ଶ୍ରୀନଗର: ଜମ୍ମୁ କଶ୍ମୀରିର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଅର୍ଦ୍ଧସାମରିକ ବଳ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣକ ହେଉଛନ୍ତି ସିଆରପିଏଫ ସବଇନ୍ସପେକ୍ଟର ବିନୋଦ କୁମାର। ଗତ ସପ୍ତାହରେ ସୁରକ୍ଷାବଳ ଉପରକୁ ଆତଙ୍କବାଦୀଙ୍କର ଏହା ହେଉଛି ଦ୍ୱିତୀୟ ବଡ଼ ଆକ୍ରମଣ। ପୁଲୱାମାର ଗାଙ୍ଗୋକ୍ରସିଂରେ ଥିବା ଚେକ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ବିନୋଦ କୁମାର ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣ ପରେ ସେନା ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଅଧିକ ଜୋରଦାର କରାଯାଇଛି। ଏହି ଆକ୍ରମଣ ପାଇଁ ଆଇଏସଏସ ପ୍ରପାଗଣ୍ଡା ଆର୍ମ ଏମଏକ୍ୟୁ ନିଜକୁ ଦାୟୀ କରିଛି।
ସେମାନେ ଆହୁରି ଆକ୍ରଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ରବିବାର ଅପରାହ୍ନରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଗୋଙ୍ଗୁ କ୍ରସିଂ ନିକଟରେ ଥିବା ସର୍କୁଲାର ରାସ୍ତାରେ ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍ ଯାଞ୍ଚରେ ନିୟୋଜିତ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଏହା ପୂର୍ବରୁ ଜୁଲାଇ ୧୨ରେ ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲା। ଏହି ଅଞ୍ଚଳରେ ବହୁତ ଭିଡ଼ ରହୁଥିବାରୁ ଆତଙ୍କବାଦୀମାନେ ସହଜରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏଏସ୍ଆଇ ମୁଶତାକ୍ ଅହମ୍ମଦ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ। ଏହି ଆକ୍ରମଣରେ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ।