ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଏଥିରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଦଳର ବିଧାୟକମାନେ ବିଧାନସଭାରେ ପହଞ୍ଚିଛନ୍ତି। ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ମଧ୍ୟ ବିଧାନସଭାରେ ପହଞ୍ଚିଛନ୍ତି। ତେବେ ଏହାରି ଭିତରେ ବିଧାନସଭା ଆରମ୍ଭ ହେବା ପୂର୍ବରୁ ହଙ୍ଗାମା ସୃଷ୍ଟି ହୋଇଛି। ଶିବସେନା ଅଫିସକୁ ସିଲ୍ କରିଛନ୍ତି ସିନ୍ଦେଙ୍କ ଗୋଷ୍ଠୀ।
ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଶିବସେନାକୁ ପୂରାପୁରି କାବୁ କରିଛନ୍ତି। ଆଜି ମହାରାଷ୍ଟ୍ରରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଏଠାରେ ଥିବା ଶିବସେନାଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କେଉଁ ଗୋଷ୍ଠୀର ନିର୍ଦ୍ଦେଶରେ ଏହି କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଏହି କାର୍ଯ୍ୟାଳୟକୁ ଶିବସେନା ବିଧାନସଭା ପାର୍ଟି ଦ୍ୱାରା ସିଲ୍ କରାଯାଇଛି ବୋଲି ନୋଟିସରେ ଲେଖାଯାଇଛି।
ସେପଟେ ବିଧାନସଭାରେ ନୂଆ ବାଚସ୍ପତି ଚୟନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି। ବିଜେପି ସଦସ୍ୟମାନେ ନିଜ ନିଜ ଭୋଟି ଦେଇସାରିଛନ୍ତି। ଶିବସେନା ବିଦ୍ରୋହୀ ବିଧାୟକମାନେ ମଧ୍ୟ ମତଦାନ ଜାରି ରଖିଛନ୍ତି। ବିଜେପି ମେଣ୍ଟର ବାଚସ୍ପତି ପ୍ରାର୍ଥୀ ରାହୁଲ ନାର୍ବେକରଙ୍କ ସପକ୍ଷରେ ଏଯାବତ ୧୦୬ଟି ଭୋଟ ପଡିଥିବା ସୂଚନା ମିଳିଛି।
ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପିର ସମର୍ଥନରେ ମହାରାଷ୍ଟ୍ରରେ ଗଠିତ ନୂତନ ସରକାରର ଆଜି ବିଧାନସଭାରେ ପ୍ରଥମ ଦିନ। ଆଜି ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚିତ ଚାଲିଛି। ଆସନ୍ତାକାଲି ସିନ୍ଦେ ସରକାର ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସେମାନେ ଅତି ସହଜରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଏବଂ ବାଚସ୍ପତି ନିର୍ବାଚନ ମଧ୍ୟ ଜିତିବେ।
ସୂଚନାଯୋଗ୍ୟ, ବିଜେପି ବିଧାୟକ ରାହୁଲ ନିର୍ବେକର ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏମଭିଏ ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ବାଚସ୍ପତି ପଦ ଖାଲି ପଡିଛି।