ନୂଆଦିଲ୍ଲୀ: ଏୟାରପୋର୍ଟଠୁ ଅଧିକ ଆକର୍ଷଣୀୟ ଦିଶିବ ରେଳ ଷ୍ଟେସନ୍ । କେବଳ ବାହାରୁ ଆକର୍ଷଣୀୟ ଦିଶିବନି, ଭିତରେ ବି ରହିବ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଓ ବ୍ୟବସ୍ଥା । ଆଉ ମାତ୍ର ୨ରୁ ସାଢ଼େ ୩ ବର୍ଷ ଭିତରେ କିଛି ଏଇଭଳି ଦିଶିବ । ଖୁବଶୀଘ୍ର ବାସ୍ତବତାର ରୂପ ନେବାକୁ ଯାଉଛି ନୂଆ ଭାରତର ନୂଆ ଷ୍ଟେସନ୍। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଦିଲ୍ଲୀ, ବାଣିଜ୍ୟକ ରାଜଧାନୀ ମୁମ୍ବାଇ ଏବଂ ଗୁଜରାଟର ଅହମ୍ମଦାବାଦ ରେଳଷ୍ଟେସନ୍ର ପୁନଃବିକାଶ ପାଇଁ ୧୦ ହଜାର କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ ।
ନୂଆଦିଲ୍ଲୀ ରେଳଷ୍ଟେସନ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ଗୁଜରାଟର ଅହମ୍ମଦାବାଦ ରେଳଷ୍ଟେସନରେ ପ୍ରଥମ ପର୍ଯ୍ୟାୟର ପୁନଃବିକାଶ ପାଇଁ ୧୦ ହଜାର କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଯୁଗ୍ମ-ଗମ୍ବୁଜାକାର ରୂପ ନେବାକୁ ଥିବା ନୂଆଦିଲ୍ଲୀ ରେଲେଓ୍ୱ ଷ୍ଟେସନରେ, ରେଳ ସେବା ସହିତ ବସ୍, ଅଟୋ ଓ ମେଟ୍ରୋ ରେଲ୍ ସେବାକୁ ସଂଯୋଗ କରାଯିବ। ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ୍ର ଐତିହ୍ୟ କୋଠାକୁ ନଛୁଇଁ ଆଖପାଖ କୋଠାର ପୁନଃବିକାଶ କରାଯିବ। ଅହମ୍ମଦାବାଦ ଷ୍ଟେସନର ଡିଜାଇନ୍ ମୋଢେରା ସୂର୍ଯ୍ୟ ମନ୍ଦିର ଦ୍ୱାରା ପ୍ରେରିତ ହେବ। ୬୦ ହଜାର କୋଟି ଟଙ୍କାରେ ଏହି ୩ଟି ସମେତ ଦେଶର ମୋଟ ୧୯୯ଟି ଷ୍ଟେସନର ପୁନଃବିକାଶ କରାଯିବ ବୋଲି କହିଛନ୍ତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଷ୍ଟେସନରେ ବିଶାଳ ରୁଫ୍ ପ୍ଲାଜା ରହିବ ରିଟେଲ୍, ଫୁଡ୍କୋର୍ଟ, କ୍ୟାଫେଟେରିଆ, ୱେଟିଂ ଲାଉଞ୍ଜ, ପିଲାଙ୍କ ଖେଳକୁଦ ସ୍ଥାନ ଓ ବୟସ୍କଙ୍କ ଅବସର ବିନୋଦନ ପାଇଁ ବ୍ୟବସ୍ଥା ରହିବ। ସ୍ଥାନୀୟ ଉତ୍ପାଦ ବିକ୍ରି ପାଇଁ ସୁବିଧା କରାଯିବ । ସହରର ଉଭୟ ପାର୍ଶ୍ୱକୁ ଷ୍ଟେସନ ସହ ସଂଯୋଗ କରାଯିବ ଏବଂ ରେଳ ଧାରଣାର ଉଭୟ ପଟେ ଷ୍ଟେସନ୍ ବିଲ୍ଡିଂ ନିର୍ମାଣ କରାଯିବ। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ସିସିଟିଭି ଓ ସାଇନେଜ୍ ସହିତ ଲିଫ୍ଟ ଓ ଏସ୍କାଲେଟର ଆଦି ବ୍ୟବସ୍ଥା ରହିବ । ବିନା ସମସ୍ୟାରେ ଗାଡ଼ି ଚଳାଚଳ ଓ ପାର୍କିଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ସୌର ଶକ୍ତିର ଉପଯୋଗ, ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ ପାଇଁ ଗ୍ରୀନ୍-ବିଲ୍ଡିଂ ଟେକ୍ନୋଲୋଜିର ବ୍ୟବହାର କରାଯିବ ଦିବ୍ୟାଙ୍ଗଙ୍କ ସୁବିଧାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ମୋଟାମୋଟି କହିବାକୁ ଗଲେ ରେଳ ଷ୍ଟେସନ ବିଲ୍ଡିଂ ସମ୍ପୃକ୍ତ ସହରର ଅନ୍ୟତମ ପରିଚୟ ପାଲଟିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଳ ଷ୍ଟେସନର ଉନ୍ନତୀକରଣ ଦ୍ୱାରା ଦୈନିକ ୨୦ ଲକ୍ଷ ଯାତ୍ରୀ ଉପକୃତ ହେବେ। ୩୫ ହଜାର ୭୪୪ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବଳ ମିଳିବ ବୋଲି ଆଶା ରଖିଛି କେନ୍ଦ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।