ଜେଲଦଣ୍ଡ ପାଇ ଥିବା ସିଦ୍ଧୁ ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୩୪ ବର୍ଷ ପୁରୁଣା ରୋଡ ରେଜ ମାମଲାରେ ସିଦ୍ଧୁଙ୍କୁ ବର୍ଷ ଜେଲଦଣ୍ଡ ମିଳିଥିବା ବେଳେ ସେ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା କହି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟରେ ଅଧିକ ସମୟ ମାଗିଛନ୍ତି। ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଆଜି ଜଷ୍ଟିସ ଏଏମ ଖାନୱିଲକରଙ୍କ ନିକଟରେ ଅଧିକ […]

sidhu

Hemant Lenka
  • Published: Friday, 20 May 2022
  • , Updated: 20 May 2022, 12:40 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୩୪ ବର୍ଷ ପୁରୁଣା ରୋଡ ରେଜ ମାମଲାରେ ସିଦ୍ଧୁଙ୍କୁ ବର୍ଷ ଜେଲଦଣ୍ଡ ମିଳିଥିବା ବେଳେ ସେ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା କହି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟରେ ଅଧିକ ସମୟ ମାଗିଛନ୍ତି।

ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଆଜି ଜଷ୍ଟିସ ଏଏମ ଖାନୱିଲକରଙ୍କ ନିକଟରେ ଅଧିକ ସମୟ ଲୋଢ଼ିଥିଲେ। ତେବେ ସେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠରେ ଏନେଇ ଆବେଦନ କରିବାକୁ ସିଙ୍ଘଭୀଙ୍କୁ ପରାମର୍ଶ ଦେଇଛନ୍ତି।

୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁ ଓ ଗୁରନାମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସିଦ୍ଧୁ ତାଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହାର ବିଚାର କରି ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ତେବେ ଆଜି ସିଦ୍ଧୁଙ୍କ ଓକିଲ ମେଡିକାଲ ଗ୍ରାଉଣ୍ଡରେ ଆତ୍ମସମର୍ପଣ ପାଇଁ ୩ରୁ ୪ ସପ୍ତାହ ସମୟ ଦେବାକୁ ଦାବି କରିଥିଲେ। ଆଜି ଶୁଣାଣି ବେଳେ ପଞ୍ଜାବ ସରକାର ସିଦ୍ଧୁଙ୍କ ଆବେଦନକୁ ବିରୋଧ କରିଥିଲେ। ପଞ୍ଜାବ ସରକାରଙ୍କ ଓକିଲ କହିଥିଲେ “ଘଟଣାକୁ ୩୪ ବର୍ଷ ବିତିଯିବାର ଅର୍ଥ ନୁହେଁ ଯେ ଅପରାଧ ମରିଗଲା। ବର୍ତ୍ତମାନ ଏହି ମାମଲାର ରାୟ ଆସିଛି। ତଥାପି ସେମାନେ ୩ ରୁ ୪ ସପ୍ତାହ ସମୟ ଆହୁରି ମାଗୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ।” ସିଦ୍ଧୁଙ୍କ ଓକିଲ ସିଙ୍ଘଭୀ କହିଥିଲେ, “ମୁଁ(ସିଦ୍ଧୁ) ଆତ୍ମସମର୍ପଣ କରିବି। କିନ୍ତୁ ଏବେ ଆପଣ ଆମ ଆବେଦନକୁ ବିଚାର କରନ୍ତୁ।”

ଏହାକୁ ଶୁଣି ଜଷ୍ଟିସ ଖାନୱିଲକର କହିଥିଲେ, “ଏ ସଂକ୍ରାନ୍ତରେ ଗୋଟିଏ ବିଧିବଦ୍ଧ ଆବେଦନ ଦିଆଯାଉ। ଆମେ ଏହାପରେ ବିଚାର କରିବୁ। ଆବେଦନକୁ ସିଜେଆଇଙ୍କ କୋର୍ଟରେ ଦାଖଲ କରନ୍ତୁ। ସେ ଏହା ଉପରେ ନିଷ୍ପତ୍ତି ନେବେ।” ଏହାର ଅର୍ଥ ସିଜେଆଇଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଯଦି ସେ ସିଦ୍ଧୁଙ୍କ ଆବେଦନ ଗ୍ରହଣ କରିବେ ନାହିଁ, ତା’ହେଲେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ରୋଡ ରେଜ ଘଟଣାକୁ ନେଇ ଆଇପିସି ଧାରା ୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ସେସନ୍‌ କୋର୍ଟ ଏହି ମାମଲାକୁ ଖାରଜ କରିଥିଲେ। ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ଡିସେମ୍ବର ୨୦୦୬ରେ ହାଇକୋର୍ଟ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଉଭୟଙ୍କୁ ୩ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ୨୦୦୬ରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସିଦ୍ଧୁ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଥିଲେ। ୨୦୧୮ ମେ’ ୧୫ରେ ଧାରା ୩୨୩ ଅନୁଯାୟୀ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଏଥିରେ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବା ପରେ ମୁକ୍ତ କରାଯାଇଥିଲା। କିନ୍ତୁ ୨୦୧୮ ସେପ୍ଟେମ୍ବର ୧୨ ପ୍ରାଣ ହରାଇଥିବା ଗୁରନାମଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି ପାଇଁ ମଧ୍ୟ ସୁପ୍ରିମକୋର୍ଟ ରାଜି ହୋଇଥିଲେ। ଏବେ ଶେଷରେ ସିଦ୍ଧୁଙ୍କ ବିରୋଧରେ ରାୟ ଆସିଛି।

Related story