ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ (କେନ୍ଦ୍ର ଶାସିତ ଅଞ୍ଚଳ) ପାଇଁ ଆଲର୍ଟ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି ଅନୁଯାୟୀ, ଚେନ୍ନାଇରୁ ପ୍ରାୟ ୯୦୦ କିମି ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସିଷ୍ଟମଟି କେନ୍ଦ୍ରିତ ହୋଇଛି। ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ସେନା ଏବଂ ନୌସେନା ସତର୍କ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେବାର ସମ୍ଭବାନା ରହିଛି। ସମ୍ଭାବ୍ୟ ବାତ୍ୟାଟି ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଦେଇ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ତଥା ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହେବ ବୋଲି ଆଇଏମଡି କହିଛି।
ସେହିପରି ଡିସେମ୍ବର ୮ରେ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ଆଇଏମଡି ପୂର୍ବାନୁମାନ କରିଛି। ତାମିଲନାଡ଼ୁର ୧୩ ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ତାମିଲନାଡୁରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ୬ଟି ଟିମ୍ ମୁତୟନ ଅଛନ୍ତି । ନାଗାପଟ୍ଟିନାମ, ଥାନଜାଭୁର, ଥିରୁଭାରୁର, କୁଡାଲୋର, ମାୟିଲାଡୁଥୁରାଇ ଏବଂ ଚେନ୍ନାଇରେ ଏହି ଟିମ୍ ନିୟୋଜିତ କରାଯାଇଛି। ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରୁ ତାମିଲନାଡୁରେ ଗତ କିଛି ଦିନ ହେଲା ଚେନ୍ନାଇରେ ରେକର୍ଡ ବର୍ଷା ଜାରି ରହିଛି । ଲଘୁଚାପ ହେବା ପରେ ରାଜ୍ୟରେ ବର୍ଷା ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି। ଏହି ବାତ୍ୟାର ନାମ ମାଣ୍ଡୋସ୍ ହେବ। ପାଳି ଅନୁସାରେ ୟୁଏଇ ଦ୍ୱାରା ଏହାର ନାମକରଣ କରାଯିବ। ଯାହାର ଅର୍ଥ ଆରବୀରେ ଭଣ୍ଡାର ବାକ୍ସ।