ଅଲକାଏଦା ପରେ କଶ୍ମୀର ଉପରେ ଆଖି ପକାଇଲା ତାଲିବାନ

ନୂଆଦିଲ୍ଲୀ: ଭାରତର କଶ୍ମୀର ପ୍ରସଙ୍ଗରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିବା ତାଲିବାନ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। କଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି। ଏଥିରୁ ଆମକୁ କେହି ବି ନିବୃତ କରିପାରିବେ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତାଲିବାନ ପୂର୍ବରୁ ଆତଙ୍କୀ ସଂଗଠନ ଅଲକାଏଦା ମଧ୍ୟ କଶ୍ମୀର ସ୍ୱାଧୀନତା ପାଇଁ ଦାବି କରିଥିଲା। ତାଲିବାନର ମୁଖପାତ୍ର ସୁହାଲି ଶାହୀନ ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି, […]

Taliban1

Hemant Lenka
  • Published: Friday, 03 September 2021
  • , Updated: 03 September 2021, 06:04 PM IST

ନୂଆଦିଲ୍ଲୀ: ଭାରତର କଶ୍ମୀର ପ୍ରସଙ୍ଗରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିବା ତାଲିବାନ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। କଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି। ଏଥିରୁ ଆମକୁ କେହି ବି ନିବୃତ କରିପାରିବେ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତାଲିବାନ ପୂର୍ବରୁ ଆତଙ୍କୀ ସଂଗଠନ ଅଲକାଏଦା ମଧ୍ୟ କଶ୍ମୀର ସ୍ୱାଧୀନତା ପାଇଁ ଦାବି କରିଥିଲା।

ତାଲିବାନର ମୁଖପାତ୍ର ସୁହାଲି ଶାହୀନ ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି, “ଆମେ ମୁସଲିମ। ମୁସଲିମ ହିସାବରେ ଆମେ କଶ୍ମୀରରେ ରହୁଥିବା ମୁସଲିମଙ୍କ ସପକ୍ଷରେ ସ୍ୱର ଉଠାଇବାର ଅଧିକାର ପାଇଛୁ। କେବଳ କଶ୍ମୀର ନୁହେଁ, ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ମୁସଲିମଙ୍କୁ ସମର୍ଥନ କରିବାର ଅଧିକାର ଆମର ରହିଛି।

ଆମେ ସବୁବେଳେ ସ୍ୱର ଉଠାଇବୁ। ଆମେ କେବଳ ଗୋଟିଏ କଥା କହିବାକୁ ଚାହୁଁଛୁ ଯେ ମୁସଲିମମାନେ ମଧ୍ୟ ସ୍ଥାନୀୟ ସରକାରଙ୍କ ନିଜ ଲୋକ। ସେମାନେ ଉକ୍ତ ଦେଶର ନାଗରିକ। ତେଣୁ ସେମାନଙ୍କୁ ମଧ୍ୟ ସ୍ଥାନୀୟ ସରକାର ନିଜ ଆଇନ ଅନୁସାରେ ସମାନ ଅଧିକାର ଦେବା ଦରକାର। ତେଣୁ ଯେଉଁଠି ଅନ୍ୟାୟ ହେବ, ତା’ ବିରୋଧରେ ଆମେ ସ୍ୱର ଉଠାଇବୁ।”

ଏହାପୂର୍ବରୁ ତାଲିବାନର ଅନ୍ୟତମ ବରିଷ୍ଠ ନେତା ଅନ୍ସ ହକ୍କାନୀ ସଂଗଠନ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ଓ ଭାରତ ସହ ଭଲ ସମ୍ପର୍କ ରଖିବାକୁ ଉଦ୍ୟମ କରିବ ବୋଲି କହିଥିଲେ। ସେ କହିଥିଲେ, “କଶ୍ମୀର ଆମ ସୀମା ମଧ୍ୟରେ ନାହିଁ। ଏଥିରେ ହସ୍ତକ୍ଷେପ କରିବା ଆମ ପଲିସିର ବିରୋଧାଚରଣ। ତେଣୁ ଆମେ କେମିତି ଆମ ପଲିସି ବାହାରେ କାମ କରିବୁ?”

ତାଲିବାନର ରାଜନୀତିକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ ମଧ୍ୟ ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ତାଲିବାନ କେବେ ହେଲେ ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିଲେ। ହେଲେ ଏବେ ଶାହୀନଙ୍କ କଶ୍ମୀର ପ୍ରୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନାଯୋଗ୍ୟ, ଆମେରିକା ସେନା ଅଗଷ୍ଟ ୩୦ରେ ଆଫଗାନ ଛାଡ଼ିବା ପରେ ତାଲିବାନର ବିଜୟ ପାଇଁ ଅଲକାଏଦା ଗୋଟିଏ ବିବୃତି ଜାରି କରିଥିଲା। ଏଥିରେ ସଂଗଠନ ତାଲିବାନକୁ ଆଫଗାନ ଦଖଲ ପାଇଁ ଶୁଭେଚ୍ଛା ଜଣାଇବା ସହ କଶ୍ମୀରର ସ୍ୱାଧୀନତା କଥା ଉଠାଇଥିଲା।

ଅଲକାଏଦା କହିଥିଲା ଯେ “ଇସଲାମର ଶତ୍ରୁମାନଙ୍କ କବଳରୁ ପାଲେଷ୍ଟାଇନ, ସୋମାଲିଆ, ୟେମେନ, କଶ୍ମୀର ଓ ବିଶ୍ୱରେ ଥିବା ସମସ୍ତ ଇସଲାମିକ ଜମିକୁ ସ୍ୱାଧୀନତା ମିଳିବା ଦରକାର। ଏଗୁଡ଼ିକ ଇସଲାମର ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ଜରୁରୀ। ଓଃ ଆଲ୍ଲା! ବିଶ୍ୱରେ ଥିବା ସମସ୍ତ ମୁସଲିମ ବନ୍ଦୀମାନଙ୍କୁ ସ୍ୱାଧୀନତା ଦିଅନ୍ତୁ।” ତେବେ ଅଲକାଏଦାର ଏପରି କଶ୍ମୀର ବୟାନ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି।

Related story