ମୁମ୍ବାଇ: କଥା ବଦଳାଇଲେ ଶିବ ସେନା ନେତା ସଞ୍ଜୟ ରାଉତ। କହିଲେ, ସୋନିଆ ଗାନ୍ଧୀଙ୍କ ବଦଳରେ ଏନ୍ସିପି ସଭାପତି ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯାଉ ବୋଲି ସେ କେବେ ବି କହି ନାହାନ୍ତି। କଂଗ୍ରେସ ପକ୍ଷରୁ ଜୋରଦାର ସମାଲୋଚନା କରାଯିବା ପରେ ସେ ଏଭଳି ସଫେଇ ଦେଇଛନ୍ତି।
ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସଞ୍ଜୟ କହିଛନ୍ତି, ମୁଁ କେବେ କହି ନାହିଁ ଯେ ସୋନିଆ ଗାନ୍ଧୀଙ୍କ ବଦଳରେ ଶରଦ ପାୱାରଙ୍କୁ ୟୁପିଏ ଅଧ୍ୟକ୍ଷ କରାଯିବା ଉଚିତ୍। ଦେଶର ହିତପାଇଁ ୟୁପିଏକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମୁଁ କେବଳ ଏତିକି କହିଥିଲେ ଯେ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ମୁଁ କେବେ ସୋନିଆ ଗାନ୍ଧୀ ଅବା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିନାହିଁ।
ସେ ଆହୁରି କହିଛନ୍ତି, ଯେତେବେଳେ ବି ବିପକ୍ଷ ଦଳଗୁଡ଼ିକ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରନ୍ତି, ସେତେବେଳେ ମୁଁ ସେମାନଙ୍କ ସହିତ ରହିଛି।