ମତଦାନ କେନ୍ଦ୍ର ନିକଟରେ କାହିଁକି ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ, ଜବାବ ଦେଲା ସିଆଇଏସ୍‌ଏଫ

କୋଲକାତା: ଭୋଟିଂ ଚାଲିଥିବା ବେଳେ କୋଚ ବେହାର ସ୍ଥିତ ଗୋଟିଏ ପୁଲିଂ ବୁଥରେ ଆଜି ସୁରକ୍ଷାକର୍ମୀମାନେ ପ୍ରବଳ ଗୁଳିମାଡ଼ କରିଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗୁଳିକାଣ୍ଡ ଘଟଣାକୁ ନେଇ ଟିଏମସି, ବିଜେପି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ନିର୍ବାଚନ ରଣନୀତିକୁ ଆହୁରି ଜୋରଦାର କରିଛନ୍ତି। ଏସବୁ ଭିତରେ ଭିଡ଼ ଉପରକୁ ଗୁଳିମାଡ଼ କରିଥିବା ସିଆଇଏସ୍‌ଏଫ ସ୍ପଷ୍ଟୀକରଣ ଦେଇଛି। ଲୋକମାନେ ବୁଥ ନିକଟରେ […]

CISF

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 05:37 PM IST

କୋଲକାତା: ଭୋଟିଂ ଚାଲିଥିବା ବେଳେ କୋଚ ବେହାର ସ୍ଥିତ ଗୋଟିଏ ପୁଲିଂ ବୁଥରେ ଆଜି ସୁରକ୍ଷାକର୍ମୀମାନେ ପ୍ରବଳ ଗୁଳିମାଡ଼ କରିଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗୁଳିକାଣ୍ଡ ଘଟଣାକୁ ନେଇ ଟିଏମସି, ବିଜେପି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ନିର୍ବାଚନ ରଣନୀତିକୁ ଆହୁରି ଜୋରଦାର କରିଛନ୍ତି।

ଏସବୁ ଭିତରେ ଭିଡ଼ ଉପରକୁ ଗୁଳିମାଡ଼ କରିଥିବା ସିଆଇଏସ୍‌ଏଫ ସ୍ପଷ୍ଟୀକରଣ ଦେଇଛି। ଲୋକମାନେ ବୁଥ ନିକଟରେ ପ୍ରଥମେ ଆକ୍ରମଣ କରିବାରୁ ଆତ୍ମରକ୍ଷା ପାଇଁ ଯବାନମାନେ ବାଧ୍ୟ ହୋଇ ଗୁଳିମାଡ଼ କରିଥିଲେ ବୋଲି ସିଆଏସ୍‌ଏଫ କହିଛି। ଏକ ବିବୃତିରେ ସିଆଇଏସ୍‌ଏଫ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଛି।

ଏଥିରେ କୁହାଯାଇଛି ଯେ ସକାଳ ପ୍ରାୟ ୯.୩୫ରେ ବୁଥ ନଂ ୧୨୬ ନିକଟରେ ସିଆଇଏସ୍‌ଏଫର କ୍ୟୁଆରଟିର ଯବାନମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲେ। ଏହି ଟିମ୍‌ର ନେତୃତ୍ୱ କମାଣ୍ଡର ଇନସପେକ୍ଟର ଇ ସୁନୀଲ କୁମାର ନେଉଥିଲେ। ଏହି ସମୟରେ ୫୦ରୁ ୬୦ ଜଣ ଲୋକ ଭୋଟ ଦେବାକୁ ଆସୁଥିବା ଲୋକଙ୍କୁ ଅଟକାଇଥିଲେ। ସେମାନଙ୍କୁ ହଟାଇବା ପାଇଁ ସିଆଇଏସ୍‌ଏଫ ଯବାନମାନେ ପୁଲିସ୍‌ ସହ ମିଶି କାମ କରୁଥିଲେ।

ଏତିକି ବେଳେ ଠେଲାପେଲା ହୋଇଥିଲା। ରାସ୍ତାରେ ଗୋଟିଏ ଛୋଟ ପିଲା ପଡ଼ି ଯିବାରୁ ଲୋକମାନେ ସିଆଇଏସ୍‌ଏଫର୍ ଗାଡ଼ି ଭଙ୍ଗାରୁଜା କରିଥିଲେ। ସେହିପରି ସେମାନେ ଯବାନମାନଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଆତ୍ମରକ୍ଷା ପାଇଁ ଯବାନମାନେ ୬ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା।


ଏହାର ପ୍ରାୟ ଘଣ୍ଟାଏ ପରେ ୧୫୦ରୁ ଅଧିକ ଲୋକ ଏକାଠି ହୋଇ ପୁଣି ବୁଥ ନଂ ୧୮୬ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିଂ କର୍ମଚାରୀମାନଙ୍କୁ ସେମାନେ ମାଡ଼ ମାରିଥିଲେ। ପ୍ରଥମେ ସେମାନେ କାର୍ଯ୍ୟରତ ହୋମଗାର୍ଡ ଓ ଆଶା କର୍ମୀଙ୍କୁ ଆକ୍ରମଣ କରିଥିଲେ। ସିଆଇଏସ୍‌ଏଫ ବୁଥ କମାଣ୍ଡର ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ମତଦାନ କେନ୍ଦ୍ର ଭିତରେ ପ୍ରବେଶ କରି ମାରପିଟ୍‌ କରିଥିଲେ।

ସେହିପରି କିଛି ଦୁର୍ବୃତ୍ତ ସିଆଇଏସ୍‌ଏଫ ଯବାନଙ୍କ ବନ୍ଧୁକ ମଧ୍ୟ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସ୍ଥିତି ବିଗିଡ଼ିବାରୁ ଯବାନମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ। ତଥାପି ସ୍ଥିତିରେ କୌଣସି ସୁଧାର ଆସି ନଥିଲା। ଖବର ପାଇ ସିଆଇଏସ୍‌ଏଫର କ୍ୟୁଆରଟି ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୁର୍ବୃତ୍ତମାନେ ଯେତେ ଯାହା କଲେ ମଧ୍ୟ କିଛି ବି ଶୁଣି ନଥିଲେ। ସେମାନେ ଯବାନମାନଙ୍କୁ ଆକ୍ରମଣ କରିଥିଲେ। ବାଧ୍ୟ ହୋଇ ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ସିଆଇଏସ୍‌ଏଫ ପକ୍ଷରୁ ଆଉ ୭ ରାଉଣ୍ଡ ଗୁଳି ମାଡ଼ କରାଯାଇଥିଲା। ଏଥିରେ ୫ରୁ ୬ ଜଣ ଆହତ ହୋଇଥିଲେ ବୋଲି ସିଆଇଏସ୍‌ଏଫ କହିଛି।

Related story