ଚଣ୍ଡିଗଡ଼: ଲବ ସିଂହ ୟୁଗୋକ। ଗତକାଲି ପର୍ଯ୍ୟନ୍ତ ତାଙ୍କ ପରିଚିତି କେବଳ ତାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ଥିଲା କହିଲେ ଭୁଲ୍ ହେବ ନାହିଁ। କିନ୍ତୁ ଗତକାଲି ଠାରୁ ସେ ସାରା ଦେଶରେ ପାଲିଟି ଯାଇଛନ୍ତି ଏକ ଚର୍ଚ୍ଚିତ ଚେହେରା। ଆଉ ଏହା ସମ୍ଭବ ହୋଇଛି ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କର ଜିତାପଟ ପରେ। ଅନ୍ୟ କେହି ନୁହଁନ୍ତି, ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଲବ ସିଂହ ୟୁଗୋକ ଆମ୍ ଆଦ୍ମୀ ପାର୍ଟି ଟିକେଟ୍ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବେଳେ ଲୋକେ କହୁଛନ୍ତି ସତରେ ଏହା ‘ଆମ୍ ଆଦ୍ମୀ’ (ସାଧାରଣ ନାଗରିକ)ର ବିଜୟ।
ଲବଙ୍କ ବୟସ ୩୫ ବର୍ଷ। ସେ ଏକ ଗରିବ ପରିବାରରୁ ଆସିଛନ୍ତି। ତାଙ୍କ ଘର ବର୍ନାଲା ଜିଲ୍ଲାର ୟୁଗୋକ ଗାଁରେ। ଦୁଇଟି ବଖରା ଥିବା ଘରେ ସେ ତାଙ୍କ ପରିବାର ଲୋକଙ୍କ ସହିତ ରହନ୍ତି। ତାଙ୍କ ବାପା ଜଣେ ଡ୍ରାଇଭର। ଲବ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତା’ପରେ ମୋବାଇଲ୍ ଫୋନ୍ ମରାମତି କାମ ପାଇଁ ପ୍ରଶିକ୍ଷଣ ନେଇଥିଲେ। ଗାଁରେ ତାଙ୍କର ଏକ ଛୋଟିଆ ମୋବାଇଲ୍ ଫୋନ୍ ମରାମତି ଦୋକାନ ଅଛି। ଲବ୍ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୫ ହଜାର ଟଙ୍କା ଅଛି। ଏହା ସହିତ ଏକ ୮ ବର୍ଷର ଦୁଇ ଚକିଆ ଯାନ ଅଛି। ମୋଟାମୋଟି ଭାବେ ଏହା ହେଉଛି ତାଙ୍କର ସଂପତ୍ତି। ଚଳିତ ନିର୍ବାଚନରେ ସେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍ ଓ ନିଜ ବାଇକ୍ରେ ବୁଲି ବୁଲି ନିଜ ପାଇଁ ପ୍ରଚାର କରିଥିଲେ।
ଲବ ସିଂହ ୟୁଗୋକ ଭଦୌର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଉ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି (ପରାସ୍ତ ହେବା ପରେ ଆଜି ସେ ଇସ୍ତଫା ଦେଇଛନ୍ତି)। ୨୦୧୭ରେ ମଧ୍ୟ ଲବ ଏହି ଆସନରୁ ଆପ୍ର ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। କିନ୍ତୁ ଆପ୍ ଏଠାରୁ ପିରମଲ ସିଂହ ଧୌଲାଙ୍କୁ ପ୍ରାର୍ଥୀ କରିଥିଲା। ସେ ବିଜୟୀ ବି ହୋଇଥିଲେ। ଗତଥର ନିରାଶ ହୋଇଥିବା ଲବ ଏଥର ଏଠାରୁ ପାର୍ଟି ଟିକେଟ୍ ପାଇଲେ ଓ ତା’ ସହିତ ଲୋକଙ୍କ ଭୋଟ୍ ବି ପାଇଲେ। ସେ ଭଦୌର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରିୟ ଥିଲେ। ସେ ଏଠାରେ ଦଳର ବ୍ଳକ୍ ଇନ୍ଚାର୍ଜ, ସର୍କଲ ଇନ୍ଚାର୍ଜ ଓ ନିର୍ବାଚନ ମଣ୍ଡଳୀ ଇନ୍ଚାର୍ଜ ଭାବେ କାର୍ଯ୍ୟ କରିଥିଲେ।
