ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କ ଉପରେ ଆଜି ନିଶାନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଂଗ୍ରେସ ଅଧ୍ୟକ୍ଷ ପାଇଁ ଦୁହେଁ ମ୍ୟୁଜିକ ଚେୟାର ଖେଳୁଛନ୍ତି। ଏମାନେ ଦୁହେଁ ଆଉ କାହାକୁ ଏହି ପଦ ଦେବାକୁ ଚାହାନ୍ତି ନାହିଁ। ଆଜି ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ହଙ୍ଗାମା କରିବା ପରେ ସମ୍ବିତ ପାତ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ଗାନ୍ଧି ପରିବାରର ଆଉ ସୁଦିନ ନାହିଁ। ସେମାନେ ଏହା ହୃଦୟଙ୍ଗମ କରିପାରିଛନ୍ତି। ତେଣୁ ସେମାନେ ପୁଣି ଥରେ ତାଙ୍କ ସ୍ଥାନ ଜାହରି କରିବା ପାଇଁ ରାଲି ଅଭିମୁଖେ ବାହାରି ପଡ଼ିଛନ୍ତି। କିନ୍ତୁ କଂଗ୍ରେସର ଏହି ହଙ୍ଗାମା ଦେଶବାସୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ, ଉଭୟ ମା-ପୁଅଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବହୁ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି।
ଉଭୟଙ୍କ ଉପରେ ଦଳୀୟ ନେତାଙ୍କ ଭରଷା ନାହିଁ। କଂଗ୍ରେସରେ ଗାନ୍ଧି ପରିବାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ତେଣୁ ପୁଣି ଥରେ ନିଜ ଆସନକୁ ପକ୍କା କରିବା ପାଇଁ ଗାନ୍ଧି ପରିବାର ହୋହଲ୍ଲା ଅଭିଯାନରେ ମାତିଛନ୍ତି। ଦରଦାମ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀର ରାମଲୀଳା ମୈଦାନାରେ ଅନୁଷ୍ଠିତ ସଭାରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତରେ ମୋଦୀ ସରକାର ଆସିବା ପରେ ଦେଶରେ ଘୃଣା ଓ କ୍ରୋଧ ବଢିଯାଇଛି। । ସେ କହିଛନ୍ତି, ମୋଦୀ ସରକାରଙ୍କ ନୀତି ଦୁଇଟି ଶିଳ୍ପପତିଙ୍କୁ ସୁହାଉଛି । ସେମାନଙ୍କ ସହଯୋଗରେ ହିଁ ସେ ସରକାର ଗଠନ କରିପାରିଛନ୍ତି । ୟୁପିଏ ସରକାରଙ୍କ ଅମଳରେ ପେଟ୍ରୋଲ ଲିଟର ୭୦ ଟଙ୍କା ଥିବାବେଳେ ଏବେ ୧୦୦ ଟଙ୍କା ଟପିଯାଇଛି । ଦୁଗଧ ଲିଟର ୩୫ ଟଙ୍କା ଥିବାବେଳେ ଏବେ ୬୦ ଟଙ୍କା ହୋଇଯାଇଛି । ଏଲପିଜି ସିଲିଣ୍ଡର ୪୫୦ ଟଙ୍କା ଥିବାବେଳେ ଏବେ ୧୦୫୦ ଟଙ୍କା ରହିଛି । ଅଟା କିଲୋ ପିଛା ୨୨ ଟଙ୍କା ଥିବାବେଳେ ଏବେ ୪୦ ଟଙ୍କା ହୋଇଯାଇଛି ।
ଅନ୍ୟପଟେ ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି ତେବେ କଂଗ୍ରେସ ସଭାପତି ପଦ ପାଇଁ ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ଵକୁ ନେଇ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଅନେକ ଦଳର ନେତା ନିଶ୍ଚିତ ଅଛନ୍ତି ଯେ ଅକ୍ଟୋବରରେ ହେବାକୁ ଥିବା ଏହି ନିର୍ବାଚନରେ ରାହୁଲ ଗାନ୍ଧି ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ନେତାମାନେ ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧି ନିଶ୍ଚିତ ଭାବରେ ସେମାନଙ୍କ ଅନୁରୋଧ ଗ୍ରହଣ କରିବେ ।