ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଜର ରୋକଠୋକ୍ ଆଚରଣ ପାଇଁ ପରିଚିତ। ଏହାଛଡ଼ା ସେ ରାଜନୀତିରେ ପାଦ ଦେବା ପରଠାରୁ ବହୁ ଅସହାୟଙ୍କୁ ସହାୟତାର ମଧ୍ୟ ହାତ ବଢ଼ାଇଛନ୍ତି। ଗତବର୍ଷ ସେ ୧ ଟଙ୍କାରେ ‘ଜନ୍ ରୋଷେଇ’ କାର୍ଯ୍ୟକ୍ରମ କରିଥିବା ବେଳେ ଏବେ କରୋନା ସମୟରେ ସେ ଲୋକଙ୍କୁ ଅକ୍ସିଜେନ୍, ମେଡିସିନ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦେଇ ମହାନତାର ପରିଚୟ ଦେଇଛନ୍ତି। କିନ୍ତୁ କରୋନା ମେଡିସିନ୍ ବିତରଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ପିଆଇଏଲ୍ ଦାଖର କରାଯାଇଛି ।
ଏ ନେଇ ଗମ୍ଭୀର କହିଛନ୍ତି ଯେ ତାଙ୍କ ବିରୋଧରେ ହଜାରେ ପିଆଇଏଲ୍ ଦାଖଲ କରାଗଲେ ବି ସେ ଲୋକଙ୍କ ଜୀବନ ବଞ୍ଚାଇବା କାମ ଜାରି ରଖିବେ। ପୂର୍ବ ଦିଲ୍ଲୀର ସାଂସଦ ଗମ୍ଭୀର କହିଛନ୍ତି ଯେ ଲୋକଙ୍କ ସେବା ପାଇଁ ଯାହା ଆବଶ୍ୟକ ଲାଗିଲା ସେ ତାହା କରିଛନ୍ତି ଏବଂ ସେ ଏଥିପାଇଁ କୌଣସି ଦଣ୍ଡର ସାମ୍ନା କରିବାକୁ ପ୍ରସ୍ତୁତ ।
ବୁଧବାର ଗମ୍ଭୀର ଏକ ପ୍ରେସ୍ କନଫରେନ୍ସରେ ପ୍ରଶ୍ନର ଜବାବରେ କହିଛନ୍ତି, ମୁଁ ଯେଉଁ ମେଡିସିନ୍ ବାଣ୍ଟିଥିଲି, ତାହା ସେତେବେଳେ ଆବଶ୍ୟକ ଥିଲା । ଗୋଟିଏ ନୁହେଁ ଯଦି ମୋ ବିରୋଧରେ ହଜାର ପିଆଇଏଲ୍ ଦାଖଲ କରାଯିବ, ତଥାପି ମୁଁ ଲୋକଙ୍କ ସେବା ଜାରି ରଖିବି ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିବି । ସେ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିବେ। ଯଦି ଆଗକୁ ଏମିତି ସୁଯୋଗ ପୁଣି ମିଳିବ, ତାହେଲେ ଏହି କାମ ଜାରି ରଖିବି।
ଗମ୍ଭୀର କହିଛନ୍ତି, ଏବେ ପ୍ରଶ୍ନ ପଚରାଯିବା ଦରକାର ଯେ ଦିଲ୍ଲୀର ଦୋକାନରେ ମେଡିସିନ୍ କାହିଁକି ଉପଲବ୍ଧ ନଥିଲା ଏବଂ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ କାହିଁକି ଥିଲା। ମୁଁ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଛି, ଯାହା ମୁଁ କରୁଛି।
ସୂଚନାଯୋଗ୍ୟ, ଏହି ଅଭାବ ଭିତରେ ହାଇକୋର୍ଟ କୋଭିଡ୍-୧୯ ମେଡିସିନକୁ ରାଜନେତାଙ୍କ ଦ୍ୱାରା ବହୁଳ ମାତ୍ରାରେ କିଣିବା ମାମଲାର ତଦନ୍ତ କରିବା ପାଇଁ ସୋମବାର ଡ୍ରଗ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପିଆଇଏଲର ଶୁଣାଣି କରୁଥିବା ବିପିନ ସାଙ୍ଘୀ ଓ ଯଶମୀତ୍ ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ନିଶ୍ଚିତ ଯେ ଗମ୍ଭୀରଙ୍କ ଉଦ୍ଦେଶ୍ୟ ଠିକ୍ ଥିଲା। କିନ୍ତୁ ସେ ଯେଉଁଭଳି ଭାବେ ଏସବୁ କଲେ ତାହା ଅଜାଣତରେ ହେଉ ପଛେ, ତାହା ଭୁଲ୍।
ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଅକ୍ସିଜେନ୍ ସିଲିଣ୍ଡର, କନସେନଟ୍ରେଟର୍ ଓ କୋଭିଡ୍ ମେଡିସିନ୍ ଫାବିଫ୍ଲୁର ବିତରଣ କରିଥିଲେ। ଯାହା ପରେ ଦିଲ୍ଲୀ ପୁଲିସ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଗମ୍ଭୀରଙ୍କ ବୟାନ ମାଗିଥିଲା। ଯାହା ପରେ ଗମ୍ଭୀର କହିଛନ୍ତି, ’କ୍‘ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ କରିବି । ମାନବତା ମୋ ପାଇଁ ସବୁଠାରୁ ବଡ଼ ଧର୍ମ।’ ଗମ୍ଭୀରଙ୍କ ବିରୋଧରେ ଏହି ପିଆଇଏଲ୍ ଦୀପକ ସିଂହ ଦାଖଲ କରିଥିଲେ।