ନୂଆଦିଲ୍ଲୀ: ଜେଡିୟୁ ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶଓ୍ୱାହା କହିଛନ୍ତି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ଭଳି ଜଣେ ନେତା। ପିଏମ ହେବା ପାଇଁ ଜଣେ ନେତା ପାଖରେ ଯେଉଁସବୁ ଦକ୍ଷତା ରହିବା କଥା ସମାନ ଦକ୍ଷତା ନୀତୀଶଙ୍କ ପାଖରେ ରହିଛି। ରବିବାର ଦଳର ସଂସଦୀୟ ବୋର୍ଡ ବୈଠକରେ ଉପେନ୍ଦ୍ର ଏହା କହିଛନ୍ତି।
ଉପେନ୍ଦ୍ରଙ୍କ ଏହି ରାଜନୀତିକ ବୟାନ ପରେ ବିହାର ରାଜନୀତି ସରଗରମ ରହିଛି। କାରଣ ବିହାରରେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନାକୁ ନେଇ ବିରୋଧୀ ଆରଜେଡି ଓ ଜେଡିୟୁର ଆଭିମୁଖ୍ୟ ସମାନ ରହିଛି। ଯାହାକି ଶାସକ ଦଳରେ ଥିବା ପ୍ରମୁଖ ଦଳ ବିଜେପିର ଆଭିମୁଖ୍ୟରୁ ଭିନ୍ନ। ତେଣୁ ବିହାରରେ ଆଗାମୀ ଦିନରେ ନୀତୀଶ ଓ ଲାଲୁ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଉପେନ୍ଦ୍ରଙ୍କ ଏପରି ମନ୍ତବ୍ୟ ବିଜେପି ପାଇଁ ଚିନ୍ତାଜନକ ପାଲଟିଛି।
ଉପେନ୍ଦ୍ର କହିଛନ୍ତି, ମୋଦି ଦେଶରେ ପ୍ରଧାନମନ୍ତ୍ରୀ। ଦେଶବାସୀଙ୍କୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଇଛନ୍ତି। ଏବେ ସେ ଭଲ କାମ କରୁଛନ୍ତି। ହେଲେ ତାଙ୍କ ବ୍ୟତୀତ ଦେଶରେ ଆହୁରି ନେତା ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ତାଙ୍କ ପାଖରେ ସେ ଦକ୍ଷତା ରହିଛି। ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ପଦକୁ ଚ୍ୟାଲେଞ୍ଜ କରିବାକୁ ମୁଁ କହୁ ନାହିଁ, ଆମେ ତାଙ୍କ ସହ ଗୋଟିଏ ମଞ୍ଚରେ ରହିଛୁ। କିନ୍ତୁ ତାଙ୍କ ବ୍ୟତୀତ ଅନେକ ଲୋକ ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ସକ୍ଷମ। ସେଥିମଧ୍ୟରେ ନୀତୀଶ କୁମାର ଅନ୍ୟତମ।
ଅନ୍ୟପକ୍ଷରେ ଜାତି ଜନଗଣନା ସମ୍ପର୍କରେ ଉପେନ୍ଦ୍ର କହିଛନ୍ତି ଯେ ‘ଜାତିସଂଘ ଜନଗଣନା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ସଂସଦରେ କହିଛନ୍ତି। ଦେଶରେ ଏହାର ଆବଶ୍ୟକତା ଅଛି, ଜନଗଣନା କରାଯିବା ଉଚିତ୍। ଜାତି ଜନଗଣନାରେ ତେଜସ୍ୱୀଙ୍କ ସମେତ ଯିଏ ଆସିବାକୁ ଚାହୁଁଛନ୍ତି, ସେ ଏକାଠି ହେବା ଉଚିତ୍’। ଯାହାକି ବିଜେପି ବିରୋଧ କରୁଛି।
ସୂଚନାଯୋଗ୍ୟ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଅଣ ବିଜେପି ଦଳକୁ ଏକଜୁଟି କରି ଶାସକ ବିଜେପିର ବିରୋଧୀ ମଞ୍ଚକୁ ମଜବୁତ କରିବାକୁ ଯୋଜନା କରୁଛନ୍ତି। ଏହି ବିରୋଧୀ ଦଳ ମଧ୍ୟରୁ କିଛି ଦଳର ମତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ମଞ୍ଚରେ ସାମିଲ୍ ହେଲେ ଠିକ୍ ହେବ। ତେଣୁ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଜେଡିୟୁକୁ ଅଲଗା କରିବାକୁ ବିରୋଧୀ ଦଳ ନୀତୀଶଙ୍କୁ ମନାଇବାକୁ ଯୋଜନା କରୁଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।