ନୂଆଦିଲ୍ଲୀ: ସଂସଦରେ ହୋଇପାରୁନି ଉଚିତ ଆଲୋଚନା। ବିନା ଉଚିତ ଢ଼ଙ୍ଗ ଆଲୋନନାରେ ହିଁ ଗୃହରେ ଆଇନ୍ ପ୍ରଣୟନ କରାଯାଉଛି। ଏହାକୁ ନେଇ ନିନ୍ଦା କରିଛନ୍ତି ସିଜେଆଇ। ପ୍ରଧାନ ବିଚାରପତି ଏନ୍ଭି ରମନା ସୁପ୍ରିମ କୋର୍ଟରେ ସ୍ୱାଧୀନତା ଦିବସ ଉପଲେକ୍ଷ ଅରୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂସଦର କାର୍ଯ୍ୟକାଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ସଂସଦରେ ଚାଲିଥିବା ହଟ୍ଟଗୋଳକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ବିଚାରପତି ଏନ୍ଭି ରମନା କହିଛନ୍ତି, 'ଆଇନ ପ୍ରଣୟନ କରିବା ସମୟରେ ସଂସଦରେ ଉପଯୁକ୍ତ ଆଲୋଚନାର ଅଭାବ ରହୁଛି। ଆଇନ ଉପରେ ବିତର୍କ ଅଭାବ ହେତୁ କୋର୍ଟକୁ ଆସୁଥିବା ମାମଲା ମଧ୍ୟ ବଢ଼ୁଛି। ବିନା ଆଲୋଚନାରେ କୌଣସି ବି ନୂଆ ନିୟମର ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ଜାଣିହେବ ନାହିଁ।'
ସିଜେଆଇ ବର୍ତ୍ତମାନର ସଂସଦ ସହ ପୂର୍ବର ସଂସଦକୁ ତୁଳନା କରିଛନ୍ତି। ପୂର୍ବରୁ ସଂସଦର ଉଭୟ ଗୃହରେ ବିତର୍କ ସକରାତ୍ମକ ଏବଂ ସମ୍ବେଦନଶୀଳ ଭାବେ ହେଉଥିଲା। ପ୍ରତ୍ୟେକ ଆଇନ ଉପରେ ଏକ ବିଶେଷ ଆଲୋଚନା ହେଉଥିଲା। କିନ୍ତୁ ବର୍ତ୍ତମାନ ସଂସଦ ଦ୍ୱାରା ପ୍ରସ୍ତୁତ ଆଇନରେ କୌଣସି ଖୋଲାପଣ ନାହିଁ। ସଂସଦର ଆଇନରେ କୌଣସି ସ୍ପଷ୍ଟତା ନାହିଁ। କେଉଁ ଉଦ୍ଦେଶ୍ୟରେ ଆଇନ ପ୍ରସ୍ତୁତ କରାଯାଉଛି ତାହା ଆମେ ଜାଣିପାରୁ ନାହୁଁ। ଏହା ଜନସାଧାରଣଙ୍କ ପାଇଁ କ୍ଷତିକାରକ। ପୂର୍ବରୁ ସଂସଦରେ ଆଇନଜୀବୀମାନେ ମଧ୍ୟ ଉପସ୍ଥିତ ରହୁଥିଲେ ବେଲି ରମନା କହିଛନ୍ତି। ଏଥିସହ ସାର୍ବଜନିକ ସେବା ପାଇଁ ଆଇନଜୀବୀମାନେ ମଧ୍ୟ ସଂସଦକୁ ସମୟ ଦେବା ଉଚିତ୍ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଜଷ୍ଟିସ ରମନା ଆହୁରି କହିଛନ୍ତି, ଦେଶ ସ୍ୱାଧୀନତା ହେବାର ପ୍ରଥମ ବର୍ଷଗୁଡିକରେ ସଂସଦରେ ସାଂସଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅଧିକାଂଶ ଆଇନଜୀବୀ ଥିଲେ। ଏହି କାରଣ ଯୋଗୁଁ ସଂସଦରେ ଜ୍ଞାନବର୍ଦ୍ଧକ ବିତର୍କ ହେଉଥିଲା। ବର୍ତ୍ତମାନ ଓକିଲ ଭାଇମାନେ ଏଥିପାଇଁ ଆଗକୁ ଆସିବା ଉଚିତ୍ ବୋଲି ସେ କହିଛନ୍ତି।
https://twitter.com/ANI/status/1426786555687890953?s=20