ନୂଆଦିଲ୍ଲୀ: ଖାଉଟିଙ୍କୁ ଝଟ୍କା, ଆଜି ପୁଣି ବଢ଼ିଳା ପେଟ୍ରୋଲ ଓ ଡିଜେଲ ଦାମ୍। ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ସେହିପରି ଡିଜେଲ ୯୫ ଟଙ୍କା ୯୩ ପଇସା ରହିଛି।
ଦେଶର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୯୯.୪୧ ଓ ୯୦.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୯୮.୫୦ ପଇସା ମହଙ୍ଗା ହୋଇଛି।
ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ପାଞ୍ଚ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।
ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି। ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବଢୁଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।