ମୁମ୍ୱାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁଖ୍ୟତଃ ମହାରାଷ୍ଟ୍ରରେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଲକଡାଉନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି। ଏପ୍ରିଲ ୨ ପର୍ଯ୍ୟନ୍ତ ସ୍ଥିତି ଉପରେ ନଜର ରଖାଯିବ ତାପରେ ଆବଶ୍ୟକ ପଦକ୍ଷେପ ସରକାର ନେବେ। ପୁଣେରେ କୋଭିଡ୍ ବାବଦରେ ସମୀକ୍ଷା କରି ପ୍ରେସ କନଫରେନସ କରିବା ବେଳେ ଏହା କହିଛନ୍ତି ଅଜିତ ପାଓ୍ୱାର।
ସେ କହିଛନ୍ତି, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଅଧିକାଂଶ ଲୋକମାନେ ଆଇନ୍ କାନୁନ୍ ମାନୁନଥିବା ଦେଖିବାକୁ ମିଳିଛି। ଯଦି ଆଗାମୀ ଦିନରେ କୋଭିଡ୍ ନିୟମ ଉଲ୍ଲଂଘନ ହେବ ତାହେଲେ ଲକଡାଉନ୍ ବ୍ୟତୀତ ସରକାରଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ ବୋଲି ଅଜିତ ପାଓ୍ୱାର କହିଛନ୍ତି।
ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି ହୋଇଛି। ସପିଂ ମଲ୍, ବଜାର, ସିନେମା ହଲ୍ ଇତ୍ୟାଦି ଗୁଡିକରେ ୫୦ ପ୍ରତିଶତ କ୍ଷମତା ସହିତ କାମ ଚାଲିବା ଉଚିତ। ଏହା ସହିତ ବିବାହରେ ୫୦ରୁ ଅଧିକ ଲୋକଙ୍କୁ ଯୋଗଦେଇ ପାରିବେ ନାହିଁ ଏବଂ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ସେହିପରି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଗୁଡ଼ିକରେ କରୋନା ଓ୍ୱାର୍ଡ ଅଲଗା କରାଯାଇଛି। ଘରୋଇ ଡାକ୍ତରଖାନା ଗୁଡ଼ିକରେ ୫୦ ପ୍ରତିଶତ ବେଡ୍ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ହୋଲି ବେଳେ ଲୋକଙ୍କୁ ଏକାଠି ନହେବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି। ତେଣୁ ସତର୍କ ହୋଇ ହୋଲି ପାଳନ କରିବାକୁ ଅଜିତ ପାଓ୍ୱାର ନିବେଦନ କରିଛନ୍ତି।