ନିଟ୍‌ ମେଡିକାଲ ପରୀକ୍ଷାରେ ଦୁର୍ନୀତି ଠାବ କଲା ସିବିଆଇ, ୫୦ ଲକ୍ଷରେ ହେଉଛି ଡିଲ୍‌

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଠାବ କରିଛି ସିବିଆଇ। ନିଟ୍‌ରେ ପାସ୍‌ କରିବା ପାଇଁ ନକଲି ପରୀକ୍ଷାର୍ଥୀଙ୍କ ବ୍ୟବହାର କରାଯାଉଛି। ସେହିପରି ଶିକ୍ଷାର୍ଥୀଙ୍କ ପିଛା ଏହି ରାକେଟ ପରିଚାଳନା କରୁଥିବା ବ୍ୟକ୍ତିମାନେ ୫୦ ଲକ୍ଷ ଟଙ୍କା ନେଉଛନ୍ତି। ଏହି ଦୁର୍ନୀତି ରାକେଟର ପର୍ଦ୍ଦାଫାସ କରିବାକୁ ସିବିଆଇ ସକ୍ଷମ ହୋଇଛି। ଗୋଟିଏ ପଟେ ନିଟରେ ପାସ୍‌ କରିବାକୁ ପିଲାମାନେ ଡହଳ ବିକଳ ହୋଇ ଜୀବନ ହାରୁଥିବା […]

NEET

Hemant Lenka
  • Published: Thursday, 23 September 2021
  • , Updated: 23 September 2021, 01:21 PM IST

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଠାବ କରିଛି ସିବିଆଇ। ନିଟ୍‌ରେ ପାସ୍‌ କରିବା ପାଇଁ ନକଲି ପରୀକ୍ଷାର୍ଥୀଙ୍କ ବ୍ୟବହାର କରାଯାଉଛି। ସେହିପରି ଶିକ୍ଷାର୍ଥୀଙ୍କ ପିଛା ଏହି ରାକେଟ ପରିଚାଳନା କରୁଥିବା ବ୍ୟକ୍ତିମାନେ ୫୦ ଲକ୍ଷ ଟଙ୍କା ନେଉଛନ୍ତି।

ଏହି ଦୁର୍ନୀତି ରାକେଟର ପର୍ଦ୍ଦାଫାସ କରିବାକୁ ସିବିଆଇ ସକ୍ଷମ ହୋଇଛି। ଗୋଟିଏ ପଟେ ନିଟରେ ପାସ୍‌ କରିବାକୁ ପିଲାମାନେ ଡହଳ ବିକଳ ହୋଇ ଜୀବନ ହାରୁଥିବା ବେଳେ ଧନୀ ପରିବାରର ପିଲାମାନେ ଟଙ୍କା ଦେଇ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସିବିଆଇ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଆରକେ ଏଣ୍ଡୁକେସନ କ୍ୟାରିୟର ଗାଇଡିଆନ୍ସ ନାମକ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ପ୍ରମିଳା କୋଟପାଲିୱାର ଓ କିଛି ଛାତ୍ରଛାତ୍ରୀ ନିଟ୍‌ରେ ଦୁର୍ନୀତି କରିଥିବା ସିବିଆଇ ଜାଣିବାକୁ ପାଇଛି। କୋଚିଂ ସେଣ୍ଟର ପକ୍ଷରୁ ମେଡିକାଲ ଆଶାୟୀଙ୍କୁ ସରକାରୀ କଲେଜରେ ନାଁ ଲେଖାଇବା ପାଇଁ ୫୦ ଲକ୍ଷ ଟଙ୍କାରେ ଡିଲ କରାଯାଇଛି।

ସିବିଆଇ ରୁଜୁ କରିଥିବା ଏଫଆଇଆର୍‌ରେ କୁହାଯାଇଛି ଯେ ଆଶାୟୀଙ୍କୁ ପ୍ରମିଳା ନିଜ ଜାଲରେ ଫସାଇ ସରକାରୀ କଲେଜରେ ନାଁ ଲେଖିବାକୁ ସୁଯୋଗ ଦେବେ ବୋଲି କହୁଥିଲେ। ବେଆଇନ ଉପରେ ଓ ବିନା ପରୀକ୍ଷାରେ ସେମାନଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବାକୁ ସୁଯୋଗ ମିଳିବ ବୋଲି ସେ ପ୍ରଲୋଭନ ଦେଖାଉଥିଲେ।

