ରାଷ୍ଟ୍ରପତି ହେବା ପରେ କ’ଣ ସବୁ କହିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେ ସଂସଦର ସେଣ୍ଟ୍ରାଲ ହଲରୁ ପ୍ରଥମଥର ପାଇଁ ଦେଶକୁ ସମ୍ବୋଧନ କରିଛନ୍ତି। ଜୁହାର ଓ ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଆରେ […]

President

  • Published: Monday, 25 July 2022
  • , Updated: 25 July 2022, 04:18 PM IST

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେ ସଂସଦର ସେଣ୍ଟ୍ରାଲ ହଲରୁ ପ୍ରଥମଥର ପାଇଁ ଦେଶକୁ ସମ୍ବୋଧନ କରିଛନ୍ତି।

ଜୁହାର ଓ ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଆରେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ବୋଲି କହିବା ପରେ ସମଗ୍ର ହଲ କରତାଳିରେ ଫାଟି ପଡ଼ିଥିଲା। ସେ ସମାଜର ପ୍ରତିଟି ବର୍ଗର ବିକାଶ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଭାରତର ସମସ୍ତ ନାଗରିକମାନଙ୍କ ଆଶା, ଆକାଂକ୍ଷା ଓ ଅଧିକାରର ପ୍ରତୀକ ଏହି ପବିତ୍ର ସଂସଦରୁ ମୁଁ ଦେଶବାସୀଙ୍କୁ ପୂରା ବିନମ୍ରତାର ସହ ଅଭିନନ୍ଦନ କରୁଛି।

ଆପଣମାନଙ୍କ ଆତ୍ମୀୟତା, ଆପଣମାନଙ୍କ ବିଶ୍ୱାସ ଓ ସହଯୋଗ ମୋ ପାଇଁ ଏହି ବଡ଼ ଦାୟିତ୍ୱ ତୁଲାଇବାରେ ସହାୟକ ହେବ। ଭାରତ ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ କରିଥିବାରୁ ସମସ୍ତ ସାଂସଦ ଓ ରାଜ୍ୟଗୁଡ଼ିକ ବିଧାୟକମାନଙ୍କୁ ଧନ୍ୟବାଦ। ଦେଶ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ମୋତେ ରାଷ୍ଟ୍ରପତି ଭାବେ ଚୟନ କରାଯାଇଛି। ଆଜିଠାରୁ କିଛି ଦିନ ପରେ ଦେଶ ତା’ର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ। ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂରଣ କରିଥିଲା ସେତେବେଳେ ମୁଁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲି।

ଏବେ ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂଆ ଦାୟିତ୍ୱ ମିଳିଛି। ଦେଶ ଆଗାମୀ ୨୫ ବର୍ଷ ପାଇଁ ଭିଜନ ପ୍ରସ୍ତୁତ କରୁଥିବା ବେଳେ ମୋତେ ଦାୟିତ୍ୱ ମିଳିବା ସୌଭାଗ୍ୟର ବିଷୟ। ମୁଁ ଦେଶର ଏମିତି ଜଣେ ରାଷ୍ଟ୍ରପତି, ଯିଏ ସ୍ୱାଧୀନ ଭାରତରେ ଜନ୍ମ ହୋଇଛି। ଆମର ସ୍ୱାଧୀନତା ସଂଗ୍ରାମୀମାନେ ଆଜାଦ ହିନ୍ଦୁସ୍ତାନର ନାଗରିକଙ୍କ ଠାରୁ ଯାହା ଚାହୁଁଥିଲେ, ତା’କୁ ପୂରଣ କରିବା ପାଇଁ ଆମକୁ ପୂରା ଦମରେ କାମ କରିବାକୁ ପଡ଼ିବ।

ଆସନ୍ତାକାଲି ଅର୍ଥାତ ଜୁଲାଇ ୨୬ ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନ ଭାରତୀୟ ସେନାର ପରାକ୍ରମ ଓ ସଂଯମର ପ୍ରତୀକ। ଆଜି ମୁଁ ଦେଶର ସେନା ଓ ନାଗରିକମାନଙ୍କୁ କାର୍ଗିଲ ଦିବସର ଆଗୁଆ ଶୁଭେଚ୍ଛା ଜଣାଉଛି।”

