ନୂଆଦିଲ୍ଲୀ: ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ । ବୈବାହିକ ଦୁର୍ଷ୍କମକୁ ଅପରାଧିକ ଶ୍ରେଣୀରେ ଅନ୍ତୁର୍ଭୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁମିମକୋର୍ଟ କେନ୍ଦ୍ରକୁ ନୋଟିସ୍ କରିଛନ୍ତି। ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଅଜୟ ରାସତୋଗୀ ଏବଂ ଜଷ୍ଟିସ୍ ବିଭି ନାଗର୍ଥନା ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ଲାଗି ମାମଲାକୁ ତାଲିକଭୁକ୍ତ କରାଯାଇଛି। ଆସନ୍ତା ଫେବୃଆରୀ ୨୩ରେ ଏହାର ଶୁଣାଣି ରହିଛି। ସର୍ବଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘ ପକ୍ଷରୁ ଏ ସମ୍ପର୍କରେ ସୁମିମକୋର୍ଟରେ ଦ୍ୱାରସ୍ଥ ହୋଇଛି। ପୂର୍ବରୁ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯାଥିଲା। ଗତ ମେ ୧୨ତାରିଖରେ ହାଇକୋର୍ଟରେ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ମଧ୍ୟ ନିର୍ଣ୍ଣୟକୁ ନେଇ ମତଭେଦ ଉପୁଜିଥିଲା।
ଦିଲ୍ଲୀ ହାଇକୋର୍ଟର ବିଚାରପତି ରାଜୀବ ଶାକଧେର ଅପରାଧିକ ଶ୍ରେଣୀଭୁକ୍ତ ସପକ୍ଷରେ ରାୟ ଦେଇଥିବା ବେଳେ ଜଷ୍ଟିସ ହରିଶଙ୍କର ଏଥିରେ ଏକମତ ହୋଇନଥିଲେ। ବିଚାରପିତ ରାଜୀବ ଶାକଧେରଙ୍କ ଅନୁଯାୟୀ ଯୌନ ସମ୍ପର୍କ ଅପରାଧିକ ପାଇଁ ସ୍ୱାମୀ ଦାୟୀ ହେବା ଉଚିତ ଏବଂ ତାଙ୍କୁ ଗିରଫ କରାଯିବା ବାଞ୍ଛନୀୟ। କିନ୍ତୁ ଏହି ମତରେ ହରିଶଙ୍କର ଅରାଜି ହୋଇଥିଲେ। ସର୍ବଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘ ପକ୍ଷରୁ ଆଡଭୋକେଟ୍ କରୁଣା ନନ୍ଦି ଏବଂ ରାହୁଲ ନାରାୟଣ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ଯୋଗୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶାକଧେର କହିଥିଲେ ଯେ ଆଇପିସିର ଧାରା ୩୭୫(ଦୁଷ୍କର୍ମ) ଅନ୍ତର୍ଗତ ବ୍ୟତିକ୍ରମ ୨ରେ ପତ୍ନୀଙ୍କ ସହ ବଳ ପୂର୍ବ ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀଙ୍କୁ ଅପରାଧ ମୁକ୍ତ କରିବା ପାଇଁ ରହିଥିବା ବ୍ୟବସ୍ଥା ଅସାମ୍ବିଧାନିକ। ଅର୍ଥାତ ସେ ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିଛନ୍ତି। ତେବେ ଖଣ୍ଡପୀଠରେ ଥିବା ଜଷ୍ଟିସ ହରି ଶଙ୍କର ଏଥିରେ ଏକମତ ହୋଇ ନାହାନ୍ତି। ଆଇପିସିର ଧାରା ୩୭୫ ଅନ୍ତର୍ଗତ ବ୍ୟତିକ୍ରମ ୨ କୌଣସି ପ୍ରକାରର ସାମ୍ବିଧାନିକ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି। ଦୁଇ ବିଚାରପତି ଭିନ୍ନଭିନ୍ନ ରାୟ ଦେଇଥିବାରୁ ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନି।
ଧାରା ୩୭୫ରେ ଥିବା ବ୍ୟତିକ୍ରମରେ କୁହାଯାଇଛି ଯେ ଯଦି ବାହାଘର ପରେ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବେ, ତା’ହେଲେ ଏହା ଅପରାଧ ଶ୍ରେଣୀରେ ଆସିବ ନାହିଁ। ଏହାକୁ ନେଇ ଅନେକ ବିବାଦ ଅତୀତରେ ଦେଖିବାକୁ ମିଳିଥିଲା। ଏଥିସହ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଆବେଦନକାରୀ କହିଥିଲେ ଯେ ପତ୍ନୀମାନେ ସ୍ୱାମୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ତଥାପି ଧାରା ୩୭୫ର ବ୍ୟତିକ୍ରମ ବଳରେ ବିବାହିତ ମହିଳାଙ୍କ ସହ ପାତରଅନ୍ତର କରାଯାଉଛି। ଫେବୃଆରୀ ୨୧ରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ରାଜୀବ ଓ ଜଷ୍ଟିସ ହରି ଶଙ୍କର ଏହାର ଶୁଣାଣି କରି ରାୟ ସଂରକ୍ଷଣ ରଖିଥିଲେ।
ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ଏହି ମାମଲାରେ ସାମ୍ବିଧାନିକ ଚ୍ୟାଲେଞ୍ଜ ସହ ପାରିବାରିକ ଓ ସାମାଜିକ ନୀତି ନିୟମ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ। ଏଥିସହ ରାଜ୍ୟ ସରକାରଙ୍କ ମତାମତ ଜାଣିବା ମଧ୍ୟ ଜରୁରୀ ବୋଲି ସେ କହିଥିଲେ।
ଜଷ୍ଟିସ ରାଜୀବ କହିଥିଲେ ଯେ “ଯେତେବେଳେ ଗର୍ଲଫ୍ରେଣ୍ଡ କିମ୍ବା ଲିଭ ଇନ ପାର୍ଟନରଙ୍କ ସହ ବଳ ପୂର୍ବକ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି କୁହାଯାଉଛି ସେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଭିନ୍ନ ଭାବେ ଦେଖାଯାଇ ପାରିବ ନାହିଁ। କାରଣ ଜଣେ ମହିଳା ସବୁବେଳେ ମହିଳା ହୋଇ ରହନ୍ତି।”
ତେବେ ଜଷ୍ଟିସ ହରି ଶଙ୍କର ଏଥିରେ ଏକମତ ହୋଇ ନଥିଲେ। ସେ କହିଥିଲେ “ବାହାଘର ଓ ବାହାଘର ପୂର୍ବର ସମ୍ପର୍କ ମଧ୍ୟରେ ଅନେକ ଫରକ ରହିଛି। ବାହାଘର ପରେ ଉଭୟ ପକ୍ଷ ଶାରୀରିକ ସମ୍ପର୍କ ରଖିବାକୁ ଅଧିକାର ପାଇଥାଆନ୍ତି। କିନ୍ତୁ ବାହାଘର ପୂର୍ବରୁ ସେଭଳି କୌଣସି ଅଧିକାର ମିଳି ନଥାଏ।”
ଏହାପରେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ୨ ସପ୍ତାହର ସମୟ ଦେଇଥିଲେ। କେନ୍ଦ୍ର ସରକାର ଶୁଣାଣି ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ଏଥିସହ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମତାମତ ଲୋଡ଼ା ଯାଇଥିବା କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।