କୋର୍ଟ ବାହାରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା, ପୁଲିସ୍‌ ଗୋଡ଼ରେ ବାଜିଲା ଗୁଳି

ମୀରଟ: କୋର୍ଟ ବାହାରେ ଚାଲିଛି ଗୁଳି। ୩ ଜଣ ଦୁର୍ବୃତ୍ତ କୋର୍ଟ ବାହାରେ ଗୁଳି ଚଳାଇ ଜଣେ ହତ୍ୟା ଅଭିଯୁକ୍ତକୁ ସର୍ବସମ୍ମୁଖରେ ହତ୍ୟା କରିଛନ୍ତି। ହତ୍ୟା ଅଭିଯୁକ୍ତ ସହ କୋର୍ଟ ବାହାରେ ଥିବା ପୁଲିସ୍‌ କର୍ମଚାରୀ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିମାଡ଼ରୁ ରକ୍ଷା ପାଇ ନାହାନ୍ତି। ସେମାନଙ୍କ ଗୁଳି ମାଡ଼ରେ ଜଣେ ପୁଲିସ୍‌ କନଷ୍ଟେବଲ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଥିବା କୋର୍ଟ ବାହାରେ ଘଟିଥିବା ଏହି ଘଟଣା ପୁଲିସ୍‌ର […]

Gun

  • Published: Wednesday, 17 August 2022
  • , Updated: 17 August 2022, 04:17 PM IST

ମୀରଟ: କୋର୍ଟ ବାହାରେ ଚାଲିଛି ଗୁଳି। ୩ ଜଣ ଦୁର୍ବୃତ୍ତ କୋର୍ଟ ବାହାରେ ଗୁଳି ଚଳାଇ ଜଣେ ହତ୍ୟା ଅଭିଯୁକ୍ତକୁ ସର୍ବସମ୍ମୁଖରେ ହତ୍ୟା କରିଛନ୍ତି। ହତ୍ୟା ଅଭିଯୁକ୍ତ ସହ କୋର୍ଟ ବାହାରେ ଥିବା ପୁଲିସ୍‌ କର୍ମଚାରୀ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିମାଡ଼ରୁ ରକ୍ଷା ପାଇ ନାହାନ୍ତି।

ସେମାନଙ୍କ ଗୁଳି ମାଡ଼ରେ ଜଣେ ପୁଲିସ୍‌ କନଷ୍ଟେବଲ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଥିବା କୋର୍ଟ ବାହାରେ ଘଟିଥିବା ଏହି ଘଟଣା ପୁଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।

ମିଳିଥିବା ସୂଚନା ଅନୁସାରେ, ଲଖନ ସିଂହ ୨୦୧୭ରୁ ହରିଆଣାର ଫରିଦାବାଦ ଜେଲରେ ରହୁଥିଲା। ପକ୍ସୋ ଆକ୍ଟର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ସେଠାରେ ରହୁଥିଲା। କିନ୍ତୁ ୨୦୧୯ରେ ହାପୁରର ଧୌଲାନା ଗାଁରେ ଗୋଟିଏ ହତ୍ୟା ମାମଲାରେ ମଧ୍ୟ ତା’ ଭୂମିକା ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହି ମାମଲାର ଶୁଣାଣି ପାଇଁ ଲଖନକୁ ହରିଆଣା ପୁଲିସ୍‌ ଫରିଦାବାଦ ଜେଲରୁ ହାପୁର କୋର୍ଟକୁ ଆଣିଥିଲା। ତେବେ ସେ ପୁଲିସ୍‌ ଭ୍ୟାନରୁ ଓହ୍ଲାଇବା କ୍ଷଣି ୩ ଜଣ ବ୍ୟକ୍ତି ତା’ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ଲଖନର ମୃତ୍ୟୁ ଘଟିଛି। ପୁଲିସ୍‌ କହିଛି ଯେ ଦୁର୍ବୃତ୍ତମାନେ ମୋଟ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଲଖନର ମୃତ୍ୟୁ ଘଟିଥିବା ବେଳେ ହରିଆଣା ପୁଲିସ୍‌ର ଜଣେ କନଷ୍ଟେବଲଙ୍କ ଗୋଡ଼ରେ ଗୁଳି ବାଜିଛି।

୨୦୧୨ରୁ ଫରିଦାବାଦରେ ଆରମ୍ଭ ହୋଇଥିବା ଗ୍ୟାଙ୍ଗୱାର ହିଁ ମଙ୍ଗଳବାର ହତ୍ୟା ଘଟଣାର ମୁଖ୍ୟ କାରଣ। ଲଖନ ଫରିଦାବାଦରେ ତା’ର ଗ୍ୟାଙ୍ଗ ଚଳାଉଥିଲା। ୨୦୧୯ରେ ସୁଧୀର ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଧୌଲାନା ଗାଁରେ ହତ୍ୟା କରାଯାଇଥିଲା। ଏହି ସମୟରେ ଲଖନ ଜେଲରେ ଥିଲା। କିନ୍ତୁ ତା’ ଗ୍ୟାଙ୍ଗର ସଦସ୍ୟାମାନେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଏଥିପାଇଁ ଲଖନ ନାଁରେ ଆଇପିସିର ଧାରେ ୧୨୦ବି(ଅପରାଧିକ ଷଡ଼ଯନ୍ତ୍ର) ଅନୁସାରେ ମାମଲା ହୋଇଥିଲା। ମଙ୍ଗଳବାର ଏହି ମାମଲାର ଶୁଣାଣି ପାଇଁ ତା’କୁ ହାପୁର କୋର୍ଟକୁ ଅଣା ଯାଇଥିଲା। ହେଲେ କୋର୍ଟକୁ ଯିବା ପୂର୍ବରୁ ହିଁ ଲଖନକୁ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ୍ କହିଛି।

Related story