ନୂଆଦିଲ୍ଲୀ: କମିନି ମହାମାରୀ କରୋନା। ଖୁବଶୀଘ୍ର ଭାରତକୁ ଆସିପାରେ କରୋନାର ଚତୁର୍ଥ ଲହର। ୟୁରୋପ ଏବଂ ଦକ୍ଷିଣ ପୂର୍ବ ଏସିଆରେ କରୋନା ମାମଲା ଦ୍ରୁତଗତିରେ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପୁଣି କରୋନା ମୁଣ୍ଡ ଟେକିପାରେ ବୋଲି ଆଶଙ୍କା ବଢ଼ିବାରେ ଲାଗିଛି।
ଦକ୍ଷିଣ ପୂର୍ବ ଏସିଆର ଯଦି କଥା କହିବା ତେବେ ଚୀନ୍ରେ ପୁଣି ଥରେ ଏହି ମହାମାରୀ ତାଣ୍ଡବ ରଚିଛି। ଏଠାରେ ୧୪ ମାସ ପରେ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣ ପ୍ରାଣ ହରାଇଛନ୍ତି। ହଙ୍ଗକଙ୍ଗରେ ପ୍ରାୟ ସଂକ୍ରମଣ ମାମଲା ୧୦ ଲକ୍ଷ ଡେଇଁ ସାରିଲାଣି। ସେଠାରେ ଏହି ଭାଇରସ ବର୍ତ୍ତମାନ ଯାଏଁ ୫,୪୦୧ ଜଣଙ୍କ ଜୀବନ ନେଇସାରିଲାଣି। ସ୍ଥିତି ଏପରି ହୋଇଛି ଯେ, ଏଠାରେ କଫିନ ଅଭାବ ପଡିବାରୁ କରୋନା ମୃତକଙ୍କ ଶବକୁ ରେଫ୍ରିଜରେଟର ସିପିଂ କଣ୍ଟେନରରେ ରଖିବାକୁ ପଡୁଛି।
ସେପଟେ ସାଉଥ କୋରିଆରେ କରୋନା ମାମଲା ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି। ଏଠାରେ କରୋନା ସଂକ୍ରମିତଙ୍କ ମାମଲା ୯୦ ଲକ୍ଷ ପାର୍ କରିସାରିଲାଣି। ଏଠାରେ ତିନି ଦିନ ମଧ୍ୟ ୧୪ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି। ୟୁରୋପରେ ଫ୍ରାନ୍ସ, ଇଂଲଣ୍ଡ ଏବଂ ଇଟାଲିରେ ଏକ ସପ୍ତାହ ମଧ୍ୟରେ କରୋନା ମାମଲା ୩୦% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।
ଏ ସବୁକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ହୁ' କହିଛି, ମହାମାରୀ ଯେତିକି ବଡ ଦେଖାଯାଉଛି ପ୍ରକୃତରେ ଏହା ତା'ଠାରୁ ବି ଭୟଙ୍କର। ଏହାକୁ 'ଟିପ୍ ଅଫ୍ ଦ ଆଇସବର୍ଗ' କୁହାଯାଏ। ଏହି କରୋନା ମହାମାରୀ ଏତେ ଶୀଘ୍ର ଶେଷ ହେବ ନାହିଁ। ଆମେ ବର୍ତ୍ତମାନ ମହାମାରୀ ମଧ୍ୟରେ ବଞ୍ଚିଛେ। ଓମିକ୍ରନର ସବୁ ଭାରିଏଣ୍ଟ ରାପିଡ୍ ପିସିଆର୍ ଟେଷ୍ଟରେ ଜଣାପଡୁନାହିଁ। BA.1 ଓ BA.2 ମିଶି କରୋନା ନୂଆ ଭାରିଏଣ୍ଟ ମଧ୍ୟ ସୃଷ୍ଟି ହୋଇପାରେ, ଯାହା ବେଶ୍ ଚିନ୍ତାଜନକ। ଇସ୍ରାଏଲରେ ଏଭଳି ଦୁଇଟି ମାମଲା ସାମ୍ନାକୁ ଆସିଛି ବୋଲି ହୁ' କହିଛି।
ହୁ' ଆହୁରି କହିଛି, 'ସବୁଠୁ ବଡ ଭୁଲ ଧାରଣା ହେଉଛି 'ଓମିକ୍ରନ୍ ଭାରିଏଣ୍ଟ ବେଶ୍ ହାଲୁକା'। ଏହା ଶେଷ ଭାରିଏଣ୍ଟ ବୋଲି ଅନୁମାନ କରିବା ମଧ୍ୟ ଭୁଲ୍। ମନେରଖନ୍ତୁ ଯେ ମହାମାରୀ ସମାପ୍ତ ହୋଇନାହିଁ।'
ସେପଟେ ମାର୍ଚ୍ଚ ୨୭ରୁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ମଧର୍ଧ ଚର୍ତୁଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ 'ଚଳିତ ବର୍ଷ ଡିସେମ୍ବର ୨୦୨୧ରୁ ଫେବ୍ରୁଆରୀ ମଧ୍ୟରେ ତୃତୀୟ ଲହରରେ ଅଧିକାଂଶ ଲୋକଙ୍କ ପାଖରେ ଭାଇରସକୁ ମାତ ଦେବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇସାରିଛି। ଅଧିକାଂଶ ଜନସଂଖ୍ୟାକୁ ଟୀକାକରଣ କରାଯାଇଛି। ଏପରି ସ୍ଥିତିରେ, ଚତୁର୍ଥ ଲହର ଅତ୍ୟନ୍ତ ବିପଜ୍ଜନକ ହେବାର ସମ୍ଭାବନା କମ୍, କିନ୍ତୁ କରୋନା ଠାରୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।