ବିପର୍ଯ୍ୟୟ ପରେ ସିଦ୍ଧୁଙ୍କୁ ବାହାରର ରାସ୍ତା ଦେଖାଇଲେ ସୋନିଆ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ବିପର୍ଯ୍ୟୟ ପରେ ଆକ୍ସନ ମୋଡକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ପଞ୍ଜାବରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସୋନିଆ। ଏହାବାଦ ଆଉ ୪ ରାଜ୍ୟ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରର କଂଗ୍ରେସ ମୁଖିଆ ମାନଙ୍କୁ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନର […]

sidhu

Hemant Lenka
  • Published: Tuesday, 15 March 2022
  • , Updated: 15 March 2022, 08:02 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ବିପର୍ଯ୍ୟୟ ପରେ ଆକ୍ସନ ମୋଡକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ପଞ୍ଜାବରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସୋନିଆ। ଏହାବାଦ ଆଉ ୪ ରାଜ୍ୟ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରର କଂଗ୍ରେସ ମୁଖିଆ ମାନଙ୍କୁ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ କଂଗ୍ରେସ ଶୋଚନୀୟ ପରାଜୟବରଣ କରିଛି। ଏପରି କି ଦଳ କ୍ଷମତାରେ ଥିବା ପଞ୍ଜାବରେ ମଧ୍ୟ ଗାଦିଚ୍ୟୁତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧି ସମସ୍ତ ୫ ରାଜ୍ୟର କଂଗ୍ରେସ ମୁଖିଆ ମାନଙ୍କୁ ଇସ୍ତଫା ଦେବାକୁ କହିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ କରି କହିଛନ୍ତି, “କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବର ପିସିସି ମୁଖ୍ୟମାନଙ୍କୁ ନିଜ ନିଜ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ପିସିସି ପୁର୍ନଗଠନ ପାଇଁ ଏପରି ପଦକ୍ଷେପ ନିଆଯାଇଛି।”

ରବିବାର ନିର୍ବାଚନ ବିପର୍ଯ୍ୟୟର ସମୀକ୍ଷା କରିବାକୁ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ସମୟରେ ସୋନିଆ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ବୋଲି କହିଥିଲେ। ହେଲେ ଦଳର ନେତାମାନେ ତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ।

ଫଳରେ ସୋନିଆ ଗାନ୍ଧି ପୂର୍ବଭଳି କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକର ଗୋଟିଏ ଦିନ ପରେ ୫ ରାଜ୍ୟର ପିସିସି ମୁଖ୍ୟମାନଙ୍କୁ ଇସ୍ତଫା ଦେବାକୁ ସୋନିଆ କହିଛନ୍ତି।

ଗତବର୍ଷ ଜୁଲାଇ ମାସରେ ପଞ୍ଜାବ ପିସିସି ମୁଖ୍ୟ ଭାବେ ନବଜୋତ ସିଂହ ସିଦ୍ଧୁ ନିଯୁକ୍ତ ହୋଇଥିଲେ। ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କ ତିକ୍ତତା ଲାଗି ରହିଥିବା ବେଳେ ସୋନିଆ ତାଙ୍କୁ ପଞ୍ଜାବ ମୁଖ୍ୟ କରିଥିଲେ। ହେଲେ ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରି କି ସିଦ୍ଧୁ ମଧ୍ୟ ନିଜ ପାରମ୍ପରିକ ଆସନ ଅମୃତସର ଇଷ୍ଟରୁ ପରାସ୍ତ ହୋଇଛନ୍ତି। ଏହି କାରଣରୁ ସୋନିଆ ତାଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି।

Related story