୧୦ମ ପରୀକ୍ଷାରେ ୧୦୦% ମାର୍କ ରଖିଥିବା ଝିଅ ପାଇଁ ଚିନ୍ତାରେ ମା’

ଚଣ୍ଡିଗଡ଼: ପରୀକ୍ଷାରେ ପିଲାମାନେ ଭଲ ମାର୍କ ରଖିଲେ ବାପା ମା’ ଖୁସିରେ ଫାଟି ପଡ଼ନ୍ତି। ନିଜ ପିଲାମାନଙ୍କ ସଫଳତାକୁ ନେଇ ଗର୍ବ କରନ୍ତି। ଯଦି ପିଲା ୧୦୦% ମାର୍କ ହାସଲ କରେ, ତା’ହେଲେ ବାପା ମା’ଙ୍କ ଖୁସିର ସୀମା ରୁହେ ନାହିଁ। ହେଲେ ହରିଆଣାର ଅଞ୍ଜଳି ଯାଦବଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି। ଅଞ୍ଜଳି ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷାରେ ୧୦୦% ମାର୍କ ରଖିଛନ୍ତି। ଝିଅ ୧୦୦% ମାର୍କ ରଖିଥିଲେ ହେଁ ତାଙ୍କ ମା’ ଚିନ୍ତାରେ ପଡ଼ିଛନ୍ତି। ଆର୍ଥିକ […]

CBSE

  • Published: Monday, 25 July 2022
  • , Updated: 25 July 2022, 11:12 AM IST

ଚଣ୍ଡିଗଡ଼: ପରୀକ୍ଷାରେ ପିଲାମାନେ ଭଲ ମାର୍କ ରଖିଲେ ବାପା ମା’ ଖୁସିରେ ଫାଟି ପଡ଼ନ୍ତି। ନିଜ ପିଲାମାନଙ୍କ ସଫଳତାକୁ ନେଇ ଗର୍ବ କରନ୍ତି। ଯଦି ପିଲା ୧୦୦% ମାର୍କ ହାସଲ କରେ, ତା’ହେଲେ ବାପା ମା’ଙ୍କ ଖୁସିର ସୀମା ରୁହେ ନାହିଁ। ହେଲେ ହରିଆଣାର ଅଞ୍ଜଳି ଯାଦବଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି।

ଅଞ୍ଜଳି ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷାରେ ୧୦୦% ମାର୍କ ରଖିଛନ୍ତି। ଝିଅ ୧୦୦% ମାର୍କ ରଖିଥିଲେ ହେଁ ତାଙ୍କ ମା’ ଚିନ୍ତାରେ ପଡ଼ିଛନ୍ତି। ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଅଞ୍ଜଳିଙ୍କୁ କେମିତି ଆଗକୁ ପଢ଼ାଇବେ, ସେ ଚିନ୍ତା ତାଙ୍କୁ ଘାରିବାରେ ଲାଗିଛି। ବର୍ତ୍ତମାନ ଅଞ୍ଜଳିଙ୍କ ପରିବାର ଲୋକ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବାରେ ଅନେକ କଷ୍ଟ ସହୁଛନ୍ତି।

ଏପରି ସ୍ଥିତିରେ ଝିଅର ପାଠପଢ଼ା ଖର୍ଚ୍ଚ କେମିତି ବହନ କରିବେ, ତା’କୁ ନେଇ ଅଞ୍ଜଳିଙ୍କ ମା’ ଉର୍ମିଲା ଚିନ୍ତାରେ ଅଛନ୍ତି। ରେଜଲ୍ଟ ବାହାରିବା ପରେ ରବିବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଫୋନ ଯୋଗେ ଅଞ୍ଜଳି ଯାଦବ ଓ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଅଞ୍ଜଳି ନିଜର ଆର୍ଥିକ ଅବସ୍ଥା କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଏହା ଶୁଣିବା ପରେ ସେ ମାସିକ ଅଞ୍ଜଳିଙ୍କ ପଢ଼ା ଖର୍ଚ୍ଚ ବାବଦରେ ୨୦ ହଜାର ଟଙ୍କା ଯୋଗାଇ ଦେବେ ବୋଲି କହିଛନ୍ତି। ଦୁଇ ବର୍ଷ ଯାଏ ଅଞ୍ଜଳିଙ୍କୁ ୨୦ ହଜାର ଟଙ୍କା ଲେଖାଏ ମିଳିବ ଓ ସରକାର ତାଙ୍କ ପାଠପଢ଼ାରେ ସହଯୋଗ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର ପ୍ରତିଶ୍ରୁତି ଦେଇଛନ୍ତି।

ଅଞ୍ଜଳି ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ଦିଲ୍ଲୀ ଏମ୍ସରେ ପଢ଼ିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ମା’ଙ୍କ ରୋଜଗାରରେ ଘର ଚଳୁଥିବାରୁ ସେ ନିଜର ପାଠପଢ଼ା ଖର୍ଚ୍ଚକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି। ଅଞ୍ଜଳିଙ୍କ ବାପା ଅର୍ଦ୍ଧ ସାମାରିକ ବାହିନୀରେ କାର୍ଯ୍ୟ କରୁଥିଲେ। ୨୦୧୦ରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ୨୦୧୭ରେ ମେଡିକାଲ ଗ୍ରାଉଣ୍ଡରୁ ତାଙ୍କୁ ସେବା ନିବୃତ୍ତ ହେବାକୁ ପଡ଼ିଥିଲା। ସେବା ନିବୃତ୍ତ ହେବା ପରେ ତାଙ୍କୁ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ମିଳିଥିଲା। ହେଲେ ଏତିକି ଟଙ୍କାରେ ପରିବାର ଚଳାଇବା ମା’ ଉର୍ମିଲାଙ୍କ ପାଇଁ ଆଦୌ ସହଜ ହୋଇ ନଥିଲା। ଅଞ୍ଜଳିଙ୍କ ଭାଇ ଏବେ ୫ମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ପଛରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଉର୍ମିଲା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଝିଅ ପାଇଁ ବୃତ୍ତିର ବ୍ୟବସ୍ଥା କରିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ଆମେ ତାଙ୍କୁ ଆମର ଆର୍ଥିକ ସ୍ଥିତି କଥା ଜଣାଇଥିଲୁ। ଆମେ ସିଲାପୁରରେ ରହୁଥିବା ବେଳେ ଝିଅ ମହେନ୍ଦ୍ରଗଡ଼ର ଡୋଙ୍ଗ୍ରାରେ ଇଣ୍ଡୁସ ଭ୍ୟାଲି ପବ୍ଲିକ ସ୍କୁଲରେ ପଢ଼େ। ସେ ବେଶ କଠିନ ପରିଶ୍ରମୀ। ସେ ସବୁବେଳେ କହେ ଯେ ମୁଁ ଯଦି ସଫଳତା ପାଇବି, ତା’ହେଲେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ମୁଁ ସବୁବେଳେ ତା’ ସହ ଛିଡ଼ା ହୋଇଛି ଓ ତା’କୁ ପାଠ ଉପରେ ଫୋକସ କରିବାକୁ କହିଛି। ହେଲେ ଆଗକୁ କେମିତି କ’ଣ ହେବ, ସେକଥା ମୁଁ ଭାବି ପାରୁନି।”

Related story