ପାଟନା: ଶିକ୍ଷକ ନିଯୁକ୍ତି ଆଶାୟୀଙ୍କୁ ନିର୍ଦ୍ଧୁମ ମାଡ଼। ଶିକ୍ଷକ ନିଯୁକ୍ତିରେ ଅହେତକୁ ବିଳମ୍ବକୁ ବିରୋଧ କରି ବିହାରର ଆଶାୟୀମାନେ ଆଜି ବିକ୍ଷୋଭ କରିଥିବା ବେଳେ ପୁଲିସ ଲାଠିଚାର୍ଜ କରିଛି। ଶିକ୍ଷକ ପଦବୀ ପାଇଁ ଶତାଧିକ ଆଶାକର୍ମୀ ସୋମବାର ବିହାରର ରାଜଧାନୀ ପାଟନାରେ ଆନ୍ଦୋଳନ କରିଥିଲେ। ତେବେ ପୁଲିସ ଆନ୍ଦୋନକାରୀଙ୍କ ଉପରେ ଅମାନୁଷିକ ଭାବେ ଲାଠି ଚାର୍ଜ କରିଥିଲା। ଏହି ଲାଠି ଚାର୍ଜର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ନିଯୁକ୍ତି ଆଶାୟୀ ଜାତୀୟ ପତାକା ଧରି ରାସ୍ତାରେ ପଡ଼ି ନାରା ଦେଉଥିଲା ବେଳେ କେତେକ ପୁଲିସ ତାଙ୍କୁ ଘେରି ଲାଠିରେ ପିଟୁଛନ୍ତି। ସେ ଅସହାୟ ହୋଇ ଚିତ୍କାର କରୁଥିବା ବେଳେ ପୁଲିସ ତାଙ୍କୁ ନିର୍ଦ୍ଧୁମ ବାଡ଼ଉଥିବା ଦେଖିବାକୁ ମିଳିଛି । ପୁଲିସ ସହ ଜଣେ ବ୍ୟୁରୋକ୍ରାଟ ମଧ୍ୟ ତାଙ୍କୁ ପିଟୁଥିବା ଦେଖିବାକୁ ମିଳିଛି।
ସମ୍ପୃକ୍ତ ବାବୁ ଜଣକ ହେଲେ ପାଟନାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କେକେ ସିଂ। ପାଟନାର ଡାକ ବଙ୍ଗଳା ଛକରେ ଏହି ବିରୋଧ କରାଯାଇଥିଲା। ପରେ ସମ୍ପୃକ୍ତ ଯୁବକଙ୍କଠାରୁ ଜାତୀୟ ପତାକାଟି ଛଡ଼ାଇ ନିଆଯାଇଥିଲା। ଆଜି ଶିକ୍ଷକ ନିଯୁକ୍ତି ଅଶାୟୀମାନେ ଏକାଠି ହୋଇ ଆନ୍ଦୋଳନ କରିଥିଲେ। ଏହାକୁ ମୁକାବିଲା ପାଇଁ ପୁଲିସ ପାଣି ମାଡ଼ ମଧ୍ୟ କରିଥିଲା। ଆଶାୟୀଙ୍କ କହିବା କଥା ହେଲା ସେମାନେ ନିଯୁକ୍ତି ପାଇଁ ୨୦୧୯ରୁ ଅପେକ୍ଷା କରିଛନ୍ତି ।
ଗତ ୩ବର୍ଷ ଧରି କେବଳ ସରକାରଙ୍କ ତରଫରୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି। ନିକଟରେ ସକରାର ଗଠନ ହେବା ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ କହିଥିଲେ ଯେ, ପ୍ରଥମ କ୍ୟାବିନେଟରେ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ କିଛି ହୋଇନାହିଁ। ତେବେ ଆଜିର ଭିଡିଓ ଭାଇରାଲ ହେବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପାଟନା ଜିଲ୍ଲାପାଳଙ୍କ ସହ ଫୋନରେ କଥା ହୋଇଥିଲେ। ପାଟନା ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ପାଟନା ସେଣ୍ଟ୍ରାଲ ଏସପି ଏବଂ ଡିଡିସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଛନ୍ତି। ସେପଟେ ଏହି ଘଟଣାରେ ନବ ଗଠିତ ଜେଡି (ୟୁ)-ଆରଜେଡି ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ୨୦ ଲକ୍ଷ ଚାକିରି ଦେବା ବିଷୟରେ କହିଥିବା ନୀତୀଶ କୁମାରଙ୍କ ପୁଲିସ ପାଟନାରେ ବିରୋଧ କରୁଥିବା ଶିକ୍ଷକ ପ୍ରାର୍ଥୀଙ୍କୁ ଅମାନୁଷିକ ଭାବରେ ମାଡ ମାରିଛି। ଏହା ଜେଡି (ୟୁ) -ଆରଜେଡି ସରକାରଙ୍କ ପ୍ରକୃତ ଚେହେରା ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ଏକ ଟ୍ୱିଟ୍ରେ କହିଛନ୍ତି।