ସ୍କୁଲ ଖୋଲିବାରୁ ସରକାରଙ୍କୁ ଘାଇଲା କଲେ ସୁପ୍ରିମକୋର୍ଟ, ଦେଲେ ୨୪ ଘଣ୍ଟାର ମହଲତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ହ୍ରାସ ହୋଇଥିବା ସରକାର କହୁଥିଲେ ମଧ୍ୟ ଏଥିରେ ସତ୍ୟତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ନେଇଥିବା ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଆମକୁ ଲାଗୁଛି କିଛି ବି ପଦକ୍ଷେପ ନିଆଯାଉନି ଓ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। […]

school

Hemant Lenka
  • Published: Thursday, 02 December 2021
  • , Updated: 02 December 2021, 12:55 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ହ୍ରାସ ହୋଇଥିବା ସରକାର କହୁଥିଲେ ମଧ୍ୟ ଏଥିରେ ସତ୍ୟତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ନେଇଥିବା ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଆମକୁ ଲାଗୁଛି କିଛି ବି ପଦକ୍ଷେପ ନିଆଯାଉନି ଓ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସମୟ ନଷ୍ଟ କରାଯାଉଛି।”

ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଜାରି ରହିଥିବା ପ୍ରଦୂଷଣକୁ ନେଇ କ୍ରମାଗତ ୪ର୍ଥ ସପ୍ତାହ ପାଇଁ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଶିଳ୍ପ ଓ ଗାଡ଼ି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି। ଏଥିସହ ପ୍ରଦୂଷଣ ସତ୍ତ୍ୱେ ସ୍କୁଲ କାହିଁକି ଖୋଲା ବୋଲି କହି ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଶୁଣାଣି ବେଳେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଥିଲେ। କୋର୍ଟ କହିଥିଲେ ଯେ “ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ କାହିଁକି ସ୍କୁଲ ଖୋଲିବାକୁ ଅନୁମତି ଦିଆଗଲା? ଆପଣ କହିଥିଲେ ୱାର୍କ ଫର୍ମ ହୋମ ସହ ସ୍କୁଲ ଓ କଲେଜ ବନ୍ଦ ଭଳି ପଦକ୍ଷେପ ନେଇଛନ୍ତି। ହେଲେ ଆମେ କାହିଁକି ଏହା ଦେଖି ପାରୁନୁ?

ଆପଣ ସବୁଦିନ ସତ୍ୟପାଠ ଦାଖଲ କରୁଛନ୍ତି। କମିଟି ଗଠନ କରି ରିପୋର୍ଟ ଦେଉଥିବା କଥା କହୁଛନ୍ତି। ହେଲେ ବାସ୍ତବରେ ଏଗୁଡ଼ିକ କାହିଁକି କାର୍ଯ୍ୟକାରୀ ହେଉନି? ସରକାରୀ ଅଧିକାରୀମାନେ ଘରେ ରହି କାମ କରିବେ। କିନ୍ତୁ ୩ରୁ ୪ ବର୍ଷର ଛୋଟ ପିଲାମାନେ ପ୍ରଦୂଷଣ ବଳୟ ମଧ୍ୟରେ ସ୍କୁଲ ଯିବେ? ଆପଣଙ୍କ ସରକାରଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଆମେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିବୁ।”

ସ୍କୁଲ ଖୋଲିବା ସମ୍ପର୍କରେ ଜବାବ ଦେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ “ସ୍କୁଲକୁ ନେଇ ଅନେକ ବିତର୍କ ଚାଲୁଛି। ପାଠପଢ଼ା ନଷ୍ଟ ହେଉଛି ବୋଲି ଅନେକ କହୁଛନ୍ତି। ଆମେ ଅନଲାଇନ ବିକଳ୍ପ ରଖି ସ୍କୁଲ ଖୋଲିବାକୁ ଅନୁମତି ଦେଇଛୁ।”

ଏହା ଶୁଣି ସିଜେଆଇ ଜଷ୍ଟିସ ରମନ୍ନା ଆହୁରି ବିରକ୍ତ ହୋଇଥିଲେ। ସେ କହିଛନ୍ତି, “ଆପଣ କହୁଛନ୍ତି ଏହାକୁ ଆପଣ ବିକଳ୍ପ ଭାବେ ରଖିଛନ୍ତି। କିନ୍ତୁ କିଏ ଘରେ ବସିବାକୁ ଚାହେଁ? ଆମମାନଙ୍କର ପିଲା ଓ ନାତିତାନୁଣୀ ବି ଅଛନ୍ତି। ମହାମାରୀ ଆରମ୍ଭ ହେବା ଦିନଠାରୁ ସେମାନେ ଭୋଗୁଥିବା ସମସ୍ୟା କଥା ଆମେ ଜାଣିଛୁ। ଯଦି ଆପଣ କୌଣସି ପଦକ୍ଷେପ ନ ନେବେ, ତା’ହେଲେ ଆମେ ବାଧ୍ୟ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଆପଣଙ୍କୁ ୨୪ ଘଣ୍ଟା ସମୟ ଦେଉଛୁ। ଆପଣ(ସିଙ୍ଘଭୀ) ଦିଲ୍ଲୀ ସରକାର ସ୍କୁଲ ଓ ଅଫିସ ଉପରେ କ’ଣ ପଦକ୍ଷେପ ନେଉଛନ୍ତି, ସେକଥା ଆମକୁ କହିବେ।”

ଶୁଣାଣି ବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସିଙ୍ଘଭୀ ପଢ଼ିଥିଲେ। ଏହାଶୁଣି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, “ଆପଣ ସବୁ କଥା କହୁଛନ୍ତି। କିନ୍ତୁ କାହିଁକି ଛୋଟ ପିଲାମାନେ ବ୍ୟାନର ଧରି ରାସ୍ତା ମଝିରେ ଛିଡ଼ା ହେଉଛନ୍ତି? ସେକଥା ଆମକୁ କୁହନ୍ତୁ।

କ’ଣ ସେମାନେ ଆପଣଙ୍କ ପ୍ରଚାର ପାଇଁ ଏପରି କରୁଛନ୍ତି? କେହି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଚିନ୍ତା କରନ୍ତୁ।” ଏହାର ଜବାବରେ ସିଙ୍ଘଭୀ କହିଥିଲେ,“ସେମାନେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ। ଆପଣ ଯଦି କହିବେ ଆମେ ସେମାନଙ୍କୁ ଉନ୍ନତ ଧରଣର ଇକ୍ୟୁପମେଣ୍ଟ ଦେଇପାରିବୁ।”

ଏକଥା ଶୁଣି ସିଜେଆଇ ଜଷ୍ଟିସ ରମନ୍ନା କହିଥିଲେ, “ଆପଣ ଟାସ୍କ ଫୋର୍ସ ତିଆରି କରିଛନ୍ତି। ଦିଲ୍ଲୀରେ କେତେ ଜଣ ସରକାରୀ ଅଧିକାରୀ ଏହି ଟାସ୍କ ଫୋର୍ସରେ ଅଛନ୍ତି? କେତେ ଜଣ କେନ୍ଦ୍ରରୁ ଅଛନ୍ତି? ୨୪ ଘଣ୍ଟା ଭିତରେ ପ୍ରଦୂଷଣ ଉପରେ ପଦକ୍ଷେପ ନିଅନ୍ତୁ।”

Related story