ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, କାଲି ଭରିବେ ନାମାଙ୍କନ
ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ ଘୋଷଣା ହେବା ପରେ ସେ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟୁଛନ୍ତି। ଆଜି ପ୍ରଥମେ ଦ୍ରୌପଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏନେଇ ଉଭୟଙ୍କ ଭେଟଘାଟର ଫଟୋ ପ୍ରଧାନମନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି। ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି। ସମାଜର ସମସ୍ତ ବର୍ଗରୁ ଦ୍ରୌପଦୀଙ୍କୁ ବିପୁଳ ସମର୍ଥନ ମିଳୁଛି। ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ । ସେହିପରି ଦ୍ରୌପଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି। ଆଜି ସନ୍ଧ୍ୟା ୫ଟାରେ ବେଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଦିଲ୍ଲୀରେ ଥିବା ବିଜେପି ଏମପି ଜୁଏଲ ଓରାମ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ତାଙ୍କର ଏହି ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।
ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ୯ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଥିଲେ। ଏମସିଏଲ୍ ଗେଷ୍ଟ ହାଉସ୍ରୁ ଜେଡ ପ୍ଲସ ସୁରକ୍ଷାରେ ଯାଇ ଆଜି ସକାଳେ ବିମାନବନ୍ଦରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ ପ୍ଲସ୍ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Met Smt. Droupadi Murmu Ji. Her Presidential nomination has been appreciated across India by all sections of society. Her understanding of grassroots problems and vision for India’s development is outstanding. pic.twitter.com/4WB2LO6pu9
— Narendra Modi (@narendramodi) June 23, 2022
ଦ୍ରୌପଦୀ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପିର ତୁଙ୍ଗ ନେତା ତାଙ୍କୁ ବିମାନବନ୍ଦର ଭିତରକୁ ପାଛୋଟି ନେଇ ଯାଇଥିଲେ। ଏହାପରେ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଶ୍ରୀମତୀ ମୁର୍ମୁ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଓ ଦଳକୁ ସେ ଭେଟି ପାରନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକୁ ଧନ୍ୟବାଦ ଜଣାଇବେ ଓ ତାଙ୍କୁ ସମର୍ଥନ ଜଣାଇବାକୁ ଅନ୍ୟ ଦଳ ଗୁଡ଼ିକୁ ନିବେଦନ କରିବେ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢ଼େଇ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।