ଜେରା କରିବା ପରେ ଅଧିକ ତଥ୍ୟ ହାସଲ କରିଛି। ଜେରା ହୋଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜ୍ୟାକଲିନ ପର୍ଣ୍ଣାଡିଜ୍‌ ରହିଛନ୍ତି। ସେହିପରି ଆଉ ଜଣେ ହେଉଛନ୍ତି ଲୀନା ମାରିଆ ପଲ୍‌।

ସିବିଆଇ, ଇଡି ଓ ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ସୁକେଶ ଓ ଲୀନାଙ୍କ ନାଁରେ ୨୩ରୁ ଅଧିକ ମାମଲା ରହିଛି। ଜ୍ୟାକଲିନ ଏହି ଠକେଇରେ ସିଧାସଳଖ ସାମିଲ ନଥିଲେ ମଧ୍ୟ ସେ ଲୀନାଙ୍କ ସହଯୋଗୀ। ତେଣୁ ତାଙ୍କୁ ମଧ୍ୟ ଇଡି ଘନଘନ ଜେରା କରିଥିଲା।

ଚେନ୍ନାଇ ସୁକେଶ କିଣିଥିବା ବଙ୍ଗଳାର ଦାମ ୨୦୦ କୋଟି ଟଙ୍କା। ଏହି ଅର୍ଥ ସୁକେଶ ରାନବାକ୍ସୀ ମାଲିକ ମାଲବିନ୍ଦର ଓ ଶିବିନ୍ଦର ସିଂହଙ୍କ ପତ୍ନୀମାନଙ୍କ ଠାରୁ ନେଇଥିଲା। ମାଲବିନ୍ଦର ଓ ଶିବିନ୍ଦରଙ୍କୁ ଜାମିନ ମିଳିବାର ଆଳ ଦେଖାଇ ସୁକେଶ ଏପରି ଅର୍ଥ ହଡ଼ପ କରିଥିଲା।

ପୁଲିସ୍‌ କହିଛି, ସୁକେଶ ଓ ଲୀନା ନିଜକୁ ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚୟ ଦେଇଥିଲେ। ଏହାପରେ ମାଲବିନ୍ଦର ଓ ଶିବିନ୍ଦରଙ୍କ ପତ୍ନୀମାନଙ୍କ ପାଖରେ ନିଜକୁ ସୁହାଇଲା ଭଳି ତଥ୍ୟ ଉପସ୍ଥାପନ କରିଥିଲେ। ମାଲବିନ୍ଦର ଓ ଶିବିନ୍ଦର ଜାମିନ ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଉଭୟ ସେମାନଙ୍କ ପତ୍ନୀମାନଙ୍କ ଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିଲେ। ଶିବିନ୍ଦରଙ୍କ ସିଂହଙ୍କ ପତ୍ନୀ ଆଦିତି ରୁଜୁ କରିଥିବା ଏଫଆଇଆର୍ରେ ମଧ୍ୟ ଏପରି ଅଭିଯୋଗ ରହିଛି।

ଚେନ୍ନାଇରେ ଥିବା ବଙ୍ଗଳାର ଲିଭିଂ ରୁମ୍‌ରେ ମର୍ସିଡିଜ୍‌ ବେଞ୍ଜ ୩୦୦ ଏସଏଲ୍‌ଆର୍‌ର ଗୋଟିଏ ରେସିଂ କାର୍‌ ରହିଥିଲା। ଏହାବାଦ୍‌ ଅନେକ ଦାମୀ କାର୍‌ ମଧ୍ୟ ବଙ୍ଗଳାରୁ ଠାବ ହୋଇଛି। ଇଡି ସୁକେଶଙ୍କ ବିରୋଧରେ ତଦନ୍ତ କରି ଏଯାଏ ୨୦ କୋଟି ଟଙ୍କାର ସାମଗ୍ରୀ ଜବତ କରି ସାରିଛି। ଅନେକ ନାମଦାମୀ ବ୍ରାଣ୍ଡର ପୋଷାକ, ଜୋତା ଓ ଘଣ୍ଟା ମଧ୍ୟ ଜବତ ହୋଇଛି।

୨୦୧୭ରୁ ସୁକେଶ ଜେଲ୍‌ରେ ଥିଲେ ମଧ୍ୟ ନିଜର ବ୍ୟବସାୟ ଜାରି ରଖିଛି। ଦୁବାଇରେ ରହୁଥିବା ଲୀନାଙ୍କ ପରିବାର ଲୋକଙ୍କ ଜରିଆରେ ଆର୍ଥିକ କାରବାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୦୫ରେ ସୁକେଶ ୧୭ ବର୍ଷର ହୋଇଥିବା ବେଳେ ପ୍ରଥମେ ଗିରଫ ହୋଇଥିଲା। ସେ ଏହି ସମୟରେ ବେଙ୍ଗାଲୁରୁରେ ରହୁଥିବା ଦମ୍ପତିଙ୍କୁ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପୁଅଙ୍କ ବନ୍ଧୁର ପରିଚୟ ଦେଇ ୧.୧୪ କୋଟି ଟଙ୍କା ଠକେଇ କରିଥିଲା। ୨୦୧୩ରେ ଚେନ୍ନାଇ କାନାରା ବ୍ୟାଙ୍କ ସହ ଜଡ଼ିତ ୧୯ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଓ ଲୀନା ଗିରଫ ହୋଇଥିଲେ।

ଗତବର୍ଷ ସୁକେଶ ନାଁରେ ସିବିଆଇ ମାମଲା କରିଥିଲା। ସେ ନିଜକୁ ସିବିଆଇର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ୬୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିବା ଟିଡିପି ସାଂସଦ ସମ୍ବାଶିବ ରାଓଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। ଏଥିପାଇଁ ସିବିଆଇ ମାମଲା କରିଥିଲା।

ତଦନ୍ତ ବେଳେ ଏଆଇଏଡିଏମକେ ପୂର୍ବତନ ମୁଖ୍ୟ ଭିକେ ଶଶିକଳାଙ୍କ ପରିବାର ଲୋକଙ୍କ ଆଗରେ ସୁକେଶ ନିଜକୁ ସୁପ୍ରିମକୋର୍ଟର ଜଜ୍ ଭାବେ ପରିଚୟ ଦେଇ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏବେ ବି ତଦନ୍ତ ଜାରି ରହିଥିବାରୁ ଆଗକୁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Related story