କରୋନା ଟିକା ଉତ୍ପାଦନରେ ବାଧକ ସାଜିଛି ଆମେରିକା! ଏମିତି ଅନୁରୋଧ କଲା ସେରମ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତେ କହୁଛନ୍ତି। ହେଲେ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ଦ୍ରୁତ ଉତ୍ପାଦନ ଉପରେ ଆମେରିକା ବାଧକ ସାଜିଥିବା ଜଣାପଡ଼ିଛି। ଆମେରିକା ଟିକା ଉତ୍ପାଦନରେ ବ୍ୟବହୃତ କଞ୍ଚା ମାଲର ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଥିବାରୁ ଭାରତରେ ବିପୁଳ ସଂଖ୍ୟାରେ ଟିକା ଉତ୍ପାଦ ହୋଇପାରୁ ନାହିଁ। ଏ ବିଷୟରେ ଭାରତରେ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର […]

Vaccine

Hemant Lenka
  • Published: Friday, 16 April 2021
  • , Updated: 16 April 2021, 05:25 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତେ କହୁଛନ୍ତି। ହେଲେ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ଦ୍ରୁତ ଉତ୍ପାଦନ ଉପରେ ଆମେରିକା ବାଧକ ସାଜିଥିବା ଜଣାପଡ଼ିଛି। ଆମେରିକା ଟିକା ଉତ୍ପାଦନରେ ବ୍ୟବହୃତ କଞ୍ଚା ମାଲର ରପ୍ତାନୀ ଉପରେ ବ୍ୟାନ୍‌ ଲଗାଇଥିବାରୁ ଭାରତରେ ବିପୁଳ ସଂଖ୍ୟାରେ ଟିକା ଉତ୍ପାଦ ହୋଇପାରୁ ନାହିଁ।

ଏ ବିଷୟରେ ଭାରତରେ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ସେରମ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ଭାରତରେ ମଧ୍ୟ ଲୋକଙ୍କୁ ପ୍ରଦାନ କରାଯାଉଛି।

ପୁନାୱାଲା ଟ୍ୱିଟ କରି କହିଛନ୍ତି, ସମ୍ମାନୀୟ ରାଷ୍ଟ୍ରପତି ଜୋ ବାଇଡେନ, ଯଦି ଆପଣ ସତରେ ଏକାଠି ହୋଇ ଭାଇରସ ବିରୋଧରେ ଲଢ଼େଇ କରିବାକୁ ଚାହୁଁଛନ୍ତି, ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚା ମାଲର ରପ୍ତାନୀ ଉପରେ ଆମେରିକା ଲଗାଇଥିବା ବ୍ୟାନ୍‌କୁ ପ୍ରତ୍ୟାହାର କରନ୍ତୁ। ସବୁ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ମୁଁ ଆପଣଙ୍କୁ ଏପରି ନିବେଦନ କରୁଛି। ଏହାଦ୍ୱାରା ଟିକା ଉତ୍ପାଦନର ସ୍ପିଡ୍‌ ବଢ଼ିପାରିବ। ଆପଣଙ୍କ ପ୍ରଶାସନ ପାଖରେ ସବୁ ତଥ୍ୟ ରହିଛି ବୋଲି ପୁନାୱାଲ କହିଛନ୍ତି।


ଟିକା ଯୋଗାଣରେ ସେରମ ବିଳମ୍ବ କରୁଥିବାରୁ କିଛି ଦିନ ତଳେ ବ୍ରିଟେନରେ ଅବସ୍ଥାପିତ ଆଷ୍ଟ୍ରାଜେନେକା କମ୍ପାନୀକୁ ଲିଗାଲ ନୋଟିସ୍‌ କରିଥିଲା। ଏହାର ଜବାବରେ ପୁନାୱାଲା କହିଥିଲେ ଯେ ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚା ମାଲ ରପ୍ତାନୀ ଉପରେ ଆମେରିକା ପ୍ରଶାସନ ରୋକ ଲଗାଇଛି। ଏଥିପାଇଁ ଉତ୍ପାଦନ ପ୍ରଭାବିତ ହେଉଛି।

ସୂଚନାଯୋଗ୍ୟ, ଆମେରିକା ପ୍ରଶାସନ ଡିଫେନ୍ସ ଆକ୍ଟ ଲାଗୁ କରି ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚା ମାଲ ରପ୍ତାନୀ ଉପରେ ରୋକ ଲଗାଇଥିଲା। ଆମେରିକାର ଏହି ନିଷ୍ପତ୍ତି ଟିକାକୁ ବ୍ୟାନ୍‌ କରିବା ସହ ସମାନ ବୋଲି ମଧ୍ୟ ପୁନାୱାଲା କହିଥିଲେ।

Related story