କୋଲକାତା: କିଛି ଦିନ ହେଲା ଅସୁସ୍ଥ ହୋଇପଡ଼ିଥିବା ଭେଟରାନ ବେଙ୍ଗଲୀ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିଲେ। ଆଜି ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା। ଡାକ୍ତରୀ ଟିମ୍ ତାଙ୍କ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲେ ମଧ୍ୟ ସନ୍ଧ୍ୟା ମୁଖାର୍ଜୀଙ୍କୁ ରକ୍ଷା କରି ପାରି ନଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରିଥିଲେ। ହେଲେ ଏହାକୁ ସେ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଝିଅ ସୌମି ଗୁପ୍ତା ପଦ୍ମଶ୍ରୀ ଗ୍ରହଣ କରିବାକୁ ମା’ ଚାହୁଁ ନଥିବା ସୂଚନା ଦେଇଥିଲେ। ସେତେବେଳେ ସେ କହିଥିଲେ, “ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଟେଲିଫୋନ୍ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ସମ୍ପତି ମାଗିଥିଲେ। ହେଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପରିଣତ ବୟସରେ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯିବା ଘଟଣାରେ ସେ ଅପମାନିତ ଅନୁଭବ କରୁଥିବା ମଧ୍ୟ କହିଥିଲେ। ଏଥିରେ କୌଣସି ରାଜନୀତି ନାହିଁ। ରାଜନୀତିରୁ ମୋ ମା’ ସବୁବେଳେ ଉପରେ। ଦୟାକରି କେହି ବି ଏହି ପ୍ରସଙ୍ଗରେ ରାଜନୀତି ନ କରନ୍ତୁ।”
Legendary Bengali singer Sandhya Mukherjee passes away following massive cardiac arrest: Hospital sources
— Press Trust of India (@PTI_News) February 15, 2022
୬୦ ଓ ୭୦ ଦଶକରେ ସନ୍ଧ୍ୟା ମୁଖାର୍ଜୀଙ୍କ ଗୀତ ବେଶ ଚର୍ଚ୍ଚାରେ ରହିଥିଲା। ସେ ବେଙ୍ଗଲୀ ଭାଷାରେ ପ୍ରାୟ ହଜାରେରୁ ଅଧିକ ଗୀତ ଗାଇଛନ୍ତି। ଏହାବାଦ ଅନ୍ୟ ୧୨ଟି ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ଲିଜେଣ୍ଡାରୀ କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ସହ ତାଙ୍କର ଯୁଗଳବନ୍ଦୀ ସମସ୍ତଙ୍କୁ ପସନ୍ଦ ଆସୁଥିଲା।
ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ୨୦୧୧ରେ ବେଙ୍ଗଲ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନୀତ କରିଥିଲେ। ୧୯୭୦ରେ ଜୟ ଜୟନ୍ତୀ ପାଇଁ ତାଙ୍କ ଶ୍ରେଷ୍ଠ ପ୍ଲେବ୍ୟାକ ସିଙ୍ଗର ଭାବେ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ବିୟୋଗରେ ଆଜି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।