ନିଜ ସମ୍ପର୍କରେ ସୂଚନା ଦେଇ ମାଡାମ ପ୍ରେସିଡେଣ୍ଟ କହିଛନ୍ତି, “ମୁଁ ମୋର ଜୀବନ ଯାତ୍ରା ଓଡ଼ିଶାର ଗୋଟିଏ ଛୋଟିଆ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି। ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ସେଠାରେ ପ୍ରାରମ୍ଭିକ ଶିକ୍ଷାପ୍ରାପ୍ତ କରିବା ବି ଗୋଟିଏ ସ୍ୱପ୍ନ। ଅନେକ ଘାତ ଓ ପ୍ରତିଘାତ ସତ୍ତ୍ୱେ ମୁଁ ଦୃଢ଼ାମନା ହୋଇ ପଢ଼ିଥିଲି ଓ ଆମ ଗାଁର ପ୍ରଥମ ଝିଅ ଭାବେ କଲେଜ ଯାଇଥିଲି। ମୁଁ ଜନଜାତି ସମାଜରୁ ଆସିଛି। ତଥାପି ମୁଁ ୱାର୍ଡ କାଉନସିଲରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛି। ଏହା ଗଣତନ୍ତ୍ରର ଜନକ ଭାରତ ବର୍ଷର ମହାନତା।

ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ଏହା ପ୍ରତ୍ୟେକ ଗରିବଙ୍କର ଉପଲବ୍ଧି। ମୋର ନିର୍ବାଚିତ ହେବାର ଅର୍ଥ ଦେଶରେ ଗରିବମାନେ ସ୍ୱପ୍ନ ବି ଦେଖି ପାରିବେ ଓ ଏହାକୁ ପୂରଣ ମଧ୍ୟ କରିପାରିବେ। ଗରିବ, ପଛୁଆ ବର୍ଗ ଓ ଆଦିବାସୀମାନେ ମୋତେ ନିଜର ପ୍ରତିନିଧି ଭାବେ ଦେଖୁଥିବାରୁ ମୁଁ ବହୁତ ଖୁସି।

ମୁଁ ଦେଶର ନାଗରିକ ବିଶେଷ କରି ଯୁବଗୋଷ୍ଠୀଙ୍କୁ କହିବାକୁ ଚାହେଁ ଯେ ଆପଣମାନେ କେବଳ ନିଜର ଭବିଷ୍ୟତ ନୁହେଁ ଦେଶର ଭବିଷ୍ୟତ ପାଇଁ ମଧ୍ୟ ମୂଳଦୁଆ ପକାନ୍ତୁ। ରାଷ୍ଟ୍ରପତି ଭାବେ ମୋର ପୂର୍ଣ୍ଣ ସମର୍ଥନ ଆପଣମାନଙ୍କ ସହ ରହିଛି। ପଛୁଆ ବର୍ଗଙ୍କ ବିକାଶ ହିଁ ମୋର ମୂଳ ଲକ୍ଷ୍ୟ। ପ୍ରତିଟି କ୍ଷେତ୍ରର ବିକାଶରେ ଭାରତ ନୂଆ ଅଧ୍ୟାୟ ଯୋଡ଼ିବାରେ ଲାଗିଛି। କୋଭିଡ ବିରୋଧରେ ଭାରତର ଲଢ଼େଇ ବିଶ୍ୱ ଦରବାରରେ ପରିଚିତ ହୋଇପାରିଛି। ବିଶ୍ୱରେ ଭାରତର ପ୍ରଭାବ ବଢ଼ିଛି। ସମ୍ବିଧାନକୁ ଦୃଷ୍ଟିରେ ରଖି ମୁଁ ପୂରା ନିଷ୍ଠାର ସହ କାମ କରିବି। ଜଗତ କଲ୍ୟାଣ ଭାବନା ସହିତ ମୁଁ ଆପଣ ସମସ୍ତଙ୍କ ବିଶ୍ୱାସକୁ ସାଙ୍ଗରେ ଧରି ପୂରା ନିଷ୍ଠାର ସହ କାମ କରିବାକୁ ସର୍ବଦା ତତ୍ପର ରହିବି।”

Related story