'ଅବ୍ବାଜାନ୍‌'ଙ୍କ ପରେ ଏବେ 'ଚାଚାଜାନ୍‌'ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ ହଲଚଲ। ୟୁପି ଆସନ ହାତେଇବା ପାଇଁ ଚାଲିଛି ଜୋରଦାର କସରତ। ହେଉଛି ଘନ ଘନ ରାଲି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ବାକ୍‌ଯୁଦ୍ଧ। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବାଜାନ୍‌’ ଶବ୍ଦକୁ ନେଇ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଏଥିରେ ଏବେ ଏଣ୍ଟ୍ରି କରିଛି ‘ଚାଚାଜାନ୍‌’। ଚାଷୀ ସଙ୍ଗଠନ ନେତା ରାକେଶ ଟିକାୟତ ନିକଟରେ ୟୁପିର ହାପୁଣ୍ଡରେ ଏକ ରାଲି କରିଥିଲେ। […]

Rakesh-tikait

Madhupriya Mistry
  • Published: Wednesday, 15 September 2021
  • , Updated: 15 September 2021, 01:48 PM IST

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ ହଲଚଲ। ୟୁପି ଆସନ ହାତେଇବା ପାଇଁ ଚାଲିଛି ଜୋରଦାର କସରତ। ହେଉଛି ଘନ ଘନ ରାଲି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ବାକ୍‌ଯୁଦ୍ଧ। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ 'ଅବ୍ବାଜାନ୍‌' ଶବ୍ଦକୁ ନେଇ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଏଥିରେ ଏବେ ଏଣ୍ଟ୍ରି କରିଛି 'ଚାଚାଜାନ୍‌'।

ଚାଷୀ ସଙ୍ଗଠନ ନେତା ରାକେଶ ଟିକାୟତ ନିକଟରେ ୟୁପିର ହାପୁଣ୍ଡରେ ଏକ ରାଲି କରିଥିଲେ। ଏଥିରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ ଏଆଇଏମ୍‌ଆଇଏମ୍‌ ପ୍ରମୁଖ ଅସାଦୁଦ୍ଦିନ ଓୱେସୀଙ୍କୁ ବିଜେପିର 'ଚାଚାଜାନ୍‌' ବୋଲି କହିଛନ୍ତି। ବିଜେପିର 'ଚାଚାଜାନ୍‌' ଏବେ ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ବୋଲି ସେ କହିଛନ୍ତି।

'ଚାଚାଜାନ୍‌' ବିଜେପିକୁ ମନ ଇଚ୍ଛା ଗାଳିଗୁଲଜ କରୁଛନ୍ତି, ଏପରିକି ଦଳ ବିରୋଧରେ ସେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏସବୁ ସତ୍ତ୍ୱେ ତାଙ୍କ ବିରୋଧରେ କାହିଁକି କୌଣସି ମାମଲା ରୁଜୁ କରାଯାଉ ନାହିଁ। କାରଣ ବିଜେପି ଏବଂ ଏଆଇଏମ୍‌ଆଇଏମ୍‌ ଗୋଟିଏ ଦଳ ଭାବେ କାମ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଟିକାୟତଙ୍କ ଏହି 'ଚାଚାଜାନ୍‌' ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ଟିକାୟତ ଆହୁରି କହିଥିଲେ, ବିଜେପି କେଉଁ ଭଳି ରାଜନୀତି କରୁଛି, ତାହା ଉତ୍ତରପ୍ରଦେଶର ସାଧାରଣ ଜନତା ଜାଣି ସାରିଲେଣି। ସମୟ ଆସିଲେ ନିଶ୍ଚିତ ରୂପେ ସେମାନେ ଏହାର ଉଚିତ ଜବାବ ଦେବେ। ଏଥିସହ ଯଦି ତିନି କୃଷି ଆଇନ୍‌ ରଦ୍ଦ ନକରାଯାଏ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁଶୀନଗରରେ ଏକ ରାଲିରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ। କାହାର ନାଁ ନ ନେଇ ସେ କହିଥିଲେ, 'ଅବ୍ବାଜାନ' ବୋଲାଉଥିବା ବ୍ୟକ୍ତି ଗରିବ ଲୋକଙ୍କର ସମସ୍ତ ରାସନ ହଡପ କରିଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ପରେ ରାଜନୀତି ଜୋର ଧରିଥିଲା। ଆରମ୍ଭ ହୋଇଯାଇଥିଲା ବାକ୍‌ଯୁଦ୍ଧ। ଅଖିଳେଶ ଯାଦବ ମଧ୍ୟ ଯୋଗୀଙ୍କୁ ପାଲଟା ଟାର୍ଗେଟ କରିଥିଲେ। ସେ କହିଥିଲେ, 'ବିଜେପି ତା'ର ନିଜ ଅବସ୍ଥା କ'ଣ ଜାଣିଛି, ତେଣୁ ତାଙ୍କ ମୁଖିଆଙ୍କ ଭାଷା ଏବେ ବଦଳିଛି।'

https://twitter.com/ANI/status/1437986789180858372?s=20

Related story