ବେଙ୍ଗାଲୁରୁ: କରୋନା କଟକଣା ଚୁଲିକୁ ଯାଉ, କିନ୍ତୁ ଧାର୍ମିକ ଉତ୍ସବ ପାଳନ ହେଉ। ରଥ ଟଣା ଜାରି ରହୁ। ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ଦେଶରେ ଦ୍ରୁତଗତିରେ କରୋନା ଓ ଓମିକ୍ରନ୍ ମାମଲା ବଢ଼ି ଚାଲିଥିରେ ମଧ୍ୟ ଏଠାକାର ଲୋକଙ୍କୁ ଟିକେ ବି ଖାତିର ନାହିଁ। କରୋନାକୁ ଚ୍ୟାଲେଞ୍ଜ କରି ଲକ୍ଷ ଲକ୍ଷ ଲୋକେ ରଥ ଉତ୍ସବରେ ସାମିଲ ହୋଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକର ଚିକମାଙ୍ଗାଲୁର ଜିଲ୍ଲାରୁ କିଛି ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଏଠି ଲୋକେ କରୋନା କଟକଣାକୁ ଫୁ' କରି ଉଡାଇ ଦେଇଛନ୍ତି। ସାମୁହିକ ରୂପେ ଲୋକେ ଏକାଠି ହେବା ପାଇଁ ବାରଣ ଥିବା ସତ୍ତ୍ୱ ଲକ୍ଷ ଲକ୍ଷ ଲୋକେ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କ ମୁହଁରେ ମାସ୍କ ମଧ୍ୟ ନାହିଁ।
ଏଠାକାର ଶକୁନ ରଙ୍ଗନାଥ ସ୍ୱାମୀ ମନ୍ଦିରରେ ଆୟୋଜିତ ହୋଇଥିବା ରଥ ଉତ୍ସବରେ ଲୋକେ ମାନି ନାହାନ୍ତି କରୋନା କଟକଣା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ପାଇଁ ବାରଣ କରାଯାଇଥିଲେ ବି ଏହାକୁ ଖାତିର କରିନାହାନ୍ତି ଲୋକେ। ଶହ ଶହ ଲୋକ ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ ରଥ ଉପରେ ବସିଥିବା ପୂଜାରୀମାନେ ମଧ୍ୟ ମାସ୍କ ପିନ୍ଧିନଥିବା ଭିଡିଓରେ ଦେଖିବକୁ ମିଳିଛି।
ସୂଚନା ମୁତାବକ, କର୍ଣ୍ଣାଟକ ପୁଲିସ ସମସ୍ତ ଶୋଭାଯାତ୍ରା ତଥା ରାଜନୈତିକ ସମାବେଶକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାର କିଛି ଘଣ୍ଟା ପରେ ପରେ ହିଁ ପୁଲିସକୁ ଚ୍ୟାଲେଞ୍ଜ କରି ଏହି ଉତ୍ସବ ଆୟୋଜନ କରାଯାଇଛି।
ସ୍ଥାନୀୟ ତହସିଲଦାରଙ୍କୁ ଚିକମାଙ୍ଗାଲୁର ଡେପୁଟି କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏହି ଶୋଭାଯାତ୍ରା ଆୟୋଜନ କରିବା ପାଇଁ ମନା କରାଯାଇଥିଲା। କେବଳ ମନ୍ଦିର ପରିସରରେ ଉତ୍ସବ ପାଳନ କରାଯାଇପାରିବ ଏବଂ ଏଥିରେ ୫୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ ବୋଲି କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ସୋମବାର କର୍ଣ୍ଣାଟକରୁ ୨୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ସଂକ୍ରମଣ ହାର ୧୨.୪୫ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଏଠାରେ କରୋନାରେ ଆକ୍ରାନ୍ତ ହୋଇ ୧୪ ଜଣ ପ୍ରାଣ ହରାଇଛନ୍ତି। ଏଠାରେ କରୋନା ଆକ୍ଟିଭ୍ କେସ୍ ୨ଲକ୍ଷ ୧୭ ହଜାର ୨୯୭ଟି ଥିବା ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।