ନୂଆଦିଲ୍ଲୀ: ତ୍ରୁଣମୂଳ ସ୍ତରରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ମିଳୁ ପଦ୍ମ ପୁରସ୍କାର। ସେମାନଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହ୍ୱାନ କରିଛନ୍ତି । ଏନେଇ ରବିବାର ସେ ଟ୍ୱିଟ୍ କରି ଜଣାଇଛନ୍ତି।
ପ୍ରେରଣଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ପଦ୍ମ ସମ୍ମାନ ୱେବ୍ସାଇଟ୍ ମାଧ୍ୟମରେ ସୂଚନା ଅପ୍ଲୋଡ୍ କରିବାକୁ ମୋଦି କହିଛନ୍ତି। ଏହାକୁ ମୋଦି ‘ପିପୁଲ୍ସ ପଦ୍ମ’ ନାଁ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ସେପ୍ଟେମ୍ବର ୧୫ ରଖାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, 'ଭାରତରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ଅସାଧାରଣ କାର୍ୟ୍ୟ କରୁଛନ୍ତି । ପ୍ରାୟତଃ ‘ଆମେ ଏପରି ଲୋକମାନଙ୍କ ବିଷୟରେ ଅଳ୍ପ ଶୁଣିବାକୁ ପାଉ । ଆପଣ ଏପରି ପ୍ରେରଣାଦାୟକ ଲୋକଙ୍କୁ ଜାଣିଛନ୍ତି କି? ଆପଣ ତାଙ୍କୁ # ପିପୁଲ୍ସ ପଦ୍ମ ପାଇଁ ମନୋନୀତ କରିପାରିବେ।'
ମୋଦି ତାଙ୍କ ଟ୍ୱିଟରେ ହିଁ ପଦ୍ମ ପୁରସ୍କାରର ୱେବସାଇଟର ଏକ ଲିଙ୍କ ମଧ୍ୟ ଦେଇଛନ୍ତି, ଯେଉଁଠାରେ ଲୋକମାନେ ପ୍ରେରଣାଦାୟକ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଏଥିସହ ସରକାର ନିଜସ୍ୱ ନାମାଙ୍କନ ପତ୍ରର ବିକଳ୍ପ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଦେଶରେ ୧୯୫୪ ଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନ ଅନ୍ତର୍ଗତ ପଦ୍ମ ବିଭୁଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଉଛି।
https://twitter.com/narendramodi/status/1414085499971465216?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।