ବାପାଙ୍କର ତମାଖୁ ଦୋକାନ, ପୁଅ ଏବେ IAS ଅଫିସର୍

ନୂଆଦିଲ୍ଲୀ: ବିହାରର ନୱାଦା ଜିଲ୍ଲାର ଜଣେ ଦୋକାନୀଙ୍କ ପୁଅ ନିରଞ୍ଜନ କୁମାର ପୁଣିଥରେ କମାଲ୍ କରିଛନ୍ତି। ଚାରିବର୍ଷର ବ୍ୟବଧାନ ପରେ ଦ୍ୱିତୀୟଥର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନିରଞ୍ଜନ। ନିରଞ୍ଜନଙ୍କ ପିତା ଅରବିନ୍ଦ କୁମାର ବସ୍ ଷ୍ଟାଣ୍ଡ ପାଖରେ ତମାଖୁ ଦୋକାନ ଚଳାନ୍ତି। ପୁଅର ସଫଳତା ପାଇଁ ଖୁସିରେ ଗଦଗଦ ହୋଇପଡ଼ିଛନ୍ତି ବାପା। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିରଞ୍ଜନ ଆଜି ଏହି ସଫଳତା ପାଇଛନ୍ତି। ଆରମ୍ଭରୁ ତାଙ୍କ ପାଖରେ ଟ୍ୟୁସନ୍ ଫି’ ପାଇଁ ଟଙ୍କା ଯୋଗାଡ଼ […]

ias

Ranjit Kumar Jena
  • Published: Sunday, 26 September 2021
  • , Updated: 26 September 2021, 05:12 PM IST

ନୂଆଦିଲ୍ଲୀ: ବିହାରର ନୱାଦା ଜିଲ୍ଲାର ଜଣେ ଦୋକାନୀଙ୍କ ପୁଅ ନିରଞ୍ଜନ କୁମାର ପୁଣିଥରେ କମାଲ୍ କରିଛନ୍ତି। ଚାରିବର୍ଷର ବ୍ୟବଧାନ ପରେ ଦ୍ୱିତୀୟଥର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନିରଞ୍ଜନ। ନିରଞ୍ଜନଙ୍କ ପିତା ଅରବିନ୍ଦ କୁମାର ବସ୍ ଷ୍ଟାଣ୍ଡ ପାଖରେ ତମାଖୁ ଦୋକାନ ଚଳାନ୍ତି। ପୁଅର ସଫଳତା ପାଇଁ ଖୁସିରେ ଗଦଗଦ ହୋଇପଡ଼ିଛନ୍ତି ବାପା।

ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିରଞ୍ଜନ ଆଜି ଏହି ସଫଳତା ପାଇଛନ୍ତି। ଆରମ୍ଭରୁ ତାଙ୍କ ପାଖରେ ଟ୍ୟୁସନ୍ ଫି' ପାଇଁ ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିଲା। କିନ୍ତୁ ଏହି କଷ୍ଟର ଫଳ ଆଜି ତାଙ୍କୁ ମିଳିଛି। ନିରଞ୍ଜନ ଚଳିତଥର ୫୩୫ ରାଙ୍କ ହାସଲ କରିଛନ୍ତି। ୨୦୧୬ରେ ସେ ୭୨୮ ରାଙ୍କ ପାଇଥିଲେ।ଏହି ରାଙ୍କ ଆଧାରରେ ସେ ଆଇଆରଏସ୍ ଚାକିରି ପାଇଛନ୍ତି। ଏବେ ସେ ଦିଲ୍ଲୀରେ ଆୟକର ବିଭାଗରେ ଡେପୁଟୀ କମିଶନର ଅଛନ୍ତି।

ବିହାର ନୱାଦା ଜିଲ୍ଲାର ପକରୀବାରୱାନ ଗାଁରେ ରହୁଥିବା ନିରଞ୍ଜନ କୁମାରଙ୍କ ପାଇଁ ୟୁପିଏସପି ପ୍ରସ୍ତୁତି ଆରମ୍ଭ କରିବା ସହଜ ନଥିଲା। ତାଙ୍କ ଘରର ପରିସ୍ଥିତି ଠିକ୍ ନଥିଲା। ପିତାଙ୍କର ଏକ ଛୋଟିଆ ଖଇନି ଦୋକାନ ଅଛି, ଯେଉଁଥିରେ କଷ୍ଟେମଷ୍ଟେ ଘର ଚଳୁଥିଲା। ଚାରି ଭାଇ-ଭଉଣୀଙ୍କ ପାଠପଢ଼ାର ବନ୍ଦୋବସ୍ଥ କରିବା ପରିବାର ପାଇଁ ବହୁତ କଷ୍ଟକର ଥିଲା, କିନ୍ତୁ ଏହା ସତ୍ତ୍ୱେ ପରିବାର ନିରଞ୍ଜନଙ୍କର ସାଥ୍ ଛାଡ଼ିନଥିଲେ। ଏପରିକି ନିରଞ୍ଜନ ମଧ୍ୟ ହାର୍ ମାନିନଥିଲେ।

