ପାଣାଜୀ: ପଶ୍ଚିମବଙ୍ଗ ପରେ ଗୋଆରେ ଖେଲା ହୋବେ ନାରା ଦେଇ ଟିଏମସି ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଆଜି ପ୍ରଥମଥର ପାଇଁ ଗୋଆ ଗସ୍ତରେ ଯାଇଛନ୍ତି ମମତା। ମମତାଙ୍କ ଉପସ୍ଥିତିରେ ଟେନିସ ତାରକା ଲିଆଣ୍ଡର ପେସ୍ ଟିଏମସିରେ ମିଶିଛନ୍ତି।
ଭୋଟରଙ୍କୁ ଗୋଆରେ ଆକୃଷ୍ଟ କରିବା ପାଇଁ ମମତା ଟିଏମସିର ନାରା ଖେଲା ହୋବେ ଉଚ୍ଚାରଣ କରିଛନ୍ତି। ପ୍ରଥମ ଦିନରେ ସେ ସ୍ଥାନୀୟ ମାର୍କେଟକୁ ଯାଇ ୨ କେଜି ମାଛ କିଣିଛନ୍ତି। ଏଥିପାଇଁ ମମତା ୧୦୦୦ ଟଙ୍କା ମଧ୍ୟ ଦେଇଛନ୍ତି। ମମତାଙ୍କ ଗୋଆ ଗସ୍ତର ଭିଡିଓକୁ ଟିଏମସି ପୋଷ୍ଟ କରିଛି। ଏଥିସହ ସେ ବେଟିନର ମାଲିମ ଜେଟ୍ଟୀରେ ମାଛ ଧରାଳୀ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଛନ୍ତି।
ସେମାନଙ୍କ ଅଭିଯୋଗ ଶୁଣିବା ପରେ ମମତା ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ଟିଏମସିର ଗୋଆ ୟୁନିଟ ସୂଚନା ଦେଇଛି। ମମତାଙ୍କ ସହ ଟିଏମସିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଗୋଆ ଟିଏମସି ମାଛ ଧରାଳୀ ସଂପ୍ରଦାୟର ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି। ଦଳ ସେମାନଙ୍କ ସବସିଡିକୁ ୨.୫ ଗୁଣ ଅର୍ଥାତ ୩୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରିବ। ଆମର ଏମଏସ୍ପି ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ସର୍ବାଧିକ ସେଲିଂ ଦର। ସରକାର ସର୍ବାଧିକ ଟଙ୍କା ଦେଇ ମାଛ ଲୋକଙ୍କ ଠାରୁ ସଂଗ୍ରହ କରିବେ ବୋଲି ମମତା କହିଛନ୍ତି।
ଏହାବାଦ ମାଛ ଧରା କାମରେ ନିୟୋଜିତ ଲୋକଙ୍କ ପାଇଁ ମମତା ୪ ହଜାର ଟଙ୍କାର ମାସିକ ସହାୟତା ଘୋଷଣା କରିଛନ୍ତି। ଆଗକୁ ମାଛ ଧରାଳୀଙ୍କ କ୍ୟାଲଣ ବୋର୍ଡ ଗଠନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।