ନୂଆଦିଲ୍ଲୀ: କିଏ ହେବ କଂଗ୍ରେସ ଅଧ୍ୟକ୍ଷ। ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପଡିବ ଭୋଟ। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ମୈଦାନରେ ଦୁଇ ହାଇପ୍ରୋଫାଇଲ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଅଛନ୍ତି।
୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ନିର୍ବାଚନ ଜରିଆରେ ସଭାପତିଙ୍କୁ ବାଛିବେ। ଏଥିପାଇଁ ଦିଲ୍ଲୀ ହେଡକ୍ୱାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୩୬ଟି ମତଦାନ କେନ୍ଦ୍ର ଓ ୬୭ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି।
ସୋନିଆ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ଭୋଟ ଦେବେ। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି କର୍ଣ୍ଣାଟକର ସାଙ୍ଗନକଲୁରେ ଭୋଟ୍ ଦେବେ। ରାଜ୍ୟ କଂଗ୍ରେସ ମୁଖ୍ୟ, ଦଳର ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭୋଟ ଗ୍ରହଣରେ ସାମିଲ ହେବେ ସେମାନେ ନିଜ ରାଜ୍ୟ କିମ୍ବା ଦିଲ୍ଲୀ ହେଡକ୍ୱାର୍ଟରରେ ଭୋଟ୍ ଦେଇପାରିବେ।
ପ୍ରଥମ ଥର ପାଇଁ ସିଇଏ ଦ୍ୱାରା ପ୍ରତିନିଧିମାନଙ୍କୁ ଏକ କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି। ଯେଉଁମାନଙ୍କ ପାଖରେ ଏହି କାର୍ଡ ଅଛି ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଦଳ ପ୍ରାୟ ୬ କୋଟି ନୂଆ ସଦସ୍ୟଙ୍କ ପଞ୍ଜୀକରଣ କରିଛି। କଂଗ୍ରେସ ଡାଟା ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି ୧୪୦ ବର୍ଷରେ ପ୍ରଥମ ଥର ପାଇଁ ଏପରି କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ସ୍ୱଚ୍ଛତା ରକ୍ଷାରେ ଏହା ସାହାଯ୍ୟ କରିବ।
ଆଜି ଭୋଟିଂ ପରେ ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ।