୫୦% ସଂରକ୍ଷଣ ସୀମାର ତର୍ଜମା କରିବେ ସୁପ୍ରିମକୋର୍ଟ, ସବୁ ରାଜ୍ୟକୁ ଜବାବ ତଲବ

ନୂଆଦିଲ୍ଲୀ: ଦେଶର ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଥିବେ ୫୦% ସଂରକ୍ଷଣ ସୀମାର ପୁନଃ ତର୍ଜମା ହେବ। ଦୀର୍ଘ ୩ ଦଶନ୍ଧି ଧରି ସମଗ୍ର ଦେଶରେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରକୁ ଯିବା ଦରକାର କି ନାହିଁ , ତା’ର ଉତ୍ତର ଜାଣିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜବାବ ତଲବ କରିଛନ୍ତି। ୧୯୯୨ […]

sc

Hemant Lenka
  • Published: Monday, 08 March 2021
  • , Updated: 08 March 2021, 05:33 PM IST

ନୂଆଦିଲ୍ଲୀ: ଦେଶର ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଥିବେ ୫୦% ସଂରକ୍ଷଣ ସୀମାର ପୁନଃ ତର୍ଜମା ହେବ। ଦୀର୍ଘ ୩ ଦଶନ୍ଧି ଧରି ସମଗ୍ର ଦେଶରେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରକୁ ଯିବା ଦରକାର କି ନାହିଁ , ତା’ର ଉତ୍ତର ଜାଣିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜବାବ ତଲବ କରିଛନ୍ତି।

୧୯୯୨ ମସିହାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସଂରକ୍ଷଣ ବ୍ୟବସ୍ଥା ଉପରେ ଶୁଣାଣି କରିଥିଲେ। କେବଳ ଅତି ଜରୁରୀ ସ୍ଥିତିକୁ ବାଦ୍‌ ଦେଲେ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ ବୋଲି କହିଥିଲେ। ଏହାର ଅର୍ଥ ସୁପ୍ରିମକୋର୍ଟ ସଂରକ୍ଷଣ ଦେବା କ୍ଷେତ୍ରରେ ଲକ୍ଷ୍ମରେଖା ଟାଣିଥିଲେ। ବିଗତ ୩ ଦଶନ୍ଧି ମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ଅନେକ ସରକାର ଏହି ଲକ୍ଷ୍ମଣ ରେଖାକୁ ଅତିକ୍ରମ କରିଛନ୍ତି। ସେହିପରି ସେମାନେ ନିଜ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ବିଭିନ୍ନ ଉପାୟରେ ୬୦%ରେ ପହଞ୍ଚାଇ ସାରିଲେଣି।

ନିକଟରେ ମହାରାଷ୍ଟ୍ର ସରକାର ମରାଠାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏହା ୧୯୯୨ ମସିହାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସଂରକ୍ଷଣ ଲକ୍ଷ୍ମଣ ରେଖାକୁ ଅତିକ୍ରମ କରିଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା।

ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ଏସ୍ ଅବଦୁଲ ନଜିର, ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠ ଆବେଦନର ଶୁଣାଣି କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହେବା ଦରକାର କି ନାହିଁ, ତା’ର ଜବାବ ମାଗିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଇକୋନୋମିକାଲି ୱିକର ସେକସନ(ଇସିଡବ୍ଲ୍ୟୁ) କୋଟା ସଂଶୋଧନ ଉପରେ ମଧ୍ୟ ମତ ରଖିବାକୁ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ସଂରକ୍ଷଣ ସମସ୍ୟା କେବଳ ଗୋଟିଏ ରାଜ୍ୟରେ ସୀମିତ ନୁହେଁ। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବର ସବୁ ରାଜ୍ୟଗୁଡ଼ିକର ଜବାବ ଶୁଣିବାକୁ ପଡ଼ିବ। ସେହିପରି ଦରକାର ପଡ଼ିଲେ ମାର୍ଚ୍ଚ ୧୫ରୁ ଏହା ଉପରେ ନିୟମିତ ଶୁଣାଣି ମଧ୍ୟ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀ କହିଛନ୍ତି, ମରାଠା ସଂପ୍ରଦାୟଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୧୨% ଓ ଶିକ୍ଷା କ୍ଷେତ୍ରରେ ୧୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ପୂର୍ବରୁ ରାଜ୍ୟରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଏହା ସହ ମିଶାଇଲେ ୫୦%ରୁ ଅଧିକ ହୋଇଯାଉଛି। ତେଣୁ ଏହା ୧୯୯୨ରେ ସୁପ୍ରିମକୋର୍ଟ ସଂରକ୍ଷଣ ଉପରେ ଟାଣିଥିବା ଲକ୍ଷ୍ମଣ ରେଖାର ଉଲ୍ଲଙ୍ଘନ। ଏହାକୁ ପ୍ରଥମେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଯର୍ଥାଥ କହିଥିବାରୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story