‘କ୍ଷମତା ଖେଳରେ ଡାକ୍ତରମାନେ ଫୁଟବଲ ନୁହନ୍ତି’, କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଏଲୀ: ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜ୍ୟୁଏଟ ସୁପର ସ୍ପେଶାଲିଟି(ନିଟ ଏସ୍ଏସ୍‌) ପରୀକ୍ଷା ୨୦୨୧ ଢାଞ୍ଚରେ ହଠାତ୍‌ ପରିବର୍ତ୍ତନ ହେବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପରୀକ୍ଷା ଢାଞ୍ଚାକୁ ପରିବର୍ତ୍ତନ କରାଯାଇଥିବାରୁ ସୁପ୍ରିମକୋର୍ଟ ବରକ୍ତି ପ୍ରକାଶ କରିଛନ୍ତି। କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ କେନ୍ଦ୍ର ସରକାର ଫୁଟବଲ ଭଳି ବ୍ୟବହାର କରୁଥିବା ମଧ୍ୟ କୋର୍ଟ କହିଛନ୍ତି। ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ […]

NEET

Hemant Lenka
  • Published: Monday, 27 September 2021
  • , Updated: 27 September 2021, 07:58 PM IST

ନୂଆଦିଏଲୀ: ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜ୍ୟୁଏଟ ସୁପର ସ୍ପେଶାଲିଟି(ନିଟ ଏସ୍ଏସ୍‌) ପରୀକ୍ଷା ୨୦୨୧ ଢାଞ୍ଚରେ ହଠାତ୍‌ ପରିବର୍ତ୍ତନ ହେବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପରୀକ୍ଷା ଢାଞ୍ଚାକୁ ପରିବର୍ତ୍ତନ କରାଯାଇଥିବାରୁ ସୁପ୍ରିମକୋର୍ଟ ବରକ୍ତି ପ୍ରକାଶ କରିଛନ୍ତି।

କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ କେନ୍ଦ୍ର ସରକାର ଫୁଟବଲ ଭଳି ବ୍ୟବହାର କରୁଥିବା ମଧ୍ୟ କୋର୍ଟ କହିଛନ୍ତି। ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ଓ ଅକ୍ଟୋବର ୪ରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଜେନେରାଲ ମେଡିସିନ ପ୍ରାର୍ଥୀଙ୍କୁ ସୁହାଇଲା ଭଳି ନିଟ୍‌ ଏସଏସ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିବା ୪୧ ଜଣ ପୋଷ୍ଟ ଗ୍ରାଜ୍ୟୁଏଟ୍ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୮ ନିଟ୍‌ ଏସଏସ୍‌ ପରୀକ୍ଷାରେ ଜେନେରାଲ ମେଡିସିନରୁ ୪୦% ଓ ସୁପର ସ୍ପେଶାଲିଟିରୁ ୬୦% ପ୍ରଶ୍ନ ପଡ଼ିଥିଲା। କିନ୍ତୁ ଏଥର ସବୁ ପ୍ରଶ୍ନ ଜେନେରାଲ ମେଡିସିନରୁ ଆସିବ ବୋଲି ବ୍ୟବସ୍ଥା କରାଯାଇଛି।

ଆବେଦନକାରୀ କହିଛନ୍ତି, ନିଟ୍‌ ଏସ୍‌ଏସ୍‌ ୨୦୨୧ ପରୀକ୍ଷା ପାଇଁ ତାରିଖ ଜୁଲାଇ ୨୩ରେ ଘୋଷଣା କରାଯାଇଥିଲା। କିନ୍ତୁ ଏହାର ପ୍ରାୟ ମାସକ ପରେ ଅର୍ଥାତ ୨୦୨୧ ମସିହା ଅଗଷ୍ଟ ୩୧ରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଥିବା କୁହାଯାଇଥିଲା। ପରୀକ୍ଷା ନଭେମ୍ବର ୧୩ ଓ ୨୪ରେ ହେବାକୁ ଥିବା ବେଳେ ୨ ମାସ ପୂର୍ବରୁ ହଠାତ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି।

ପୁରୁଣା ଢାଞ୍ଚାରେ ଆଶାୟୀମାନେ ୩ ବର୍ଷ ହେଲା ଅଭ୍ୟାସ କରୁଥିବା ବେଳେ ଏଥିରେ ପରିବର୍ତ୍ତନ କାହା ସ୍ୱାର୍ଥରେ ବୋଲି ଆବେଦନକାରୀମାନେ ପ୍ରଶ୍ନ କରିଛନ୍ତି।

ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ସରକାରଙ୍କ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “କ୍ଷମତା ଖେଳରେ ଏହି ଯୁବ ଡାକ୍ତରମାନଙ୍କୁ ଫୁଟବଲ ଭଳି ବ୍ୟବହାର କରନ୍ତୁ ନାହିଁ। ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାରେ ଆମେ ଏହି ଡାକ୍ତରମାନଙ୍କୁ ଛାଡ଼ି ପାରିବୁ ନାହିଁ। ଆପଣ ପ୍ରଥମେ ନିଜ ଘର ସଜାଡ଼ନ୍ତୁ। ଆପଣଙ୍କ ପାଖରେ କ୍ଷମତା ଅଛି ବୋଲି ଆପଣ ଏହାର ବ୍ୟବହାର ଯେକୌଣସି ଉପୟାରେ କରିପାରିବେ ନାହିଁ।”

ଜାତୀୟ ମେଡିକାଲ କମିଶନ କ’ଣ କରୁଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଏହି ପରୀକ୍ଷା ସହ ଡାକ୍ତରମାନଙ୍କ ଜୀବନ ଜଡ଼ିତ ବୋଲି କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି, “ଏହା ସେମାନଙ୍କ କ୍ୟାରିୟର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଏବେ ଶେଷ ମୁହୂର୍ତ୍ତରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିପାରିବେ ନାହିଁ। ଶେଷ ସମୟରେ ପରିବର୍ତ୍ତନ ଯୁବ ଡାକ୍ତରମାନଙ୍କୁ ଅଡ଼ୁଆରେ ପକାଇପାରେ।”

ଛାତ୍ରଛାତ୍ରୀମାନେ ମାସମାସ ଧରି ସୁପର ସ୍ପେଶାଲିଟି ବିଷୟରେ ଅଭ୍ୟାସ କରୁଛନ୍ତି। ଆସନ୍ତା ବର୍ଷ ଠାରୁ କାହିଁକି ଏପରି ନିୟମ ପରିବର୍ତ୍ତନ କରା ନଯିବ? ବର୍ତ୍ତମାନ କାହିଁକି ଏହାକୁ ଲାଗୁ କରାଯାଉଛି? ଦୟା କରି ଯୁବ ଡାକ୍ତରଙ୍କ ସହ ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ବ୍ୟବହାର ପ୍ରଦର୍ଶନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story