ଓମିକ୍ରନ ଭୟ: ଜାନୁଆରୀ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଆଜି ରୋକ ଲଗାଇ ଦିଆଯାଇଛି। ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ। ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ। ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, […]

Flight

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 07:51 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଆଜି ରୋକ ଲଗାଇ ଦିଆଯାଇଛି। ଏହି କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ।

ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ। ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, ତାହା ଜାରି ରହିବ।

ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉପରେ ଲାଗୁ ହେଉଥିବା କଟକଣା ସମ୍ପର୍କରେ ଡିଜିସିଏ କହିଛି ଯେ କାର୍ଗୋ ଓ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ। ସେହିପରି ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି।

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି। ଭାରତରେ ମଧ୍ୟ ଏହି ଭାରିଏଣ୍ଟ ଠାବ ହୋଇଛି। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି।


ଭାରତ ସରକାର ମଧ୍ୟ କଟକଣା ଲଗାଇବାରେ ବିଳମ୍ବ କରିନାହାନ୍ତି। ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସଂକ୍ରମଣ ପ୍ରବଳ ଦେଶ ବା ରିସ୍କ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର କରୋନା ଟେଷ୍ଟ ବିମାନବନ୍ଦରରେ କରାଯାଉଛି। ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖା ଯାଉଛି।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଏବେ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଛି।

Related story