ନିରଞ୍ଜନଙ୍କ ପାଠପଢ଼ା ଖର୍ଚ୍ଚ ପରିବାର ଉପରେ ମହଙ୍ଗା ପଡ଼ୁଥିଲା। ଆଉ ଏହି ସମୟରେ ନିରଞ୍ଜନଙ୍କର ନବୋଦୟ ବିଦ୍ୟାଳୟରେ ସିଲେକ୍ସନ୍ ହୋଇଥିଲା। ସେଠାରେ ପାଠପଢ଼ା ପାଇଁ କୌଣସି ଖର୍ଚ୍ଚ ନଥିଲା ଏବଂ ପଢ଼ିବା ପାଇଁ ବହୁତ ସୁବିଧା ଥିଲା। ଏଠାରୁ ଦଶମ ପାସ କରିବା ପରେ ସେ ଇଣ୍ଟର ପାଠପଢ଼ା ପାଇଁ ପାଟନା ଯାଇଥିଲେ। କିନ୍ତୁ ସମସ୍ୟା ପୁଣି ଥରେ ନିରଞ୍ଜନଙ୍କ ସାମ୍ନାରେ ଛିଡ଼ା ହୋଇଥିଲା। ଏବେ ପୁଣି ଥରେ ନିରଞ୍ଜନ ପାଠପଢ଼ା ପାଇଁ ଟଙ୍କା ଆବଶ୍ୟକ ଥିଲା। ଆଉ ଏଥିପାଇଁ ସେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଦେଲେ।

ନିଜର କୋଚିଂ ପାଇଁ ତାଙ୍କୁ ପ୍ରତିଦିନ ଦୂର ବାଟ ଖାଲିପାଦରେ ଯିବାକୁ ପଡ଼ୁଥିଲା। ଦ୍ୱାଦଶ ପରୀକ୍ଷା ପରେ ତାଙ୍କର ସିଲେକ୍ସନ ଆଇଆଇଟି ପାଇଁ ହୋଇଥିଲା। ଆଉ ଏହିଠାରୁ ପରିବାରର ଆଶା ବଢ଼ିଥିଲା। ଇଞ୍ଜିନିୟରିଂ ପାଠପଢ଼ା ପରେ ତାଙ୍କୁ କୋଲ୍ ଇଣ୍ଡିଆରେ ଚାକିରି ମିଳିଲା। ଏହା ପରେ ନିରଞ୍ଜନଙ୍କର ବିବାହ ହେଲା। କିନ୍ତୁ ଆଇଏଏସ୍ ହେବା ନିରଞ୍ଜନଙ୍କର ସ୍ୱପ୍ନ ଥିଲା। ଯେଉଁଥି ପାଇଁ ସେ ପୁଣିଥରେ ପ୍ରସ୍ତୁତିରେ ଲାଗି ପଡ଼ିଲେ।

ନିରଞ୍ଜନଙ୍କର ପରିଶ୍ରମ ଓ ସଂଘର୍ଷ ସେତେବେଳେ ସଫଳ ହେଲା, ଯେତେବେଳେ ସେ ୨୦୧୬ରେ ୟୁପିଏସସି ପାସ୍ କଲେ। ରାଙ୍କ ଆଧାରରେ ତାଙ୍କୁ ଆଇଆରଏସ୍ ପାଇଁ ମନୋନୀତ କରାଗଲା। କିନ୍ତୁ ଆଇଏଏସ୍ ହେବା ତାଙ୍କର ସ୍ୱପ୍ନ ଥିଲା। ଆଉ ନିଜର ଦ୍ୱିତୀୟ ପ୍ରୟାସରେ ନିରଞ୍ଜନ ଆଇଏଏସ୍ ପାଇବାରେ ସଫଳ ହୋଇଛନ୍ତି।
ଆଜି ନିରଞ୍ଜନଙ୍କ ଏହି ସଫଳତାରେ ମା' ଯଶୋଦା ଦେବୀ ଓ ପିତା ଅରବିନ୍ଦ କୁମାର ବହୁତ ଖୁସି ହୋଇଛନ୍ତି। ନିରଞ୍ଜନ ଖୁବଶୀଘ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। କୋଭିଡ୍-୧୯ ମହାମାରୀ ଯୋଗୁ ବାପା ଅରବିନ୍ଦଙ୍କର ଖଇନି ଦୋକାନ ବନ୍ଦ ରହିଥିଲା। କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କ ବାପା ଆଉ ଦୋକାନ ଖୋଲିପାରିନାହାନ୍ତି।

Related story