ନୂଆଦିଲ୍ଲୀ: କୋଭାକ୍ସିନ ଟିକା ତିଆରି ବେଳେ ବାଛୁରୀ ସେରମ ବ୍ୟବହାର ହେଉଛି। ବିରୋଧୀ କଂଗ୍ରେସ ଏଭଳି ଅଭିଯୋଗ ଆଣିଥିଲା। ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଅଭିଯୋଗର ସତ୍ୟତା ନାହିଁ। କାରଣ ବାଛୁରୀ ସେରମରେ ଭାଇରୋ ସେଲ ଛଡ଼ା ଯାଏ, ପରେ ଭାଇରୋ ସେଲ୍ରୁ ଭାଇରସ ବା ଭୂତାଣୁର ବଂଶବୃଦ୍ଧି ହୁଏ। ସେହି ଭୂତାଣୁକୁ ପାଣି ଓ ରସାୟନିକ ପ୍ରକ୍ରିୟାରେ ବିଶୋଧନ କରାଯାଇ ସେଥିରୁ ବାଛୁରୀ ସେରମକୁ ସଂପୂର୍ଣ୍ଣ ବାଦ କରାଯାଏ। ପରେ ଏହି ଭୂତାଣୁକୁ ନିଷ୍କ୍ରିୟ କରି ଟିକା ପ୍ରସ୍ତୁତ ହୁଏ। ତେଣୁ ଟିକାରେ ବାଛୁରୀର ରକ୍ତ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ। ଏବେ କିନ୍ତୁ ପଶୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅନ୍ତର୍ଜାତୀୟ ସଂଗଠନ ପେଟା ଟିକା ତିଆରି ବେଳେ ବାଛୁରୀ ରକ୍ତର ବ୍ୟବହାରକୁ ବିରୋଧ କରିଛି।
ଆଜି ଏ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କୁ ଚିଠି ଲେଖିଛି ପେଟା। ଦେଶରେ ଗୋହତ୍ୟା ଯେତେବେଳେ ବେଆଇନ ସେତେବେଳେ ବାଛୁରୀର ରକ୍ତକୁ ବ୍ୟବହାର କରିବା ମଧ୍ୟ ବେଆଇନ। ଅନେକ ଟିକା ମଧ୍ୟ ରହିଛି ଯେଉଁଥିରେ କୌଣସି ଜୀବର ସେରମ ବ୍ୟବହାର ହେଉନାହିଁ। ତେଣୁ ଟିକା ତିଆରି ବେଳେ ବିକଳ୍ପ ବ୍ୟବସ୍ଥାକୁ ଗ୍ରହଣ କରିବା ଦରକାର ବୋଲି ପେଟା କହିଛି। କେବଳ ବାଛୁରୀ ନୁହଁ କୌଣସି ପଶୁକୁ ଟିକା ତିଆରିରେ ବ୍ୟବହାର କରିବା ଠିକ୍ ନୁହେଁ ବୋଲି ଏହି ଅନ୍ତର୍ଜାତୀୟ ସଂଗଠନ କହିଛି।
ପେଟା ଡିସିଜିଆଇକୁ ଚିଠି ଲେଖି କୋଭାକ୍ସିନ ଟିକାର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେବାକୁ କହିଛି ଯେ ଆଗାମୀ ଦିନରେ ବିନା ବାଛୁରୀ ସେରମରେ ଟିକା ତିଆରି ହେବା ଦରକାର।
୨୦୦୧ର ପ୍ରିଭେନସନ ଅଫ କ୍ରୁଏଲିଟି ଟୁ ଆନିମଲ୍ସ ନିୟମ ଅନୁଯାୟୀ ଗର୍ଭବତୀ ପ୍ରାଣୀ ଏବଂ ୩ ମାସରୁ କମ ବୟସର ପଶୁମାନଙ୍କୁ ହତ୍ୟା କରିବା ବେଆଇନ୍। ତେଣୁ ଟିକା ଉତ୍ପାଦନରେ ଗୋଟିଏ କଅଁଳା ବାଛୁରୀକୁ ହତ୍ୟା କରି ତାର ସେରମ୍ ବ୍ୟବହାର କରିବା ଠିକ୍ ନୁହେଁ। ଭାରତର ଅନେକ ରାଜ୍ୟରେ ଗୋ ହତ୍ୟା ନିଷିଦ୍ଧ। ତେଣୁ ବାଛୁରୀ ସେରମର ବିକଳ୍ପ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ଦରକାର ବୋଲି ପେଟା କହିଛି। ସେହିପରି ଅନ୍ୟ ଦେଶରୁ ବାଛୁରୀ ସେରମ ଆଣି ଆମଦାନୀ କରି ବ୍ୟବହାର କରିବା ମଧ୍ୟ ଠିକ୍ ହେବନି। ଯଦି ବିଶ୍ୱର ସମସ୍ତ ଟିକା କମ୍ପାନୀ ବାଛୁରୀର ସେରମ ଉପରେ ନିର୍ଭର କରିବେ ତାହେଲେ ଅନେକ ଗୋ ହତ୍ୟା ହେବ। ଯାହାକି ବେଆଇନ୍ ବୋଲି ପେଟା କହିଛି।