[caption id="attachment_719664" align="aligncenter" width="650"]
ଲବ ନିଜକୁ ଲୋକଙ୍କ ନିକଟରେ ଠିକ୍ ଭାବେ ଉପସ୍ଥାପିତ କରିପାରିଥିଲେ। ସେ ନିଜକୁ ଜଣେ ସାଧାରଣ ନାଗରିକ ଭାବେ ଉପସ୍ଥାପିତ କରିଥିବା ବେଳେ ଚରଣଜିତ୍ ସିଂହ ଚନ୍ନି ଜଣେ କୋଟିପତି ଓ ବିଫଳ ନେତା ବୋଲି ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲେ। ଚନ୍ନି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ କିଛି ଉନ୍ନୟନମୂଳକ କାର୍ଯ୍ୟ କରି ନଥିବା ଲବ ଲୋକଙ୍କୁ କହିଥିଲେ।
ଚନ୍ନିଙ୍କ ଭଳି ହାଇ-ପ୍ରୋଫାଇଲ୍ ପ୍ରାର୍ଥୀଙ୍କୁ ଲବ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି। ଲବଙ୍କୁ ୬୩ ହଜାର ୯୬୭ ଖଣ୍ଡ ଭୋଟ୍ ମିଳିଥିଲା। ଅନ୍ୟପକ୍ଷରେ ଚନ୍ନି ମାତ୍ର ୨୬ ହଜାର ୪୦୯ ଖଣ୍ଡ ଭୋଟ୍ ପାଇଥିଲେ। ୩୭,୫୫୮ଟି ଭୋଟ୍ରେ ଲବଙ୍କ ଠାରୁ ପରାସ୍ତ ହୋଇଥିଲେ ଚନ୍ନି।
୨୦୦୭ରୁ କଂଗ୍ରେସ ଟିକେଟ୍ରେ ଚମକୌର ସାହିବ ଆସନରୁ ଲଗାତାର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏଥର ବି ସେଠାରୁ ଛିଡ଼ା ହୋଇଥିଲେ। ତା’ ସହିତ ଭଦୌର ଆସନରୁ ବି ପ୍ରାର୍ଥୀ ହୋଇଥିଲେ। ତେବେ ଉଭୟ ଆସନରେ ସେ ପରାସ୍ତ ହୋଇଛନ୍ତି।
ଭଦୌରରେ ଜଣେ ସାଧାରଣ ମୋବାଇଲ୍ ମରାମତି କରୁଥିବା ବ୍ୟକ୍ତିଙ୍କ ଠାରୁ ଚନ୍ନି ହାରିଥିବା ବେଳେ ଚମକୌର ସାହିବରେ ଜଣେ ଡାକ୍ତରଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହି ଡାକ୍ତରଙ୍କ ନାଁ ଚରଣଜିତ ସିଂହ। ମୋରିଣ୍ଡାରେ ତାଙ୍କର ଏକ କ୍ଲିନିକ୍ ଅଛି। ସେ ଜଣେ ଚକ୍ଷୁ ବିଶେଷଜ୍ଞ। ପୂର୍ବରୁ ସେ ଚଣ୍ଡିଗଡ଼ ସ୍ଥିତ ପିଜିଆଇଏମ୍ଇଆର୍ରେ ଚାକିରି କରୁଥିଲେ। ସେ ତାଙ୍କ ଅଞ୍ଚଳରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରନ୍ତି। ଗରିବ ଲୋକଙ୍କ ପାଇଁ ସେ ମାଗଣା ଚକ୍ଷୁ ଯାଞ୍ଚ ଶିବିରର ଆୟୋଜନ କରନ୍ତି। ତେଣୁ ଲୋକଙ୍କ ମଧ୍ୟରେ ସେ ଜଣେ ବେଶ୍ ଜଣାଶୁଣା ଚେହେରା ହୋଇଯାଇଥିଲେ।
[caption id="attachment_719668" align="aligncenter" width="650"]
ଡାକ୍ତର ଚରଣଜିତ ସିଂହ ପୂର୍ବରୁ କଂଗ୍ରେସରେ ଥିଲେ। ତେବେ ୨୦୧୭ରେ ସେ ଆପ୍ ଟିକେଟ୍ରେ ଚମକୌର ସାହିବ ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଚନ୍ନିଙ୍କ ଠାରୁ ୧୨,୩୦୮ ଖଣ୍ଡ ଭୋଟ୍ରେ ହାରି ଯାଇଥିଲେ। କିନ୍ତୁ ଚଳିତ ବର୍ଷ ବାଜି ପଲଟି ଯାଇଥିଲା। ଚରଣଜିତ ସିଂହଙ୍କ ଠାରୁ ଚନ୍ନି ୭,୮୩୩ ଭୋଟ୍ରେ ପରାସ୍ତ ହୋଇଛନ୍ତି। ଚରଣଜିତ ସିଂହଙ୍କୁ ୬୯,୯୮୧ ଭୋଟ୍ ମିଳିଥିବା ବେଳେ ଚନ୍ନିଙ୍କୁ ୬୨,୧୪୮ ଭୋଟ୍ ମିଳିଥିଲା।