ଏହାପରେ ଆଶାୟୀଙ୍କ ପରିବାର ଲୋକଙ୍କ ଅନୁମତିକ୍ରମେ ପ୍ରମିଳା ଓ ରାକେଟରେ ଥିବା ଅନ୍ୟ ସଦସ୍ୟମାନେ ନିଟ୍‌ ଦ୍ୱାରା ଆୟୋଜିତ ପରୀକ୍ଷାରେ ଦୁର୍ନୀତି କରୁଥିଲେ। ମେଡିକାଲ ପାଠପଢ଼ିବାକୁ ଥିବା ଛାତ୍ରଛାତ୍ରୀଙ୍କ ବଦଳରେ କିଛି ନକଲି ପରୀକ୍ଷାର୍ଥୀଙ୍କୁ ନିଟ୍‌ ପରୀକ୍ଷା ଦେବାକୁ ପଠା ଯାଉଥିଲା। ଏଥିପାଇଁ ମୋଟା ଅଙ୍କର ଆର୍ଥିକ କାରବାର ମଧ୍ୟ ହେଉଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଆଇନ ଭାବେ ନାଁ ଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପରିବାର ଲୋକଙ୍କୁ ଆଗୁଆ ତାରିଖ ଥିବା ଗୋଟିଏ ଚେକ୍‌ କୋଚିଂ ସେଣ୍ଟର୍‌ରେ ଜମା କରିବାକୁ ପଡ଼ୁଥିଲା। ଏଥିସହ ଗ୍ୟାରେଣ୍ଟି ପାଇଁ ଛାତ୍ରଛାତ୍ରୀଙ୍କ ୧୦ମ ଓ ଦ୍ୱାଦଶ ଶ୍ରେଣୀର ମାର୍କ ସିଟ୍‌ ମଧ୍ୟ ପରିବାର ଲୋକ ବନ୍ଧା ପକାଉଥିଲେ।

କାମ ସରିବା ପରେ ପରିବାର ଲୋକ କୋଚିଂ ସେଣ୍ଟରକୁ ୫୦ ଲକ୍ଷ ଟଙ୍କା ଦେବା ପରେ ଏଗୁଡ଼ିକୁ ସେମାନଙ୍କୁ ହସନ୍ତାନର କରାଯାଉଥିବା ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି। ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ଆଶାୟୀଙ୍କ ଠାରୁ ପ୍ରମିଳା ଓ ତାଙ୍କ ସହଯୋଗୀମାନେ ଆଇଡି ନମ୍ବର ଓ ପାସୱାର୍ଡ ଆଣୁଥିଲେ।

ଏହାପରେ ନିଜ ସୁବିଧା ଅନୁସାରେ ଏହାକୁ ବଦଳାଇ ଇଚ୍ଛା ଅନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରୁଥିଲେ। ସେମାନେ ନକଳି ପରୀକ୍ଷାର୍ଥୀଙ୍କ ପାଇଁ ଫଟୋରେ ମଧ୍ୟ ହେରଫେର କରୁଥିଲେ। ନକଲି ଆଇଡି କାର୍ଡ ପାଇଁ ଆଶାୟୀ ଶିକ୍ଷାର୍ଥୀଙ୍କ ଇ-ଆଧାର କାର୍ଡ ମଧ୍ୟ ସଂଗ୍ରହ କରାଯାଉଥିଲା। ପ୍ରମିଳା ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଖାତା ଓ ଓଏମଆର ଶିଟ୍‌ରେ ହେରଫେର କରାଯାଇ ପାରିବ ବୋଲି ପ୍ରତିଶ୍ରୁତି ଦେଉଥିଲେ।

ସିବିଆଇ ପ୍ରମିଳାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ସେପ୍ଟମ୍ବର ୧୨ରେ ଅଟକ ରଖିଥିବା ଜଣାପଡ଼ିଛି। ସିବିଆଇ ଅଧିକାରୀମାନେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବା ପାଇଁ ହଲ୍‌ରେ ଉପସ୍ଥିତି ଥିବାରୁ ସେମାନେ ତା’ ଭିତରକୁ ମଧ୍ୟ ଭୟରେ ଯାଇ ନଥିଲେ। ଘଟଣା ପରେ ଅଭିଯୁକ୍ତମାନଙ୍କ ଠିକଣାରେ ସର୍ଚ୍ଚ କରାଯାଇଥିଲା ଓ ଗିରଫଦାରୀ ମଧ୍ୟ କରାଯାଇଛି। ସିବିଆଇ ଏ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

Related story