ନୂଆଦିଲ୍ଲୀ: ପ୍ରଥମେ ଯୁବକଙ୍କ ବେକକୁ ବ୍ଲେଡ୍ରେ କାଟିଲେ। ଏହାପରେ ଇଟା ପଥରରେ ତାଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା କଲେ। ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଗଲେ। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରାଜଧାନୀ ଦିଲ୍ଲୀର ଆଦର୍ଶ ନଗରରେ ଏହି ହତ୍ୟା କାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ବେଶ୍ ନିର୍ମମ ଭାବେ ଯୁବକଙ୍କ ବେକକୁ ବ୍ଲେଡ୍ରେ କାଟିବା ପରେ ତାଙ୍କ ଉପରକୁ ପଥର ମାଡ କରିଛନ୍ତି। ଯୁବକଟିର ମୃତ୍ୟୁ ନହେବ ଯାଏଁ ଅଭିଯୁକ୍ତମାନେ ତାଙ୍କ ଉପରକୁ ଇଟା ପଥର ମାଡ କରି ଚାଲିଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଜୁନ୍ ୩ ତାରିଖରେ ଆଦର୍ଶ ନଗରରେ ଜଣେ ବ୍ୟକ୍ତିଙ୍କୁ ବ୍ଲେଡରେ ଆକ୍ରମଣ କରାଯାଇଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ବାବୁ ଜଗଜୀବନ ରାମ ଡାକ୍ତରଖାନାକୁ ନେଇଥିଲା। ତେବେ ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ହାୟର ସେଣ୍ଟରକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ନାଁ ୨୮ ବର୍ଷୀୟ ନରେନ୍ଦ୍ର ଓ ଓରଫ ବଣ୍ଟି ବୋଲି ଜଣାପଡିଛି। ନରେନ୍ଦ୍ର ତାଙ୍କ ଦିବ୍ୟାଙ୍ଗ ମା'ଙ୍କ ସହିତ ଆଦର୍ଶ ନଗର ଅଞ୍ଚଳରେ ରହୁଥିଲେ।
ସିସିଟିଭି ଫୁଟେଜ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତଙ୍କ ପରିଚୟ ପାଇଛି। ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଥିଲେ କିନ୍ତୁ ପୁଲିସ ଜଣକୁ ଗିରଫ କରିଛି। ଅନ୍ୟପଟେ ଆଉ ଏକ ଅଭିଯୁକ୍ତର ସନ୍ଧାନ ଜାରି ରଖିଛି ପୁଲିଛି। ଧରାପଡିଥିବା ଅଭିଯୁକ୍ତ ଜଣକ ହେଉଛି ରାହୁଲ କାଲି ଓ ଫେରାର ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ରୋହିତ କାଲି। ଏଦୁଇ ଅଭିଯୁକ୍ତ ହେଉଛନ୍ତି ସମ୍ପର୍କୀୟ ଭାଇ।
ପୁଲିସ ତଦନ୍ତରୁ ଜଣାପଡିଛି ଯେ, ନରେନ୍ଦ୍ର ଜଣେ ନିଶାସକ୍ତ ବ୍ୟକ୍ତି ଥିଲା। ସେ କ୍ରମାଗତ ଭାବରେ ରାହୁଲଠାରୁ ଡ୍ରଗ୍ସ ପାଇଁ ଟଙ୍କା ମାଗୁଥିଲେ। ଏହାକୁ ନେଇ ରାଗି ଯାଇଥିଲା ରାହୁଲ। ପରେ ସେ ଭାଇକୁ ଡାକି ନରେନ୍ଦ୍ରଙ୍କୁ ବ୍ଲେଡ, ପଥର ଓ ଲୁହା ଛଡରେ ମାରି ମାରି ହତ୍ୟା କରିଥିଲା। ଏହି ମାମଲାରେ ଅଭିଯୁକ୍ତ ରାହୁଲ କାଲିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ସେପଟେ ଏହି ହତ୍ୟା ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।