ଆରଜେଡିକୁ ମିଳିପାରେ ୧୮ ମନ୍ତ୍ରୀ ପଦ, ଜେଡିୟୁକୁ ୧୪

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ରାଜ୍ୟରେ ବଡ଼ ଭାଇ ଭୂମିକାରେ ରହିବ। ଜେଡିୟୁ ପାଖରେ ମାତ୍ର ୪୩ଟି ଆସନ ଥିଲେ ମଧ୍ୟ ଆରଜେଡି ମୁଖ୍ୟମନ୍ତ୍ରୀ ପଦ ନୀତୀଶ କୁମାରଙ୍କୁ ଦେଇଛି। ତେଣୁ ନୀତୀଶ କୁମାରଙ୍କ ସରକାରରେ ଆରଜେଡିର ଦବଦବା ରହିବ। ବାଚସ୍ପତି ସମେତ ଦଳର ୧୬ରୁ ୧୮ଟି ମନ୍ତ୍ରୀ ପଦ ପାଇବ। ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ହୋଇଥିବା […]

RJD

  • Published: Friday, 12 August 2022
  • , Updated: 12 August 2022, 07:33 AM IST

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ରାଜ୍ୟରେ ବଡ଼ ଭାଇ ଭୂମିକାରେ ରହିବ। ଜେଡିୟୁ ପାଖରେ ମାତ୍ର ୪୩ଟି ଆସନ ଥିଲେ ମଧ୍ୟ ଆରଜେଡି ମୁଖ୍ୟମନ୍ତ୍ରୀ ପଦ ନୀତୀଶ କୁମାରଙ୍କୁ ଦେଇଛି। ତେଣୁ ନୀତୀଶ କୁମାରଙ୍କ ସରକାରରେ ଆରଜେଡିର ଦବଦବା ରହିବ। ବାଚସ୍ପତି ସମେତ ଦଳର ୧୬ରୁ ୧୮ଟି ମନ୍ତ୍ରୀ ପଦ ପାଇବ।

ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ବଡ଼ ପୁଅ ତେଜ ପ୍ରତାପ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଅଗଷ୍ଟ ୧୫ ପରେ ନୀତୀଶ କୁମାର ତାଙ୍କ କ୍ୟାବିନେଟ ସଦସ୍ୟଙ୍କ ନାଁ ଘୋଷଣା କରିବେ। ଏବେ କାହାକୁ କେଉଁ ବିଭାଗ ଓ ମହାଗଠବନ୍ଧନରେ ସାମିଲ ଥିବା ଦଳର ଗୁଡ଼ିକ ମଧ୍ୟରେ କାହାକୁ କେତେ ମନ୍ତ୍ରୀ ପଦ ମିଳିବ, ତା’ ଉପରେ ଆଲୋଚନା ଚାଲିଛି।

ମନ୍ତ୍ରୀ ପଦ ଭାଗ ବଣ୍ଟା ସମ୍ପର୍କରେ ଆଲୋଚନା କରିବାକୁ ତେଜସ୍ୱୀ ଯାଦବ ଦିଲ୍ଲୀରେ ଥିବା ବାପା ଲାଲୁ ପ୍ରସାଦଙ୍କ ପାଖରେ ପହଞ୍ଚିଛନ୍ତି। କଂଗ୍ରେସ ମଧ୍ୟ ଅଧିକରୁ ଅଧିକ ମନ୍ତ୍ରୀ ପଦ ପାଇବା ପାଇଁ ଲବି ଚଳାଇଛି। ସୂତ୍ର ଅନୁସାରେ, ବିହାରରେ ଗଠନ ହୋଇଥିବା ମହାଗଠବନ୍ଧନ ସରକାରେ ଜେଡିୟୁକୁ ୧୩ରୁ ୧୪ଟି ମନ୍ତ୍ରୀ ପଦ ମିଳିପାରେ। ସେହିପରି କଂଗ୍ରେସ ୩ରୁ ୪ଟି ଓ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା(ଏଜଏଏମ) ଗୋଟିଏ ମନ୍ତ୍ରୀ ପଦ ପାଇବ।

ଯଦି ସିପିଆଇ-ଏମଏଲ ମନ୍ତ୍ରୀ ପଦ ଚାହିଁବ, ତା’ହେଲେ ଏହି ସଂଖ୍ୟା ବଦଳିପାରେ। ବିହାର ସରକାରରେ ସିଧାସଳଖ ସାମିଲ ହେବ ନା କେବଳ ବାହାରୁ ସମର୍ଥନ କରିବ, ଏହା ଉପରେ ନିଷ୍ପତ୍ତି ନେବାକୁ ସିପିଆଇ-ଏମଏଲ ଶନିବାର ବୈଠକ ଡାକିଛି। ଏହି ବୈଠକରେ ଦଳର ରାଜ୍ୟ କମିଟିରେ ଥିବା ସଦସ୍ୟମାନେ ଯୋଗଦେବେ। ଏହାପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।

ତେଜ ପ୍ରତାପଙ୍କ ବ୍ୟତୀତ ଆରଜେଡିର ଆଲୋକ ମେହେତା, ଅନୀତା ଦେବୀ, ଶାହନୱାଜ ଆଲାମ, ଲଳିତ ଯାଦବ, ମେଧେପୁରା ବିଧାୟକ ଚନ୍ଦ୍ର ଶେଖର, କୁମାର ସବରଜୀତ ଓ ଅନୀଲ ସାହିନି ବିହାର ସରକାରେ ମନ୍ତ୍ରୀ ପଦ ପାଇ ପାରନ୍ତି। ଉଭୟ ଜାତି ଓ ଆଞ୍ଚଳିକ ସମାନତାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଗଠନ କରାଯିବ ବୋଲି ଏହି ସୂତ୍ରରେ କୁହାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସର ୩ ଜଣ ମନ୍ତ୍ରୀ ପଦ ପାଇବା ରେସ୍‌ରେ ଆଗରେ ଅଛନ୍ତି। ସେମାନେ ହେଲେ ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା, କଂଗ୍ରେସ ବିଧାୟକ ଦଳ ନେତା ଅଜିତ ଶର୍ମା ଓ ବିଜୟ ଶଙ୍କର ଦୁବେ। ବର୍ତ୍ତମାନର ବାଚସ୍ପତି ବିଜୟ କୁମାର ସିହ୍ନା ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ କରାଯାଇଥିବା ଅନୁରୋଧକୁ ଅନୁମତି ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ସମୟରେ ନୀତୀଶ କୁମାର ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।

Related story